ପୃଷ୍ଠା:Odisha Rajanitira Itihasa.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଘଟଣା ପରେ ପରେ ଓଡ଼ିଶା କଂଗ୍ରେସର ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଗଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଦୁର୍ନୀତି ସ-ର୍କରେ ପାର୍ଲାମେଣ୍ଟରେ ମଧ୍ୟ ଆଲୋଚନା ହେଲା । ଅନୁସନ୍ଧାନ କରିବାପାଇଁ କେନ୍ଦ୍ରର ଛ'ଜଣ ବରିଷ୍ଠମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଗଲା । ଏଥିରେ ରହିଲେ : ଏମ୍‍.ସି.ଚଗଲା - ଶିକ୍ଷାମନ୍ତ୍ରୀ, ଅଶୋକ ସେନ - ଆଇନ ମନ୍ତ୍ରୀ, ଟି.ଟି କୃଷ୍ଣମାଚାରୀ- ଅର୍ଥମନ୍ତ୍ରୀ, ଚୌହାନ- ଦେଶରକ୍ଷା ମନ୍ତ୍ରୀ, ସର୍ଦ୍ଦାର ସ୍ୱରଣ ସିଂହ- ବୈଦେଶିକ ବିଭାଗ ମନ୍ତ୍ରୀ ଓ ଗୁଲଜାରୀ ଲାଲ ନନ୍ଦା- ସ୍ୱରାଷ୍ଟ୍ର ମନ୍ତ୍ରୀ ।

ବୀରେନ୍‍ ମିତ୍ରଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଦୁଇ ଦୁଇଟି ଛାତ୍ର ଆନ୍ଦୋଳନ ଘଟିିଥିଲା । ସେହି ଛାତ୍ର ଆନ୍ଦୋଳନ ଦୁଇଟି ଭୟାବହ ରୂପ ନେଇଥିଲା ଏବଂ ଏହା ତାଙ୍କ ପତନର କାରଣ ହୋଇଥିଲା ।

୧୯୬୪ ମସିହା ସେପ୍ଟେମ୍ବର ଦୁଇ ତାରିଖ । କଟକରୁ ଭୁବନେଶ୍ୱର ଆସୁଥିଲେ ଜଣେ କୃଷି ମହାବିଦ୍ୟାଳୟର ଛାତ୍ର ଓ.ଆର.ଟି ବସ୍‍ରେ । ପଇସା ଦିଆନିଆକୁ କେନ୍ଦ୍ର କରି ଛାତ୍ର ଓ ବସ୍‍ କଣ୍ଡବ୍ଧରଙ୍କ ଭିତରେ ବଚସା ପରେ ଧସ୍ତାଧସ୍ତି ହେଲା । ଛାତ୍ର ଜଣକ ଆଘାତ ପାଇଲେ । ଫଳରେ ସେ କ୍ୟାପିଟାଲ ଥାନାରେ ଏକ ଏତଲା ଦେଲେ କଣ୍ଡକ୍ଟରଙ୍କ ନାଁରେ । କଣ୍ଡକ୍ଟର ଗିରଫ ହୋଇ ହାଜତରେ ରହିଲେ । କଥାଟି ଏଇଠି ସରିଗଲା ନାହିିଁ । ଖରାବେଳେ କୃଷି ମହାବିଦ୍ୟାଳୟ ଓ ବିଜେବି କଲେଜର ଛାତ୍ରମାନେ ଶୋଭାଯାତ୍ରାରେ ଆସି ଥାନା ପାଖରେ ପହଞ୍ଚିଲେ । ଗିରଫ କଣ୍ଡକ୍ଟରଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ପାଟିକଲେ । ହେଲେ କଣ୍ଡକ୍ଟରଙ୍କୁ ପିଲାଙ୍କ ହାତରେ ଛାଡି ଦେଲେ କଣ୍ଡକ୍ଟରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ଭାବି ପୋଲିସ୍‍ ନାରାଜ ହେଲେ । ଫଳରେ ପିଲାମାନେ ସେଠାରୁ ଓଡ଼ିଶା ବିଧାନସଭା ଆଡକୁ ମାଡିଚାଲିଲେ । ସେମାନେ ଗେଟ୍‍ ଭାଙ୍ଗି ବିଧାନସଭା ହତା ଭିତରେ ପଶିଲେ । କାରଣ ସେଠାରେ ସ୍ୱଳ୍ପ ସଂଖ୍ୟକ ପୋଲିସ୍‍ କର୍ମଚାରୀ ଥିଲେ । ପୁରୀ ଜିଲ୍ଲା ପୋଲିସ୍‍ ଅଧୀକ୍ଷକ ଗୋବିନ୍ଦ ସେନାପତି ଓ ଆଇ.ଜି ଶ୍ରୀକାନ୍ତ ଘୋଷ ଘଟଣା ସ୍ଥଳରେ ଆସି ପହଞ୍ଚିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୋଲିସ୍‍କୁ ନିବେଦନ କଲେ । ପୋଲିସ ନିଷ୍କ୍ରିୟ ହୋଇ ଯିବାରୁ ଛାତ୍ରମାନେ ବିଧାନସଭା ଗୃହରେ ପ୍ରବେଶ କରିଗଲେ । ବିଧାନସଭା ଚାଲିଥାଏ । ଛାତ୍ରମାନେ ବିଧାନସଭାରେ ନାନା ଉପଦ୍ରବ କରି ଭଙ୍ଗାରୁଜା କଲେ । ଟେକା ମାରି ବିଧାନସଭାର ଝରକା ଆଦି ଭାଙ୍ଗିଦେଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍‍ ନିଷ୍କ୍ରିୟ ରହିଲା । ଅନୁତପ୍ତ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଦେଲେ ।

ନିଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଅତୁଲ୍ୟ ଘୋଷ ପର୍ଯ୍ୟବେକ୍ଷକ ଭାବରେ ଆସି ବୀରେନ୍‍ ମିତ୍ରଙ୍କୁ ବୁଝାସୁଝା କଲେ । ପରିସ୍ଥିତି ସ-ର୍କରେ ଅନୁଧ୍ୟାନ କଲେ । ଫଳରେ ବୀରେନ୍‍ ମିତ୍ର ନିଜର ଇସ୍ତଫା ପ୍ରତ୍ୟାହାର କରିନେଲେ ।

୧୬୨ . ଓଡ଼ିଶା ରାଜନୀତିର ଇତିହାସ