ପୃଷ୍ଠା:Odisha Rajanitira Itihasa.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିର୍ବାଚନରେ ଡକ୍ଟର ମହତାବଙ୍କ ବିରୋଧୀ ତ‌ଥାକଥିତ ଯୁବଗୋଷ୍ଠୀ ତରଫରୁ ବିଜୁ ପଟ୍ଟନାୟକଙ୍କୁ ସଭାପତି ପ୍ରାର୍ଥୀ କରାଗଲା । ସଭାପତି ପଦକୁ ନେଇଯିବା ପାଇଁ ଏହି ଗୋଷ୍ଠୀ ପ୍ରବଳ ଉଦ୍ୟମ କଲେ । କିନ୍ତୁ ମାତ୍ର ଚାରିଟି ଭୋଟରେ ବିଜୁ ପଟ୍ଟନାୟକ ହାରିଗଲେ । ବନମାଳୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହେଲେ । ହାରିଯାଇ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଯେନ ତେନ ପ୍ରକାରେଣ କଂଗ୍ରେସ କମିଟି ସଭାପତି ପଦକୁ ଛଡାଇ ଆଣିବା ପାଇଁ ଚେଷ୍ଟାକଲେ । ସେମାନେ ବନମାଳୀ ବାବୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଗଲେ । ଏ କଥା ବନମାଳୀ ବାବୁ ଜାଣିପାରି ନିଜ ଆଡ଼ୁ ବିଶ୍ୱାସ ପ୍ରସ୍ତାବ ଆଗତ କଲେ । ଦୁଃଖର ବିଷୟ, ବନମାଳୀବାବୁ ୪୬ ଭୋଟରେ ହାରିଗଲେ । ସେହିଦିନ ବିଜୁ ପଟ୍ଟନାୟକ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହେଲେ ।

ବିଜୁ ପଟ୍ଟନାୟକ କଂଗ୍ରେସ ସଭାପତି ହେବାରୁ ତାଙ୍କ ଅନୁଗାମୀମାନେ କଂଗ୍ରେସ-ଗଣତନ୍ତ୍ର ପରଷିଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପାର୍ଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇନେଲେ । କଂଗ୍ରେସ ଦଳ ମିିଳିତ ମନ୍ତ୍ରିମଣ୍ଡଳରୁ ଓହରି ଆସିବା ପାଇଁ ସ୍ଥିର ହେଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ନିଶ୍ଚିତ ହୋଇଗଲା । ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ନୀଳମଣି ରାଉତରାୟ କଂଗ୍ରେସ ଦଳର ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଓଡ଼ିଶାରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିବ ବୋଲି ପ୍ରସ୍ତାବ ଦେଲେ । କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କଲେ । ବିଜୁ ପଟ୍ଟନାୟକ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିଲେ ଖୁବ୍‍ ଭଲ ହେବ ବୋଲି କଂଗ୍ରେସ ହାଇକମାଣ୍ଡ ମତ ଦେଲେ । କଂଗ୍ରେସ ହାଇକମାଣ୍ଡଙ୍କ ଆଶୀର୍ବାଦ ବିଜୁ ପଟ୍ଟନାୟକଙ୍କ ଉପରେ ଅଜାଡି ହୋଇ ପଡିଲା । ଅନ୍ୟ ଦଳରୁ ୫-୭ ଜଣ ସଭ୍ୟ ଆଣି କଂଗ୍ରେସରେ ମିଶାଇ ମନ୍ତ୍ରିମଣ୍ଡଳ ଗଠନ କରବାପାଇଁ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଉଦ୍ୟମ କଲେ ।

ମିଳିତ ମନ୍ତ୍ରିମଣ୍ଡଳ ନ ଚାଲିଲେ ରାଷ୍ଟ୍ରପତି ଶାସନ ଜାରି ହେଉ, କିନ୍ତୁ ଅନ୍ୟ ଦଳରୁ ସଭ୍ୟ ଆଣି କଂଗ୍ରେସରେ ମିଶାଇ ଆଉ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମତ ପୋଷଣ କଲେ । କିନ୍ତୁ ବିଜୁ ପଟ୍ଟନାୟକ ଗୋଷ୍ଠୀର ଏକା ଜିଦ୍‍ ଯେ, ମିଳିତ ମନ୍ତ୍ରିମଣ୍ଡଳ ଭଙ୍ଗାଯାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବରେ ରାଜ୍ୟ ଶାସନ ନିୟନ୍ତ୍ରଣ କରିବ । ଏହିସବୁ କାରଣରୁ ବିଜୁ ପଟ୍ଟନାୟକଙ୍କ କ୍ୟାମ୍ପ ଓ ଡକ୍ଟର ମହତାବଙ୍କ କ୍ୟାମ୍ପରେ ଘନ ଘନ ଆଲୋଚନା ଚାଲିଥାଏ । ଫଳରେ କଂଗ୍ରେସ ଦଳରେ ପ୍ରକାଶ୍ୟ ଭାବରେ ଫାଟ ସୃଷ୍ଟି ହେଲା ।

ଡକ୍ଟର ମହତାବ ଏପରି ପରିସ୍ଥିତିରେ ଅତିଷ୍ଠ ହୋଇପଡିଲେ । ଆଉ ଅଧିକ କାଳ ମନ୍ତ୍ରିମଣ୍ଡଳକୁ ନ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡିଲେ । କଂଗ୍ରେସ କର୍ତ୍ତୃପକ୍ଷ ଏହି ମିଳିତ

ଓଡ଼ିଶା ରାଜନୀତିର ଇତିହାସ . ୧୩୩