ପୃଷ୍ଠା:Odisha Rajanitira Itihasa.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତ୍ରୟୋଦଶ ପରିଚ୍ଛେଦ
୧୯୫୭ର ଝୁଲା ବିଧାନସଭା
ଓ ମିଳିତ ସରକାର

୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ କଂଗ୍ରେସ ୧୪୦ଟି ଆସନରୁ ମାତ୍ର ୫୬ଟି ଆସନ ଲାଭ କରି ଏକକ ସଂଖ୍ୟା ଗରିଷ୍ଠଦଳର ମାନ୍ୟତା ଲାଭ କଲା । କିନ୍ତୁ ୭୧ ଜଣ ବିଧାୟକଙ୍କ ସମର୍ଥନ ରହିଲେ ଯାଇ କଂଗ୍ରେସଦଳ ମନ୍ତ୍ରିମଣ୍ଡଳ ଗଠନ କରିପାରିବ । ମନ୍ତ୍ରିମଣ୍ଡଳ ଗଠନ ନ ହେଲେ ଓଡ଼ିଶା କଂଗ୍ରେସ ବଦନାମ ହେବ । ଡକ୍ଟର ମହତାବଙ୍କ ରାଜନୈତିକ ସୁଖ୍ୟାତିରେ ଆଞ୍ଚ ଆସିବ । କାରଣ ମହତାବଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ହେଉଥିଲା । ଏଣୁ ୧୦ଜଣ ସ୍ୱାଧୀନ ବିଧାୟକ ଓ ୪-୫ ଜଣ ଗଣତନ୍ତ୍ର ପରିଷଦର ବିଧାୟକଙ୍କୁ ଆଣି କଂଗ୍ରେସ ଦଳଭୁକ୍ତ କରାଗଲା । ତା ସହିତ ଝାଡ଼ଖଣ୍ଡ ଦଳର ୫ ଜଣ ବିଧାୟକଙ୍କ ସମର୍ଥନ ହାସଲ କରାଗଲା ।

ଏହିପରି ଭାବରେ କୃତ୍ରିମ ସଂଖ୍ୟା ଗରିଷ୍ଠତା ହାସଲ କରାଯାଇ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଡକ୍ଟର ହରେକୃଷ୍ଣ ମହତାବ ହେଲେ ମୁଖ୍ୟମନ୍ତ୍ରୀ । ତାଙ୍କ ହାତରେ ରହିଲା ପଲଟିକାଲ ସର୍ଭିିସେସ୍‍ ଓ ଅର୍ଥ ବିଭାଗ । ଅନ୍ୟ ମନ୍ତ୍ରୀମାନେ ହେଲେ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ- ଘରୋଇ ଆଇନ୍‍ ଓ ଶିକ୍ଷାବିଭାଗ ମନ୍ତ୍ରୀ; ରାଧାନାଥ ରଥ- ଉନ୍ନୟନ ବିଭାଗ ମନ୍ତ୍ରୀ; ଶ୍ରୀ ଦିନବନ୍ଧୁ ସାହୁଶିଳ୍ପ, ଖଣି ଓ ଭୂତତ୍ତ୍ୱ ବିଭାଗ ମନ୍ତ୍ରୀ; ଶ୍ରୀ ସତ୍ୟପ୍ରିୟ ମହାନ୍ତି- ରାଜସ୍ୱ, ଅବକାରୀ ଓ ସ୍ୱାୟତ୍ତ ଶାସନ ବିଭାଗ ମନ୍ତ୍ରୀ; ବସନ୍ତ ମଞ୍ଜରୀ ଦେବୀ- ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ (ସ୍ୱାୟତ୍ତ ଶାସନ, ରିଲିଫ ଓ ପୁନର୍ବସତି), ନୀଳମଣି ରାଉତରାୟ- ଯୋଗାଣ ପରିବହନ ଓ ଶ୍ରମମନ୍ତ୍ରୀ; ପବିତ୍ର ମୋହନ ପ୍ରଧାନ- ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ମନ୍ତ୍ରୀ; ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ- ନଦୀ ଉପତ୍ୟକା ଉନ୍ନୟନ, ଦୁର୍ନୀତି ନିବାରଣ ସହ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ବିଷୟର ମନ୍ତ୍ରୀ ।

୧୨୪ . ଓଡ଼ିଶା ରାଜନୀତିର ଇତିହାସ