Jump to content

ପୃଷ୍ଠା:Odisha Rajanitira Itihasa.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ମନ୍ତ୍ରଣାରେ ଲାଗି ପଡ଼ିଲେ । ତାଙ୍କର ଏହି ଶୁଭେଚ୍ଛୁମାନଙ୍କ ଭିତରେ ଥିଲେ ଗଞ୍ଜାମର ଅନ୍ୟତମ ଶିକ୍ଷିତ ତ‌ଥା ସରକାରୀ କର୍ମଚାରୀ ନରସିଂହ ଦାସ । ରାଜା ନରସିଂହବାବୁଙ୍କୁ ଖୁବ୍‍ ଭଲ ପାଉଥିଲେ । ଅନେକ କଥାରେ ରାଜା ତାଙ୍କର ପରାମର୍ଶ ଲୋଡ଼ନ୍ତି । ଦିଲ୍ଲୀ ଯିବାର ସମସ୍ତ ଆୟୋଜନ ହେଲା । ଏଥିପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ଅଟକଳ ହେଲା । ଏତେଗୁଡ଼ିଏ ଟଙ୍କା ରାଜକୋଷରୁ ବ୍ୟୟ ହୋଇଯିବ ! ଏକା ନରସିଂହ ଦାସଙ୍କ ମନକୁ ପାଇଲା ନାହିଁ । କିନ୍ତୁ ସେ ରାଜାଙ୍କୁ ମୁହଁଖୋଲି କିଛି କହି ପାରିଲେ ନାହିଁ । କାଳେ ରାଜା ତାଙ୍କୁ ଖରାପ ଭାବିବେ । ତ‌ଥାପି ନରସିଂହ ଦାସେ ଓରଉଣ୍ଡି ନାନା ଭାବରେ ରାଜାଙ୍କ ସହ ଆଳାପ ଆଲୋଚନା ଓ ଯୁକ୍ତିତର୍କ କରି ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରୁ ରାଜାଙ୍କୁ ବିରତ କରି ଦେଲେ । ସେ ରାଜାଙ୍କୁ ବିନୟ ସହକାରେ ବୁଝାଇ ସୁଝାଇ କହିଲେ- "ତିରିଶ ହଜାର ଟଙ୍କା ଖର୍ଚ୍ଚ ହେବ; ଅଥଚ ଆପଣ ଯେଉଁ ଜମିଦାରକୁ ସେଇ ଜମିଦାର ହୋଇ ରହିବେ । ବରଂ ବିଭିନ୍ନ ପ୍ରଦେଶରେ ରହିିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାରେ ଏହି ଟଙ୍କାକୁ ବ୍ୟୟକଲେ ଓଡ଼ିଆ ଜାତିର ଲୁପ୍ତ ଗୌରବ ଉଦ୍ଧାର ହେବା ସଙ୍ଗେ ସଙ୍ଗେ ରାଜା ହରିହର ମର୍ଦ୍ଦରାଜ ଦେଓ ଙ୍କ ନାମ ଚିରଦିନ ପାଇଁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।"

ନରସିଂହ ଦାସଙ୍କ ଏହି ଯଥାର୍ଥ ଯୁକ୍ତି ରଜା ହରିହର ମର୍ଦ୍ଦରାଜ ଦେଓଙ୍କ ମନକୁ ବେଶ୍‍ ସ୍ପର୍ଶ କଲା । ତାଙ୍କ ମନରେ ଦେଖାଦେଲା ଘୋର ପରିବର୍ତ୍ତନ । ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ର କରିବାପାଇଁ ସେ ମନପ୍ରାଣ ଢାଳିଦେଲେ । ଦିଲ୍ଲୀ ଗସ୍ତକୁ ବାତିଲ୍ କରିଦେଲେ । ଦୈବଯୋଗକୁ ଏହି ସମୟରେ ବାମଣ୍ଡା ରାଜା ବାସୁଦେବ ସୁଢ଼ଳ ଦେବଙ୍କ ସହ ମନୋମାଳିନ୍ୟ ଘଟାଇ ଖଲିକୋଟଠାରେ ଆସି ପହଞ୍ଚିଥିଲେ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ସଂପାଦକ ନୀଳମଣି ବିଦ୍ୟାରତ୍ନ । ୧୯୦୨ ମସିହା ଏପ୍ରିଲ୍ ମାସରେ ରମ୍ଭା ରାଜପ୍ରାସାଦଠାରେ ଗଞ୍ଜାମ ସମ୍ମିଳନୀ ନାମରେ ଏକ ବିରାଟ ସଭାର ଆୟୋଜନ କରାଗଲା । ଉତ୍କଳର ବିଭିନ୍ନ ସ୍ଥାନର ନେତୃ ସ୍ଥାନୀୟ ବ୍ୟକ୍ତି ମାନଙ୍କୁ ଏହିସଭାରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଗଲା । ସେହି ସମୟରେ ମଧୁସୂଦନ ଥିଲେ କଲିକତାରେ । ଏହି ସମ୍ମିଳନୀରେ ଆସି ଯୋଗଦାନ କରିବା

୧୬ . ଓଡ଼ିଶା ରାଜନୀତିର ଇତିହାସ