ପୃଷ୍ଠା:Odisha Rajanitira Itihasa.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୁବନେଶ୍ୱର ଛାତ୍ର ଆନ୍ଦୋଳନ ପରେ କଟକ ସହରରୁ ଆଉ ଗୋଟିଏ ଛାତ୍ର ଆନ୍ଦୋଳନ ମୁଣ୍ଡଟେକିଲା । ଏହା ଐତିହାସିକ ଛାତ୍ରଆନ୍ଦୋଳନ ଭାବରେ ଖୁବ୍‍ ଜଣାଶୁଣା । କାରଣ ଏହି ଛାତ୍ର ଆନ୍ଦୋଳନ କଟକରୁ ଆରମ୍ଭ ହୋଇ ସାରା ଓଡ଼ିଶାକୁ ବ୍ୟାପି ଯାଇଥିଲା । ଗୋଟିଏ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଏହି ଆନ୍ଦୋଳନ ବିରାଟ ରୂପ ନେଇଥିଲା ।

୧୯୬୪ ମସିହା ସେପ୍ଟେମ୍ବର ୨୬ ତାରିଖ ସଂଧ୍ୟା । କଟକ ଇଞ୍ଜିନିୟରିଂ ସ୍କୁଲର ଜଣେ ଛାତ୍ର ଗୋଟିଏ ପୁରୁଣା ଟ୍ରାଞ୍ଜିଷ୍ଟର ଷ୍ଟେସନବଜାରର ଗୋଟିଏ ରେଡିଓ ଦୋକାନରେ ମରାମତି କରାଇଥିଲେ । ମାତ୍ର ତାକୁ ତା'ର ପ୍ରାପ୍ୟ ଦେଇ ନଥିଲେ । ଦିନେ ସେହି ଛାତ୍ର ଷ୍ଟେସନବଜାରର ଗୋଟିଏ ସେଲୁନ୍‍ରେ ବାଳ କାଟୁଥିବା ସମୟରେ ରେଡିଓ ଦୋକାନୀ ଛାତ୍ରଙ୍କୁ ନିଜ ଦେକାନକୁ ଟାଣି ଟାଣି ଆଣିିଥିଲେ । ଫଳରେ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ସେହି ଛାତ୍ରଙ୍କ ନାମ ଶଶଧର ଦାସ । ସେ ରହୁଥିଲେ ରେଳବାଇ ହଷ୍ଟେଲରେ । ଶଶଧର ଆସି ସାଙ୍ଗମାନଙ୍କୁ ଏକଥା କହିଲେ ।

ସନ୍ଧ୍ୟାବେଳେ କିଛି ଛାତ୍ର ସେହି ରେଡିଓ ଦୋକାନରେ ପହଞ୍ଚି ଲୁଟପାଟ ଆରମ୍ଭ କରିଦେଲେ । ସେମାନଙ୍କ ସହ ରେଭେନ୍‍ସା କଲେଜର କିଛି ଛାତ୍ର ମଧ୍ୟ ଯୋଗଦେଲେ । ଏହି ଗଣ୍ଡଗୋଳର ମଉକା ଦେଖି କେତେକ ଅସାମାଜିକ ଲୋକ ମଧ୍ୟ ଏଥିରୁ ଫାଇଦା ଉଠାଇଥିଲେ । ଗଣ୍ଡଗୋଳ ଭୀଷଣ ରୂପନେଲା । ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ସେଠାରେ ପହଞ୍ଚିିଥିଲେ । ପିଲାମାନେ ପୋଲିସକୁ ଟେକା ମାରିଲେ । ପୋଲିସ ଓ ଛାତ୍ରମାନଙ୍କ ଭିତରେ ଘମାଘୋଟ ଲଢେ଼ଇ ହେଲା । ପାଖରେ ଥିବା ମଧୁସୂଦନ ଲ' କଲେଜର ଛାତ୍ରମାନେ ମଧ୍ୟ ଏଥିରେ ସହଯୋଗ କଲେ । କେତେକ ଛାତ୍ର ଗିରଫ ହେଲେ ।

କ୍ରମେ ଏହି ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ୟାପିଲା । କଟକ ମେଡିକାଲ କଲେଜର ଛାତ୍ରମାନେ ଏଥିରେ ପୂର୍ଣ୍ଣ ସହଯୋଗ କଲେ । ପ୍ରତିଦିନ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ କଟକ କଲେକ୍ଟରେଟରେ ପହଞ୍ଚି ସଭା କରୁଥିଲେ । ଛାତ୍ରଛାତ୍ରୀମାନେ ରାସ୍ତାରେ ଶୋଭାଯାତ୍ରାରେ ଗଲାବେଳେ ବିଜୁ-ବୀରେନ୍‍ କେଉଁଠି ? ମଦବୋତଲ ଯେଉଁଠି ବୋଲି ଧ୍ୱନି ଦେଉଥିଲେ । କଟକ ଜିଲ୍ଲାପାଳଙ୍କ ଅଫିସ୍‍ ଉପରକୁ ଉଠିଯାଇ ଛାତ୍ରମାନେ ଜାତୀୟ ପତାକାକୁ କାଢ଼ି ସେଠାରେ କଳା ପତାକା ଉଡାଇଲେ । ପଦ୍ମନାଭ ମିଶ୍ର କଲେକ୍ଟର ଥାଆନ୍ତି । ପିଲାମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥାନ୍ତି । ଛାତ୍ରଆନ୍ଦୋଳନ ଥମିଲା ନାହିଁ, ବରଂ ଦିନକୁ ଦିନ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା । ପ୍ରତ୍ୟେକ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ସରକାରୀ ଅଫିସମାନଙ୍କରେ କଳାପତାକା ଉଡାଇଲେ । ବିଭିନ୍ନ ଦାବି ନେଇ ଛାତ୍ରମାନେ ଆନ୍ଦୋଳନକୁ ଜୋରଦାର କଲେ । ଜଗତସିଂହପୁର, ଯାଜପୁର, ବ୍ରହ୍ମପୁରରେ ପୋଲିସ ଗୁଳିମାଡରେ ଜଣେ ଲେଖାଏଁ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହେଲା । ବାଙ୍କୀ, ଭବାନୀପାଟଣା ଓ ଭୁବନେଶ୍ୱର ଆଦି ସହରରେ ପୁଲିସଗୁଳିରେ ଆନ୍ଦୋଳନକାରୀମାନେ ଆହତ ହେଲେ ।

ଓଡ଼ିଶା ରାଜନୀତିର ଇତିହାସ . ୧୬୩