ପୃଷ୍ଠା:Odisha Rajanitira Itihasa.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନ ଦାସ ଏହି ସଭାରେ କେବଳ ଧନ୍ୟବାଦ ପ୍ରଦାନ କରିିଥିଲେ ।

୧୮୮୫ ମସିହାର କଥା । ଏହି ବର୍ଷ ନଭେମ୍ବର ୧୮ ତାରିଖ ଦିନ ସେସମୟର ବଙ୍ଗପ୍ରଦେଶ (ବିହାର, ଓଡ଼ିଶା, ବଙ୍ଗ ଓ ଆସାମ)ର ଛୋଟଲାଟ୍‍ (ଲେଫଟ୍‍ନାଣ୍ଟ ଗଭର୍ଣ୍ଣର) ସାର ରିଚାର୍ଡସ ଟମସନ୍‍ ପରିଦର୍ଶନରେ ଆସିିଥିଲେ କଟକ ସହରକୁ । ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ଏକ ସ୍ମାରକପତ୍ର ଲାଟସାହେବଙ୍କୁ ଉତ୍କଳ ସଭା ପକ୍ଷରୁ ପ୍ରଦାନ କରାଯାଇଥିଲା । ଏଥିରେ ମଧୁବାବୁ ମୁଖ୍ୟ ଅଂଶ ଗ୍ରହଣକରି ଲାଟ୍‍ଙ୍କ ଦରବାରରେ ସ୍ମାରକପତ୍ରଟିକୁ ପାଠ କରିଥିଲେ । ୧୮୮୮ ମସିହା ନଭେମ୍ବର ୨୪ ତାରିଖରେ ବଙ୍ଗଳାର ଲାଟ୍‍ସାହେବ ଷ୍ଟୁଆର୍ଟ ବେଲି (Bailey) କଟକ ପରିଦର୍ଶନରେ ଆସିିଥିବା କାଳରେ ତାଙ୍କ ଦରବାର ସଭାରେ ଉତ୍କଳସଭା ତରଫରୁ ଦେଶ ମିଶ୍ରଣ ଦାବିର ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

୧୮୯୫ରେ ସମ୍ବଲପୁର ଜିଲ୍ଲାର କୋର୍ଟ କଚେରିରୁ ଓଡ଼ିଆ ଭାଷାକୁ ଉଠାଇ ହିନ୍ଦୀ ଭାଷା ପ୍ରଚଳନ ନିମନ୍ତେ ମଧ୍ୟପ୍ରଦେଶର ଚିଫ୍‍ କମିଶନର ସାର୍‍ ଜନ୍‍ ଉଡ଼ବର୍ଣ୍ଣ ଦେଇିବା ପ୍ରସ୍ତାବ ବିରୁଦ୍ଧରେ ଓଡ଼ିଆମାନେ ସଭା ସମିତି କଲେ । ପତ୍ରପତ୍ରିକାରେ ଏହି ପ୍ରସ୍ତାବର ବିରୋଧ କରାଗଲା । ଜୁନ୍‍ ୨୦ ତାରିଖରେ କଟକଠାରେ ଉତ୍କଳସଭା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଲା । ସର୍ବସମ୍ମତି କ୍ରମେ ବଡ଼ଲାଟ ଏଲ୍‌ଗିନ୍‌ଙ୍କ ପାଖକୁ ପଠାଗଲା ଏକ ସ୍ମାରକପତ୍ର । ଏହି ସ୍ମାରକପତ୍ରରେ ପ୍ରସ୍ତାବ ଉଲ୍ଲେଖ ହେଲା, ସମ୍ବଲପୁରକୁ ଓଡ଼ିଶା ଡିଭିଜନ ସହ ମିଶାଇ ଦେବାପାଇଁ । ଏହି ପ୍ରସଙ୍ଗରେ ମଧୁବାବୁ ଓଡ଼ିଶା କମିଶନର କୁକ୍‍ ସାହେବଙ୍କୁ ଭେଟି ସମସ୍ତ ଉପାନ୍ତ ଓଡ଼ିଆ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇ ଦେବାପାଇଁ ଅନୁରୋଧ କଲେ । କୁକ୍‍ ସାହେବ ଏହି ପ୍ରସ୍ତାବକୁ ସମର୍ଥନ କରି ଏକ ପ୍ରସ୍ତାବ ବଙ୍ଗ ସରକାରଙ୍କୁ ପଠାଇଦେଲେ ।

୧୮୯୭ରେ ମଧୁବାବୁ ପ୍ରଥମଥର ପାଇଁ ବିଲାତ ଯାଇ ଭାରତ ସଚିିବ ଲର୍ଡ ଜର୍ଜ ହାମିଲ୍‍ଟନ୍‍ଙ୍କୁ ଭେଟି ଓଡ଼ିଶା ଦେଶ ମିଶ୍ରଣର ଏକ ପ୍ରସ୍ତାବ ଛପା ପୁସ୍ତିକା ଆକାରରେ ପ୍ରଦାନ କଲେ । ୧୯୦୦ରେ ସିମ୍‍ଳାଠାରେ ମଧୁବାବୁ ବଡ଼ଲାଟ ଲର୍ଡ କର୍ଜନଙ୍କୁ ଭେଟି ଓଡ଼ିଶାର ସମସ୍ୟା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଦେଲେ । ସେହିବର୍ଷ ଡିସେମ୍ବର ୧୬ ତାରିଖରେ ବଡ଼ଲାଟ କର୍ଜନ ଓଡ଼ିଶା ଆସିଲେ କେବଳ ମଧୁବାବୁଙ୍କ ସହ ସାକ୍ଷାତ ଆଲୋଚନା ପାଇଁ । ସେ ମଧୁବାବୁଙ୍କ ବାକ୍‍ଚାତୁରୀ ଓ ବ୍ୟବହାରରେ ହୋଇଯାଇିଲେ ଅତ୍ୟନ୍ତ ମୁଗ୍ଧ ।

ଉତ୍କଳ ସମ୍ମିଳନୀର ଜନ୍ମ :

୧୯୦୧ ମସିହାର କଥା । ସେହିବର୍ଷ ସେପ୍ଟେମ୍ବର ମାସରେ ସପ୍ତମ ଏଡ଼ଓ୍ୱାର୍ଡଙ୍କ ଅଭିଷେକ ଉତ୍ସବ ଦିଲ୍ଲୀଠାରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥାଏ । ଏହି ଉତ୍ସବରେ ଯୋଗ ଦେବା ନିମନ୍ତେ ଭାରତବର୍ଷର ବିଭିନ୍ନ ରାଜା ଓ ଜମିଦାରମାନଙ୍କୁ ନିମନ୍ତ୍ରଣ କରାଯାଇ ଥାଏ । ଖଲ୍ଲିକୋଟର ରାଜା ସାହେବ ହରିହର ମର୍ଦ୍ଦରାଜ ଦେଓ ଓ ଅନ୍ୟମାନଙ୍କ ପରି ଏହି ସମ୍ମିଳନୀରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ ପାଇଲେ । ଦିଲ୍ଲୀ ଯିବାପାଇଁ ରାଜାସାହେବ ତାଙ୍କ ଶୁଭେଚ୍ଛୁମ।ନଙ୍କ ସହ ପରାମର୍ଶ

ଓଡ଼ିଶା ରାଜନୀତିର ଇତିହାସ . ୧୫