ପୃଷ୍ଠା:Odisha Rajanitira Itihasa.pdf/୧୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଟାଦଶ ପରିଚ୍ଛେଦ
ଚତୁର୍ଥ ସାଧାରଣ ନିର୍ବାଚନ ଓ
ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ

ଡକ୍ଟର ହରେକୃଷ୍ଣ ମହତାବ, ପବିତ୍ର ମୋହନ ପ୍ରଧାନ, ବନମାଳୀ ପଟ୍ଟନାୟକ, ମନମୋହନ ଟୁଡୁ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ ଓ ସୁନାରାମ ସୋରେନ ଆଦି କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ କଂଗ୍ରେସ ଦଳ ତ୍ୟାଗ କରି ୧୯୬୫ ମସିହା ମଇ ମାସ ୫ ତାରିଖରେ ଓଡ଼ିଶା ଜନକଂଗ୍ରେସ ନାମରେ ଏକ ନୂତନ ଆଞ୍ଚଳିକ ରାଜନୈତିକ ଦଳ ପ୍ରତିଷ୍ଠା କଲେ । ପବିତ୍ର ମୋହନ ପ୍ରଧାନ ହେଲେ ଏହି ଦଳର ସଭାପତି । ସେହି ବର୍ଷ ନଭେମ୍ବର ୨୬ ତାରିଖ ଦିନ ଭୁବନେଶ୍ୱରର କେଦାରଗୌରୀଠାରେ ଦଳର ଏକ ସମ୍ମିଳନୀ ଅନୁଷ୍ଠିତ ହେଲା । ଏହି ସମ୍ମିଳନୀରେ ଦଳର ଲକ୍ଷ୍ୟ, ଉଦ୍ଦେଶ୍ୟ, ନୀତି ଓ କାର୍ଯ୍ୟକ୍ରମମାନ ସ୍ଥିର କରାହେଲା । କାରଣ ଆଗକୁ ଥାଏ ସାଧାରଣ ନିର୍ବାଚନ । ଦଳ କିପରି ସଫଳତା ଲାଭ କରିବ ସେଥିପାଇଁ ମଧ୍ୟ ନୀତିନିର୍ଦ୍ଧାରଣ କରାଗଲା । ଦଳର ଦର୍ଶନ ହେଲା, ଗାନ୍ଧୀ-ଦର୍ଶନ, ନୀତି ହେଲା ଗାନ୍ଧୀ-ନୀତି, ଓ ଲକ୍ଷ୍ୟ ହେଲା ଗାନ୍ଧୀ ଦର୍ଶନର ଲକ୍ଷ୍ୟ । (ମୁକ୍ତିପଥେ ସୈନିକ- ପବିତ୍ର ମୋହନ ପ୍ରଧାନ)

ଓଡ଼ିଶା ବିଧାନ ସଭା ଓ ଲୋକସଭାପାଇଁ ସାଧାରଣ ନିର୍ବାଚନ ୧୯୬୭ ମସିହା ଫେବ୍ରୁଆରି ୨୧ ତାରିଖରେ ଗୋଟିଏ ଦିନରେ ସମାପ୍ତ ହେବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । କ୍ଷମତା ହାସଲ ପାଇଁ ଏହି ନବଗଠିତ 'ଜନକଂଗ୍ରେସ ଦଳ' ସ୍ୱତନ୍ତ୍ର ଦଳ ସହ ମେଣ୍ଟ କଲା । ଓଡ଼ିଶାର 'ଗଣତନ୍ତ୍ର ପରିଷଦ' ସେତେବେଳକୁ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ପ୍ରତଷ୍ଠିତ ଜାତୀୟ ଦଳ, ସ୍ୱତନ୍ତ୍ରପାର୍ଟି ସହ ମିଶି ଯାଇଥାଏ । ଏହି ନିର୍ବାଚନରେ ସମୁଦାୟ ୬୦୩ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ସମସ୍ତ ୧୪୦ଟି ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନରେ ପ୍ରାର୍ଥୀ ଠିଆ କରାଇଲା । ସ୍ୱତନ୍ତ୍ର ଓ ଜନକଂଗ୍ରେସ ଦଳ ବୁଝାମଣା ଭିତ୍ତିରେ ଯଥାକ୍ରମେ ୧୦୧ ଓ ୪୯

୧୬୮ . ଓଡ଼ିଶା ରାଜନୀତିର ଇତିହାସ