ପୃଷ୍ଠା:Odisha Rajanitira Itihasa.pdf/୧୧୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହତାବ ବାବୁ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନୂତନ ଭାବରେ ପଲ୍‍ଟିକାଲ୍‍ ଆଣ୍ଡ ସର୍ଭିିସେସ୍‍ ବିଭାଗ ନାମରେ ଏକ ନୂଆ ବିଭାଗ ଖୋଲି ତାକୁ ନିଜ ଦାୟିତ୍ୱରେ ରଖିଲେ । ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ । ସୀମା ଆନ୍ଦୋଳନରେ ଅଂଶଗ୍ରହଣ କରି ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କଲେ । ଏହି ସମୟ ମଧ୍ୟରେ ସେ ବିଶେଷ କିଛି କାର୍ଯ୍ୟକ୍ରମ ଗ୍ରହଣ କରିପାରିଲେ ନାହିିଁ । କାରଣ ସେ ଦାୟିତ୍ୱ ନେବାର ଚାରିମାସ ପରେ ଦେଶ ତ‌ଥା ରାଜ୍ୟରେ ଦ୍ୱିତୀୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ସେଥିପାଇଁ ସେ ବ୍ୟସ୍ତ ରହିଲେ । ଏହି ନିର୍ବାଚନରେ ବିଧାନସଭା ମଣ୍ଡଳୀର ସୀମାରେ ସାମାନ୍ୟ ଅଦଳବଦଳ ହୋଇଥିଲେ ହେଁ ପୂର୍ବ ପରି ୧୪୦ଟି ବିଧାନସଭା ଆସନ ରହିଲା । ସେଥିରୁ ୩୯ଟି ଯୁଗ୍ମ ସଦସ୍ୟ ଆସନ ଓ ୬୨ଟି ଜଣିକିଆ ସଦସ୍ୟ ଆସନ ହୋଇରହିଲା ।

ଲୋକସଭା ଓ ବିଧାନସଭା ପାଇଁ ଓଡ଼ିଶାରେ ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ୧୯୫୭ ମସିହା ଫେବ୍ରୁଆରି ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୨ତାରିଖରେ ଶେଷ ହେଲା । ଏହି ନିର୍ବାଚନରେ ଯେଉଁ ରାଜନୈତିକ ଦଳମାନେ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ଗଣତନ୍ତ୍ର ପରିଷଦ, ଭାରତୀୟ କମ୍ୟୁନିଷ୍ଟପାର୍ଟି, ପ୍ରଜା ସମାଜବାଦୀ ଦଳ, ସଂଯୁକ୍ତ ସମାଜବାଦୀ ଦଳ ଓ ଝାଡ଼ଖଣ୍ଡ ଦଳ । ଏହା ବ୍ୟତୀତ ଥିଲେ ନିର୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ । କଂଗ୍ରେସ ୧୪୦ଟି ଆସନ ନିମନ୍ତେ ପ୍ରାର୍ଥୀ ଦେଇଥିବା ସ୍ଥଳେ, ଗଣତନ୍ତ୍ର ପରିଷଦ ୧୦୭ଟି ଆସନରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୨ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଏହା ବ୍ୟତୀତ ସଂଯୁକ୍ତ ସମାଜବାଦୀ ଦଳ, ଝାଡ଼ଖଣ୍ଡ ଦଳ ଓ ନିର୍ଦଳୀୟ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ଯେ, ସମାଜବାଦୀ ଦଳରେ ମତଭେଦ ସୃଷ୍ଟି ହେବାରୁ ସେହି ଦଳ 'ପ୍ରଜାସମାଜବାଦୀ ଦଳ' ଓ 'ସଂଯୁକ୍ତ ସମାଜବାଦୀ ଦଳ' ନାମରେ ଦୁଇ ଦଳରେ ବିଭକ୍ତ ହୋଇଗଲେ । ଦୁଇଟିଯାକଦଳ ସ୍ୱତନ୍ତ୍ର ଭାବରେ ନିର୍ବାଚନରେ ପ୍ରାର୍ଥୀ ଠିଆ କରାଇଲେ ।

ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ-୫୬, ଗଣତନ୍ତ୍ର ପରିଷଦ-୫୧, ପ୍ରଜାସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାଟି-୯ ଓ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୧୩ଟି ଆସନ ଲାଭ କରିଥିଲେ । ପୂର୍ବପରି ଲୋକସଭା ପାଇଁ ୨୦ଟି ଆସନ ରହିଲା । ସେଥିରୁ ଛ'ଟି ଯୁଗ୍ମ ସଦସ୍ୟ ବିଶିଷ୍ଟ ଆସନ ଓ ଆଠଟି ଜଣିକିଆ ସଦସ୍ୟ ଆସନ ଭାବରେ ମାନ୍ୟତା ଲାଭ କରିଥିଲା । ଏହି କୋଡ଼ିଏଟି ଆସନରୁ କଂଗ୍ରେସ-୭, ଗଣତନ୍ତ୍ର ପରିଷଦ-୭, ପ୍ରଜା ସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ୧ ଏବଂ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥମାନେ ତିନୋଟି ଆସନରେ ବିଜୟୀ ହୋଇଥିଲେ ।

୧୧୨ . ଓଡ଼ିଶା ରାଜନୀତିର ଇତିହାସ