ପୃଷ୍ଠା:Odisha Rajanitira Itihasa.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ପାଦକ ଦାୟିତ୍ୱ ବହନ କରିିଥିଲେ । ଏହି ସମୟ ମଧ୍ୟରେ ସେ ଇଂଲଣ୍ଡ, ଆମେରିକା, ଜାପାନ ଆଦି ଅନେକ ରାଷ୍ଟ୍ର ଭ୍ରମଣରେ ଯାଇଥିଲେ । ୧୯୫୫ ମସିହା ମାର୍ଚ୍ଚ ମାସଠାରୁ ୧୯୫୬ ଅକ୍ଟୋବର ମାସ ଯାଏ ସେ ଥିଲେ ବମ୍ବେ ପ୍ରଦେଶର ରାଜ୍ୟପାଳ । ତା'ପରେ ସେ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରି ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ ।

ସେ କେବଳ ଜଣେ ରାଜନୈତିକ ବା କୂଟନୀତିଜ୍ଞ ନୁହନ୍ତି, ସେ ଜଣେ ମହାନ୍‍ ସଂସ୍କୃତିସମ୍ପନ୍ନ ବ୍ୟକ୍ତି । 'ଓଡ଼ିଶା ଇତିହାସ' ପୁସ୍ତକ ରଚନା କରିବା ସହ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ବହୁ ଉଚ୍ଚକୋଟୀର ରାଜନୀତିକ ସମସ୍ୟାମୂଳକ ପୁସ୍ତକ ଲେଖିଛନ୍ତି । ଓଡ଼ିଆ ଭାଷାରେ ଅନେକ ଗଳ୍ପ, ଉପନ୍ୟାସ ଓ ନାଟକ ମଧ୍ୟ ସେ ରଚନା କରିଛନ୍ତି । ସାହିତ୍ୟ କୃତି ପାଇଁ ୧୯୫୦ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଡକ୍ଟର ମହତାବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଉପାଧିରେ ଭୂଷିତ କରିଛନ୍ତି । ସେ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଜୀବନ ସଭ୍ୟ । ଏହିପରି ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ଡକ୍ଟର ମହତାବ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଡକ୍ଟର ମହତାବଙ୍କ ମନ୍ତ୍ରିମଣ୍ଡଳ କିଛିଦିନ ଚାଲିବା ପରେ ବିଭ୍ରାଟ ଆରମ୍ଭ ହୋଇଗଲା । ଯେଉଁ ସ୍ୱାଧୀନ ସଦସ୍ୟ ଓ ଗଣତନ୍ତ୍ର ପରିଷଦର ସଦସ୍ୟମାନେ କଂଗ୍ରେସରେ ଯୋଗଦେଇଥିଲେ, ସେମାନେ ନାନା ପ୍ରକାର ଦାବି ଉପସ୍ଥାପନ କଲେ । କିଏ ମନ୍ତ୍ରୀପଦ ଦାବି କରୁଥାଆନ୍ତି ତ କିଏ ଆର୍ଥିକ ସହାୟତା ପାଇଁ ଦାବି ଉପସ୍ଥାପନ କରୁଥାଆନ୍ତି । ଆଉ ଝାଡ଼ଖଣ୍ଡ ଦଳର ନେତାମାନଙ୍କ କଥା କହିଲେ ନସରେ । ସେହି ସମୟରେ ଓଡ଼ିଶା ବିଧାନସଭା ଶନିବାର-ରବିବାରରେ ବନ୍ଦ ରହେ । ଶୁକ୍ରବାର ଦିନ ସକାଳଓଳି ବିଧାନସଭା ବସେ ଓ ଦିନ ଗୋଟାକରେ ବନ୍ଦ ହୁଏ । ପ୍ରତି ଶୁକ୍ରବାର ଦିନ ଝାଡ଼ଖଣ୍ଡ ଦଳର ସଭ୍ୟମାନେ ନିଜ ଗାଁ ଓ ନିର୍ବାଚନମଣ୍ଡଳୀକୁ ଯାଆନ୍ତି । ସ୍ୱାଧୀନ ସଭ୍ୟମାନଙ୍କର ଅଭ୍ୟାସ ମଧ୍ୟ ଠିକ୍‍ ସେହିପରି ।

ପବିତ୍ରମୋହନ ପ୍ରଧାନ ଥାଆନ୍ତି ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ମନ୍ତ୍ରୀ । ଝାଡ଼ଖଣ୍ଡ ଦଳର ନେତାମାନେ ସମସ୍ତେ ଆଦିବାସୀ । ତେଣୁ ସେମାନଙ୍କ ଯିବା ଆସିବା ଦାୟିତ୍ୱ ପବିତ୍ର ବାବୁଙ୍କ ଉପରେ ନ୍ୟସ୍ତ ଥାଏ । ସୋମବାର ଦିନ ୧୧ଟା ସୁଦ୍ଧା ଏହି ନେତାମାନଙ୍କୁ ବିଧାନସଭାରେ ଉପସ୍ଥିତ କରାଇବା ଦାୟିତ୍ୱ ମଧ୍ୟ ପବିତ୍ର ବାବୁଙ୍କର । ଗଣତନ୍ତ୍ର ପରିଷଦ ଦଳରୁ ଆସି କଂଗ୍ରେସରେ ମିଶିିବା ସଭ୍ୟମାନଙ୍କ ଉପରେ ଉକ୍ତ ଦଳର ଚାପ ଓ ଧମକ ସଦାସର୍ବଦା ଲାଗି ରହିଥାଏ ।

ଦିନକର କଥା । ସେଦିନ ବିଧାନସଭା ଚାଲିିବା ସମୟରେ ଗଣତନ୍ତ୍ର ଦଳରୁ କଂଗ୍ରେସରେ ମିଶିିବା ଦୁଇଜଣ ସଦସ୍ୟ ହଠାତ୍‍ କଂଗ୍ରେସ ଦଳ ତ୍ୟାଗ କରି ସେମାନଙ୍କ ନିଜ ଦଳରେ ମିଶିଗଲେ । ଏହାଫଳରେ କଂଗ୍ରେସ ଦଳରେ ହତାଶା ଭାବ ହେଲା । ଏଥିପାଇଁ ଗଣତନ୍ତ୍ର ପରିଷଦ ମଧ୍ୟ ଉତ୍ସାହୀ ହୋଇଉଠିଲେ । ତାଙ୍କ ଦଳରୁ ଯାଇ କଂଗ୍ରେସ ଦଳରେ ମିଶିିବା ଅନ୍ୟ ସଦସ୍ୟମାନଙ୍କୁ ନେଇଯିବା ପାଇଁ ଉଦ୍ୟମ କଲେ । ଖାଲି ସେତିକି ନୁହେଁ- କଂଗ୍ରେସଦଳରୁ ମଧ୍ୟ ଦୁଇ ତିନିଜଣ ସଦସ୍ୟଙ୍କୁ ନେଇଯିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଲେ ।

୧୨୬ . ଓଡ଼ିଶା ରାଜନୀତିର ଇତିହାସ