Jump to content

ପୃଷ୍ଠା:Odisha Rajanitira Itihasa.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ୋନେଲ୍‍ କମିିଟି :

୧୯୩୧ ମସିହା ଜାନୁଆରି ୧୬ ତାରିଖରେ ଲଣ୍ଡନଠାରେ ପ୍ରଥମ ଗୋଲ୍‍ଟେବୁଲ୍‍ ବୈଠକ ଅନୁଷ୍ଠିତ ହୋଇ ଭାରତର ଶାସନ ସଂସ୍କାର ସଂପର୍କରେ ଆଲୋଚନା କରିବାପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେଓ ଏିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କଲେ । କୁଳବୃଦ୍ଧ ସେତେବେଳେ କଠିନ ବ୍ୟାଧିରେ ପୀଡ଼ିତ ହୋଇ ଥାଆନ୍ତି ଶଯ୍ୟାଶାୟୀ । ପାରଳା ମହାରାଜାଙ୍କ ସ୍ମାରକପତ୍ରକୁ ବିଚାର କରି ଭାରତ ସରକାରଙ୍କ ତରଫରୁ "ଓଡ଼ୋନେଲ୍‍ କମିଟି' ଗଠନ କରାଗଲା ୧୯୩୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବିତ ଓଡ଼ିଶାର ସୀମାନିର୍ଦ୍ଧାରଣ ପାଇଁ । ସାର୍‍ ଏସ୍‍. ଓଡ଼୍‍ନେଲ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରହିଲେ ଆଉ ଦୁଇଜଣ ସଦସ୍ୟ । ସେମାନେ ହେଲେ ବମ୍ବେର ଏଚ୍‍. ଏମ୍‍. ମେହେଟ୍ଟା ଓ ଆସାମର ତରୁଣରାମ ଫୁକନ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓଡ଼ିଶା ପକ୍ଷରୁ, ସଚ୍ଚିଦାନନ୍ଦ ସିଂହ ବିହାର ପକ୍ଷରୁ ଓ ଆନ୍ଧ୍ର ପକ୍ଷରୁ ତେଲ୍‍ଗୁ ଭାଷାଭାଷୀଙ୍କ ସ୍ୱାର୍ଥରକ୍ଷାପାଇଁ ସି.ଭି.ଏସ୍‍ ନରସିଂହ ରାଜୁ ଏହି କମିଟିରେ ରହିଲେ ସହଯୋଗୀ ବା ଆସୋସିଏଟ୍‍ ମେମ୍ବର ଭାବରେ ନିଯୁକ୍ତି ପାଇ ।

ଓଡ଼ୋନେଲ୍‍ କମିଟି ଓଡ଼ିଶା ପ୍ରତି ସୁବିଚାର କଲେ ନାହିଁ । ବିହାରର ସିଂହଭୂମ ସଦର ଓ ମଧ୍ୟପ୍ରଦେଶର ବିଳାସପୁର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମେତ ଦକ୍ଷିଣରେ ଥିବା ଜୟପୁର ଜମିଦାରୀ ଓ ପାରଳାଖେମୁଣ୍ଡି ଜମିଦାରୀକୁ ଓଡ଼ିଶାରୁ ବାଦ ଦେଲେ । କିନ୍ତୁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ଏହି ଅନ୍ୟାୟର ପୁନର୍ବିଚାର କରି ଜୟପର ଜମିଦାରୀ ସମେତ ପାରଳାଖେମୁଣ୍ଡି ଜମିଦାରୀର ଜଳନ୍ତର, ମାଳିଆ, ପାରଳାଖେମୁଣ୍ଡି ସହର ଓ ପାରଳାଖେମୁଣ୍ଡିର କିଛି ଅଂଶ ଓଡ଼ିଶାକୁ ପ୍ରଦାନ କଲେ । ଏହିପରି ଭାବରେ ଓଡ଼ିଶାର ସୀମାସରହଦ ସ୍ଥିର ହେବା ପରେ ୧୯୩୬ ମସିହା ଜାନୁଆରି ଏକ ତାରିଖରେ ବ୍ରିଟିଶ୍‍ ପାର୍ଲିିଆମେଣ୍ଟରେ ଗଭର୍ଣ୍ଣମେଣ୍ଟ ଅଫ୍‍ ଇଣ୍ଡିଆ ଅର୍ଡ଼ର (କନ୍‍ଷ୍ଟିଚ୍ୟୁସନ ଅଫ୍‍ ଓଡ଼ିଶା) ବିଲ୍‍ ଗୃହୀତ ହେଲା । ଏହି ନିର୍ଦ୍ଦେଶନାମା (ଅର୍ଡ଼ର) ବି୍ରଟେନ୍‍ ଓ ଭାରତରେ ପ୍ରକାଶ ପାଇଲା । ୧୯୩୬ ଏପ୍ରିଲ୍‍ ପହିଲାରେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠିତ ହେଲା । ସେହିବର୍ଷ ଏପ୍ରିଲ୍‍ ପହିଲା ଦିନ ବ୍ରିଟିଶ୍‍ ସରକାର ସାଂପ୍ରଦାୟିକ ଭାରସାମ୍ୟ ରକ୍ଷା କରିବା ନୀତିରେ ମୁସଲମାନ ଜନସଂଖ୍ୟା ବହୁଳ ସିନ୍ଧୁପ୍ରଦେଶ ଗଠନ କଲେ । ସେହି ପ୍ରଦେଶଟି ବର୍ତ୍ତମାନ ପାକ୍ତିସ୍ତାନ ଅନ୍ତର୍ଭୁକ୍ତ ।

ନୂତନ ଓଡ଼ିଶା ପ୍ରଦେଶ ଓ ସିନ୍ଧୁପ୍ରଦେଶ ନିମନ୍ତେ ଦୁଇଜଣ ଗଭର୍ଣ୍ଣରଙ୍କ ନିଯୁକ୍ତିକୁ ଭାରତ ସମ୍ରାଟ ଅନୁମୋଦନ କଲେ । ସେମାନେ ହେଲେ ମିଷ୍ଟର ଜନ୍‍ ଅଷ୍ଟେନ୍‍ ହବାକ୍‍ ସି.ଏସ୍‍.ଆଇ. ଓଡ଼ିଶା ପାଇଁ ଓ ସାର୍‍ ଲାନ୍‍ସଲଟ୍‍ ଗ୍ରାହାମ୍‍, କେ.ଇ.ଆଇ.ଇ; ଆଇ.ସି.ଏସ୍‍ ସିନ୍ଧୁପ୍ରଦେଶ ନିମନ୍ତେ ।

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା । ସମ୍ବଲପୁର, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ ଓ କୋରାପୁଟ ନାମରେ ଛ'ଟି ଜିଲ୍ଲା ରହିଲା । ପୂର୍ବରୁ ଅନୁଗୁଳ ଓ କନ୍ଧମାଳମିଶି ଅନୁଗୁଳ ବୋଲି ଗୋଟିଏ ଜିଲ୍ଲା ଥିଲା । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଅନୁଗୁଳ ଜିଲ୍ଲାକୁ ଭାଙ୍ଗିଦେଇ ଅନୁଗୁଳ ଅଂଶକୁ କଟକ ଜିଲ୍ଲାର ଏକ ସବ୍‍ ଡିଭିଜନ ଭାବରେ ରଖାଗଲା । କନ୍ଧମାଳକୁ ଗଞ୍ଜାମ ଜିଲ୍ଲା ଅଧୀନକୁ ନିଆଗଲା ।

୨୦ . ଓଡ଼ିଶା ରାଜନୀତିର ଇତିହାସ