ପୃଷ୍ଠା:Odisha Rajanitira Itihasa.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା'ପରେ ନାମ ଉଠିଲା ନିିତ୍ୟାନନ୍ଦ କାନୁନ୍‍ଗୋଙ୍କର । ନିତ୍ୟାନନ୍ଦ ବାବୁଙ୍କ ନାମ ଉଠାଇଥିଲେ ମୌଲାନା ଆବୁଲ୍‍ କଲାମ ଆଜାଦ୍‍ । ହେଲେ ନିତ୍ୟାନନ୍ଦବାବୁ ଏହି ପ୍ରସ୍ତାବରେ ରାଜି ନ ହୋଇ ହରେକୃଷ୍ଣ ମହତାବଙ୍କ ନାମ ନିଜ ଆଡୁ ପ୍ରସ୍ତାବ କଲେ । ପଣ୍ଡିତ ନେହେରୁ ବଡ଼ ଅଡୁଆରେ ପଡ଼ିଲେ । ନବବାବୁଙ୍କୁ ବୁଝାଇବା ପାଇଁ ସେ ତାଙ୍କର ପତ୍ନୀ ମାଳତୀଦେବୀଙ୍କୁ ପତ୍ର ଲେଖିଲେ । କଂଗ୍ରେସ ସଭାପତି ଧେବର ଓ ପଣ୍ଡିତ ନେହେରୁ ଚାହୁଁଥାଆନ୍ତି- ଆଗକୁ ୧୯୫୭ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ଅନ୍ତତଃ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହିଯାଆନ୍ତୁ । ତାହା ହେଲା ନାହିିଁ । ନବବାବୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଆପାତତଃ ନାପସନ୍ଦ କରୁଥିଲେ । ପଣ୍ଡିତ ନେହେରୁ ନବକୃଷ୍ଣ ଚୌଧୁରୀଙ୍କୁ ଖୁବ୍‍ ଭଲ ପାଉଥିଲେ । ତାଙ୍କର ଇଚ୍ଛା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ନ ଛାଡ଼ନ୍ତୁ ।

କଂଗ୍ରେସ ହାଇକମାଣ୍ଡ ଶେଷରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ବାଧ୍ୟହୋଇ ରାଜିହେଲେ । ନବବାବୁ ତାଙ୍କର ସମସ୍ତ ପରିକଳ୍ପିତ କାର୍ଯ୍ୟକ୍ରମକୁ ଓଡ଼ିଶାର ଭବିଷ୍ୟତ ନେତୃବର୍ଗଙ୍କ ହସ୍ତରେ ଅର୍ପଣ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେଦିନ ଥିଲା ୧୯୫୬ ମସିହା ଅକ୍ଟୋବର ୧୯ ତାରିଖ । ହରେକୃଷ୍ଣ ମହତାବ ବମ୍ବେ ରାଜ୍ୟପାଳ ପଦବୀରୁ ଇସ୍ତଫାଦେଇ ସେହିଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ଦ୍ୱିତୀୟଥର ପାଇଁ । ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଭୀମସେନ ସାଚାର ତାଙ୍କୁ ଶପଥପାଠ କରାଇଲେ । ତାଙ୍କ ନେତୃତ୍ୱରେ ନୂତନ ମନ୍ତ୍ରିମଣ୍ଡଳ ଶପଥନେଲା । ସେଥିରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଚାରିଜଣ କ୍ୟାବିନେଟମନ୍ତ୍ରୀ ଓ ପାଞ୍ଚଜଣ ଉପମନ୍ତ୍ରୀ । ପୂର୍ବରୁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା କ୍ୟାବିନେଟ୍‍ ମନ୍ତ୍ରୀ ସଦାଶିବ ତ୍ରିପାଠୀ ଓ ସୁନାରାମ ସୋରେନ୍‍ ଏବଂ ଉପମନ୍ତ୍ରୀ ଭୈରବ ଚନ୍ଦ୍ର ମହାନ୍ତି ଓ ତୀର୍ଥବାସୀ ପ୍ରଧାନଙ୍କୁ ମନ୍ତ୍ରିମଣ୍ଡଳରେ ହରେକୃଷ୍ଣ ମହତାବ ଗ୍ରହଣ କଲେନାହିିଁ । ତାଙ୍କ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସ୍ଥାନ ପାଇଲେ, ସେମାନେ ହେଲେ ନିଜେ ହରେକୃଷ୍ଣ ମହତାବ- ମୁଖ୍ୟମନ୍ତ୍ରୀ, ରାଜନୈତିକ ବ୍ୟାପାର ବିଭାଗ, ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ, ଆଦିବାସୀ, ଗ୍ରାମମଙ୍ଗଳ ଓ ଶ୍ରମବିଭାଗ; ରାଧାନାଥ ରଥ- ମନ୍ତ୍ରୀ, ପରିବହନ ଓ ନିର୍ମାଣ, କୃଷି, ସମବାୟ ଓ ଜଙ୍ଗଲ, ଯୋଗାଣ, ବାଣିଜ୍ୟ ଏବଂ ରିଲିଫ୍‍ ଓ ପୁର୍ନବସତି; ଶ୍ରୀସତ୍ୟପ୍ରିୟ ମହାନ୍ତି- ମନ୍ତ୍ରୀ, ରାଜସ୍ୱ- ଅବକାରୀ, ଘରୋଇ ଏବଂ ଆଇନ; ରାଜାସାହେବ କିଶୋରଚନ୍ଦ୍ର ଦେଓଭଞ୍ଜ- ମନ୍ତ୍ରୀ ଶିଳ୍ପ, ଖଣି ଓ ଭୂତତ୍ତ୍ୱ । ଉପମନ୍ତ୍ରୀମାନେ ହେଲେ ଶ୍ରୀମତୀ ବସନ୍ତ ମଞ୍ଜରୀ ଦେବୀ- ସ୍ୱାସ୍ଥ୍ୟ, ନୀଳମଣି ରାଉତରାୟ ଘରୋଇ ଓ ଶିଳ୍ପ; କୃପାନିଧି ନାୟକ- କୃଷି, ପଶୁପାଳନ, ବିପଣନ ସଂଗଠନ ଓ ଯୋଗାଣ; ଅନୁପ ସିଂହଦେଓ- ଆଦିବାସୀ, ଗ୍ରାମମଙ୍ଗଳ ଓ ଶ୍ରମ ଏବଂ ଶାନ୍ତନୁ କୁମାର ଦାସ- ସମବାୟ, ମତ୍ସ୍ୟ, ରିଲିଫ୍‍ ଓ ପୁନର୍ବସତି । ଏହି ମନ୍ତ୍ରୀ ଓ ଉପମନ୍ତ୍ରୀମାନେ ପୂର୍ବରୁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ରହିିଥିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୧୧୧