ପୃଷ୍ଠା:Odisha Rajanitira Itihasa.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାମରାଜ ଯୋଜନା ଓ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ :

ଧୀରେ ଧୀରେ ଦେଶର ରାଜନୈତିକ ପରିସ୍ଥିତି ଅଡୁଆ ହେବାରେ ଲାଗିଲା । କେତେକ ବ୍ୟକ୍ତି ବରାବର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଉଥିବାରୁ ଅନ୍ୟ ନେତାଙ୍କର ଚକ୍ଷୁଶୂଳ ହେଲେ । ପୁଣି ନେତାମାନେ ମନ୍ତ୍ରୀ ଦାୟିତ୍ୱରେ ରହିବାରୁ ସଂଗଠନ କାର୍ଯ୍ୟ ବାଧାପ୍ରାପ୍ତ ହେଲା । କ୍ଷମତାସୀନ ଓ କ୍ଷମତାହୀନ ଭାବରେ ଦୁଇ ଗୋଷ୍ଠୀ ଦେଖାଦେଲେ । ଏମାନଙ୍କ ଭିତରେ ମଝିରେ ମଝିରେ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ଲାଗି ଯାଉଥାଏ । ଏସବୁର ସମାଧାନ ନିମନ୍ତେ ନେହେରୁ ବାଟ ଖୋଜୁ ଥାଆନ୍ତି । ତତ୍କାଳୀନ ମାନ୍ଦ୍ରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ କାମରାଜ ନାଦର ଉପଲବ୍ଧି କଲେ ଯେ, "ସେ ଦିନକୁ ଦିନ ଲୋକଙ୍କ ପାଖରେ ଅପ୍ରିୟ ହୋଇ ଯାଉଛନ୍ତି । ସାଧାରଣ କଂଗ୍ରେସ ଲୋକେ ଗାଁ ଗହଳିକୁ ନଯାଇ ମନ୍ତ୍ରୀ ଓ ମୁଖିଆମାନଙ୍କ ଗହଣରେ ସହରରେ ରହି ନାନା ପ୍ରକାର ଦୁର୍ନୀତିରେ ଲିପ୍ତ ରହୁଛନ୍ତି ।"

ଫଳରେ କାମରାଜ ପଣ୍ଡିତ ଜବାହାର ଲାଲ ନେହେରୁଙ୍କୁ ପ୍ରସ୍ତବ ଦେଲେ ଯେ, ଏଇସବୁ କାରଣରୁ କଂଗ୍ରେସ ବଦନାମ ହେବାକୁ ଯାଉଛି । ଏଥିରେ କଂଗ୍ରେସର ବିପର୍ଯ୍ୟୟ ସୁନିଶ୍ଚିତ । ଏଣୁ କଂଗ୍ରେସକୁ ଶକ୍ତିଶାଳୀ ଏବଂ ଲୋକପ୍ରିୟ କରିବାକୁ ହେଲେ କେତେକ ନେତୃସ୍ଥାନୀୟ ବ୍ୟକ୍ତି ଯେଉଁମାନେ ବରାବର ରାଜ୍ୟ ବା କେନ୍ଦ୍ରରେ କ୍ଷମତାରେ ରହୁଛନ୍ତି, ସେମାନେ ନିଜ ନିଜ ମନ୍ତ୍ରୀ ପଦରୁ ଓହରି ଆସି ସଂଗଠନରେ ଅଂଶ ଗ୍ରହଣ କରନ୍ତୁ । ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ କାର୍ଯ୍ୟରେ ଲିପ୍ତ ହେବା ପାଇଁ ପ୍ରସ୍ତୁତ ଅଛି ।" ଏହା ହେଉଛି କାମରାଜ ପ୍ଳାନ୍‍ ।

ପଣ୍ଡିତ ନେହେରୁ କାମରାଜଙ୍କ ପ୍ଳାନ୍‍ ଶୁଣି ବହୁତ ଖୁସି ହେଲେ । ତାଙ୍କୁ ଉପାୟ ମିଳିଗଲା ବୋଲି ସେ ଭାବିଲେ । ଏହି କାମରାଜ ପ୍ଳାନ୍‍ ଚାରିଆଡେ଼ ପ୍ରଚାରିତ ହୋଇଗଲା । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ନେହେରୁଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ଲାଲ ବାହାଦୂର ଶାସ୍ତ୍ରୀ ପ୍ରଥମେ ଇସ୍ତଫା ଦେଲେ । ତା'ପରେ ଗୋଟି ଗୋଟି କରି ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଇସ୍ତଫା ପ୍ରଦାନ କଲେ । ଦେଶାଇ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ପଣ୍ଡିତ ନେହେରୁଙ୍କ ଇଚ୍ଛା ମୋରାରଜୀଙ୍କ ଭଳି ଆହୁରି ଅନେକ ନେତା ଇସ୍ତଫା ଦିଅନ୍ତୁ । ଏହି ଅବସରରେ ବିଜୟାନନ୍ଦ ପଟ୍ଟନାୟକ ଓଡ଼ିଶା

୧୫୨ . ଓଡ଼ିଶା ରାଜନୀତିର ଇତିହାସ