ପୃଷ୍ଠା:Odisha Rajanitira Itihasa.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୃନ୍ଦାବନ ନାୟକ ପୂର୍ବରୁ ମହତାବଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ଥିଲେ । କିନ୍ତୁ ଏଥର ସେ ଏହି ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀ ଭାବରେ ଯୋଗଦେଲେ । ସେଥିପାଇଁ ତାଙ୍କ ମନଦୁଃଖ ନଥାଏ । ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କୁ ଗ୍ରହଣ କରାଗଲା, ସେ ହେଲେ ସରସ୍ୱତୀ ପ୍ରଧାନ । ଶିକ୍ଷା ବିଭାଗର ଉପମନ୍ତ୍ରୀ ପଦବୀରେ ସେ ରହିଲେ । ସେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ଭଟ୍‍ଲି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଆସିିଥିଲେ । ତାଙ୍କ ସମ୍ପର୍କରେ ଏଠାରେ ସଂକ୍ଷିପ୍ତ ସୂଚନା ଦେବାପାଇଁ ଉଚିତ ମନେ କରୁଛି । ୧୯୨୫ ମସିହାରେ ସେ ଜନ୍ମ ହୋଇିଥିଲେ ସମ୍ବଲପୁରର କମାଗାଁରେ । ତାଙ୍କର ପିତା ରାଏ ସାହେବ ମଦନ ମୋହନ ପ୍ରଧାନ । ତାଙ୍କର ସ୍ୱାମୀଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଏଡ୍‍. । ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କର ସେ ଜନନୀ । ଛାତ୍ରୀ ଅବସ୍ଥାରୁ ସେ ସମାଜ ସେବା କରି ଗ୍ରାମର ବିକାଶ ନିମନ୍ତେ ମନବଳାଇ ଥିଲେ । ସେ ଥିଲେ ଜଣେ ଶିକ୍ଷୟିତ୍ରୀ । ଅନେକ ପ୍ରାଥମିକ ବିଦ୍ୟାଳୟ ତାଙ୍କରି ତତ୍ତ୍ୱାବଧାନରେ ସମ୍ବଲପୁର ଜିଲ୍ଲାରେ ଖୋଲା ଯାଇଥିଲା । ସେ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍‍-ଫେଲୋ । ୧୯୬୧ ମସିହାରେ କଂଗ୍ରେସ ଦଳରେ ଯୋଗଦାନ କରି ସେହି ବର୍ଷ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇ ଶିକ୍ଷା ବିଭାଗର ଉପମନ୍ତ୍ରୀ ହେଲେ । ସମାଜ ସେବା ଥିଲା ତାଙ୍କର ପ୍ରଧାନ ବ୍ରତ ।

ବିଜୁ ବାବୁ, ବୀରେନ ବାବୁ ଓ ନୀଳମଣି ବାବୁ ଏହି ତିନିଜଣ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥାଇ କଂଗ୍ରେସକୁ ଆୟତ୍ତ କରିବାରେ ମହତାବ ବାବୁଙ୍କୁ ସର୍ବବିଧ ସାହାଯ୍ୟ କରୁଥିଲେ । ଏମାନଙ୍କୁ ଓଡ଼ିଶା କଂଗ୍ରେସର ତିନି ବନ୍ଧୁକଧାରୀ (The three musketeers) ସୈନିକ ବୋଲି କେହି କେହି ଡାକନ୍ତି (ମୁକ୍ତିପଥେ ସୈନିକ) । ଘଟଣା କ୍ରମେ ଏହି ତିନିହେଁ ମହତାବଙ୍କର ବିରୋଧୀ ହୋଇଗଲେ ଓ ତିନିଜଣଯାକ ଏହି ମନ୍ତ୍ରିମଣ୍ଡଳରେ ସମ୍ମାନଜନକ ବିଭାଗ ଅକ୍ତିଆର କରିନେଲେ । ପ୍ରଥମ ଜଣକ ହେଲେ ମୁଖ୍ୟମନ୍ତ୍ରୀ; ଦ୍ୱିତୀୟ ଜଣକ ହେଲେ ଉପ-ମୁଖ୍ୟମନ୍ତ୍ରୀ ଓ ତୃତୀୟ ଜଣକ ହେଲେ ଘରୋଇ ବିଭାଗ ମନ୍ତ୍ରୀ । ଏମାନେ ସମସ୍ତେ ସେତେବେଳେ ଯୁବକ ।

ବିଜୟାନନ୍ଦ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଓ ସେମାନଙ୍କ ବିଭାଗମାନ ହେଲା:

ଓଡ଼ିଶା ରାଜନୀତିର ଇତିହାସ . ୧୪୫