ପୃଷ୍ଠା:Odisha Rajanitira Itihasa.pdf/୧୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ନିର୍ବାଚନରେ ଓଡିଶା ବିଧାନସଭା ପାଇଁ ମୋଟ ୮୩୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ସେମାନଙ୍କ ମଧ୍ୟରେ ଭାରତୀୟ ଜାତୀୟକଂଗ୍ରେସ (ଜଗଜ୍ଜୀବନ ରାମ) ୧୩୯, କଂଗ୍ରେସ (ନିଜ ଲିଙ୍ଗପା)-୫୦, ଉତ୍କଳ କଂଗ୍ରେସ-୧୩୭, ସ୍ୱତନ୍ତ୍ରଦଳ-୧୧୫, ପ୍ରଜା ସମାଜବାଦୀ ଦଳ-୪୯, ଭାରତୀୟ ଜନସଂଘ- ୨୧, ଝାଡଖଣ୍ଡ ଦଳ-୨୬, ଫରୱାର୍ଡ ବ୍ଲକ-୪, ଜନକଂଗ୍ରେସ-୬୬, ଓ ସ୍ୱାଧୀନ-୧୮୭ ।

ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ କଂଗ୍ରେସ (ଜଗଜ୍ଜୀବନ)-୫୧, କଂଗ୍ରେସ (ନିଜଲିଙ୍ଗପା)-୧, ସ୍ୱତନ୍ତ୍ର ପାର୍ଟି-୩୬, ଉତ୍କଳ କଂଗ୍ରେସ-୩୩, ପ୍ରଜା ସମାଜବାଦୀ ଦଳ-୪, ଭାରତୀୟ କମ୍ୟୁନିଷ୍ଟ ଦଳ-୨, ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ-୨, ଜନକଂଗ୍ରେସ-୧, ଝାଡଖଣ୍ଡ-୪, ଓ ସ୍ୱାଧୀନ ପ୍ରାର୍ଥୀମାନେ-୪ ଗୋଟି ଆସନ ଲାଭ କରିଥିଲେ । ଏହି ନିର୍ବାଚିତ ସଦସ୍ୟମାନେ ୧୯୭୧ ମସିହା ଏପ୍ରିଲ-୯ ଓ ୧୦ ତାରିଖରେ ଶପଥ ଗ୍ରହଣ କରିଥିଲେ ।

ବିଶେଷ ଘଟଣା:

ଏହି ନିର୍ବାଚନରେ ୯ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଜଣେ ହେଲେ ନିର୍ବାଚିତ ହୋଇପାରିଲେ ନାହିଁ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍କଳ-କଂଗ୍ରେସର ପ୍ରାଣପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ଭଂଜନଗର, ଖୋର୍ଦ୍ଧା, ଭୁବନେଶ୍ୱର, ଚୌଦ୍ବାର ଓ ଭଂଜନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି କୌଣସି ଗୋଟିଏ ସ୍ଥାନରୁ ବି ବିଜୟୀ ହୋଇପାରିଲେ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର କଟକ ବିଧାନସଭା ଓ କଟକ ଲୋକସଭା ଆସନରୁ ଉତ୍କଳକଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଦୁଇଟି ଯାକ ଆସନରୁ ପରାଜିତ ହେଲେ । ପୂର୍ବ ନିର୍ବାଚନରେ 'ନିର୍ବାଚନ ବୀର' ଆଖ୍ୟା ଲାଭ କରିଥିବା ତଥା ଜନକଂଗ୍ରେସ ଦଳର ପ୍ରାଣପ୍ରତିଷ୍ଠାତା ପବିତ୍ର ମୋହନ ପ୍ରଧାନ ନିର୍ବାଚନରେ ହାରିଗଲେ । ତାଙ୍କ ଦଳ ୬୬ ଆସନରେ ପ୍ରାର୍ଥୀ ଠିଆ କରାଇଥିଲେ ମଧ୍ୟ ମାତ୍ର ଗୋଟିଏ ଆସନରେ ଜୟଯୁକ୍ତ ହେଲେ । ଭାରତୀୟ ଜାତୀୟ କଂଗ୍ରେସ (ଜଗଜ୍ଜୀବନ ରାମ) ଦଳ ତରଫରୁ ଡକ୍ଟର ହରେକୃଷ୍ଣ ମହତାବ ଭଦ୍ରକ ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଜୟଲାଭ କରି ଭଦ୍ରକ ଆସନଟି ଛାଡି ଦେଲେ । ଉତ୍କଳ କଂଗ୍ରେସ ପ୍ରାର୍ଥୀ ପ୍ରହ୍ଲାଦ ମଲ୍ଲିକ ରାଜନଗର ଓ ପଟ୍ଟାମୁଣ୍ଡାଇ ଆସନରୁ ନିର୍ବାଚନ ଜିଣି ରାଜନଗର ଆସନଟିକୁ ଛାଡିଦେଲେ । କଂଗ୍ରେସ (ଜ) ପ୍ରାର୍ଥୀ ଶ୍ୟାମସୁନ୍ଦର ମହାପାତ୍ର ବାଲେଶ୍ୱର ଲୋକସଭା ଆସନ ଓ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଜିଣି ରାଉରକେଲା ବିଧାନସଭା ଆସନଟିକୁ ଛାଡିଦେଲେ । ସେହିପରି ସ୍ୱତନ୍ତ୍ରଦଳର ବୀର କିଶୋର ଦେଓ ରାଜ୍ୟସଭା ସଦସ୍ୟ ଥାଇ କଳାହାଣ୍ଡି ଜିଲ୍ଲାର କୋଲସରା ବିଧାନସଭା ଆସନରୁ ନିର୍ବାଚନ ଜିତି ଥିଲେ । ସେ ରାଜ୍ୟସଭା ସଭ୍ଯ ପଦକୁ ରଖି ଲୋକସଭା ଓ ବିଧାନସଭା ଆସନକୁ ଛାଡିଦେଲେ । ଭଦ୍ରକ, ରାଜନଗର, ରାଉରକେଲା ଓ

ଓଡ଼ିଶା ରାଜନୀତିର ଇତିହାସ . ୧୮୧