ପୃଷ୍ଠା:Odisha Rajanitira Itihasa.pdf/୧୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣ ପ୍ରାର୍ଥୀ ଠିଆ କରାଇଲେ । ଏହା ବ୍ୟତୀତ ପ୍ରଜା ସମାଜବାଦୀ, ସଂଯୁକ୍ତ ସମାଜବାଦୀ ଦଳ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ବିଭିନ୍ନ ଆସନରେ ପ୍ରାର୍ଥୀ ଠିଆ କରାଇଲେ । ଉଲ୍ଲେଖନୀୟ କଥା ହେଲା, ୨୧୧ ଜଣ ସ୍ୱାଧୀନ ପ୍ରାର୍ଥୀ ବିଭନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କଲେ । ସେଥିରୁ ମାତ୍ର ୩ଜଣ ଜୟଯୁକ୍ତ ହେଲେ । ସେହିପରି ଜନସଂଘ ଦଳ ପ୍ରଥମ କରି ୧୨ଜଣ ପ୍ରାର୍ଥୀ ଠିଆ କରାଇ ଗୋଟିଏ ହେଲେ ଆସନ ପାଇଲା ନାହିିଁ ।

ନିର୍ବାଚନ ପ୍ରଚାର ସଭାରେ ଇନ୍ଦିରାଙ୍କ ନାକ ଫାଟିଲା :

ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ନିର୍ବାଚନ ପ୍ରଚାରପାଇଁ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓଡ଼ିଶା ଆସିଲେ । କାରଣ ସେତେବେଳକୁ ଓଡ଼ିଶାରେ କଂଗ୍ରେସ ବିରୋଧୀ ହାଓ୍ୱା ପ୍ରବଳ ବେଗରେ ବୋହୁଥାଏ । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ସଭା ଭୁବନେଶ୍ୱର ପ୍ୟାରେଡ ପଡିଆରେ ଆୟୋଜନ କରାଗଲା । ଏହି ପ୍ୟାରେଡ ପଡିଆଟି ବର୍ତ୍ତମାନ ଇନ୍ଦିରାଗାନ୍ଧୀ ପାର୍କ ନାମରେ ଜଣାଶୁଣା । ସେଦିନଟି ଥିଲା ୧୯୬୭ ମସିହା ଫେବ୍ରୁଆରି ମାସ ୮ ତାରିଖ । ଇନ୍ଦିରା ଗାନ୍ଧୀଙ୍କ ସମେତ ସଭାମଞ୍ଚରେ ବସିଥାଆନ୍ତି କଂଗ୍ରେସ ନେତା ବିଜୁ ପଟ୍ଟନାୟକ, ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ପାଣିଗ୍ରାହୀ ଓ ବିଧାନସଭା କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରିୟ ମହାନ୍ତି । ସଭା ଆରମ୍ଭରେ ହଠାତ୍‍ କେତେଜଣ ଯୁବକ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଲେ ଯେତେବେଳେ କି ଇନ୍ଦିରା ଗାନ୍ଧୀ ଭାଷଣ ଦେବାକୁ ଆରମ୍ଭ କଲେ । ତା'ପରେ ମଞ୍ଚ ଉପରକୁ ଚାଲିଲା ଢେଲାମାଡ । ତ‌ଥାପି ବି ଇନ୍ଦିରା ଗାନ୍ଧୀ ଭାଷଣ ଦେଉଥାଆନ୍ତି । 'ମୋତେ କହିବାରୁ ନିବୃତ୍ତ କରିପାରିବେ ନାହିିଁ ବୋଲି ଇନ୍ଦିରା ଗାନ୍ଧୀ ସ୍ପଷ୍ଟ ଭାବରେ କହୁଥାଆନ୍ତି । ଶେଷରେ ଢେଲାମାଡରେ ତାଙ୍କର ନାକ ଫାଟିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଜ ଭବନକୁ ନିଆଗଲା । ସେଠାରେ ତାଙ୍କର ଚିକିତ୍ସା କରାଗଲା । ଏହି ଢେଲାମାଡ଼ରେ ମଞ୍ଚରେ ଥିବା ଅନ୍ୟ ସମସ୍ତେ ମଧ୍ୟ ଆହତ ହୋଇଥିଲେ ।

ଏହି ନିର୍ବାଚନରେ ପ୍ରଚାର ପାଇଁ ସ୍ୱତନ୍ତ୍ର ଦଳର ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ମିନୁ ମସାନୀ ଓ ପ୍ରଫେସର ରଙ୍ଗା ଆଦି ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ଆସିଥିଲେ । ନିର୍ବାଚନ ସରିଲ। । କଂଗ୍ରେସ ଦଳର ଶୋଚନୀୟ ପରାଜୟ ଘଟିଲା । କଂଗ୍ରେସ ପାଇଲା ମାତ୍ର ୩୧ଟି ଆସନ । ପୂର୍ବରୁ ଥିଲା କଂଗ୍ରେସର ୮୨ଟି

ଓଡ଼ିଶା ରାଜନୀତିର ଇତିହାସ . ୧୬୯