Jump to content

ପୃଷ୍ଠା:Odisha Rajanitira Itihasa.pdf/୨୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେ । ଫଳରେ ୧୯୮୦ ମସିହା ଫେବ୍ରୁଆରି ୧୭ତାରିଖରେ ଓଡ଼ିଶାର ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରାଯାଇ ବିଧାନସଭାକୁ ଭାଙ୍ଗି ଦିଆଗଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଏହାର ମାତ୍ର ଅଳ୍ପଦିନ ପୂର୍ବରୁ ଓଡ଼ିଶାର ଶାସନ କ୍ଷମତାରେ ଥିବା ଜନତାଦଳ ୧୯୮୦ ମସିହା ଫେବ୍ରୁଆରି ମାସ ୧୩ ତାରିଖରେ ଲୋକଦଳ ଭାବରେ ନାମିତ ହୋଇଯାଇଥିଲା । ଫଳରେ ଜନତା (ଓ) ଦଳର ବିଧାୟକମାନେ ସେହିଦିନ ଅନନ୍ତ ନାରାୟଣ ସିଂହଦେଓଙ୍କୁ ଦଳର ନେତା ଭାବରେ ଘୋଷଣା କଲେ ଓ ସିଂହଦେଓ ହେଲେ ପ୍ରହ୍ଲାଦ ମଲ୍ଲିକଙ୍କ ସ୍ଥାନରେ ବିରୋଧୀ ଦଳର ନେତା ।

ଏହି ସପ୍ତମ ବିଧାନ ସଭାର ମୋଟ ସାତଗୋଟି ଅଧିବେଶନ ବସି ୧୨୧ଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବିଧାନସଭା କାଳରେ କେତେକ ଉଲ୍ଲେଖନୀୟ ଘଟଣା :

ଭାରତୀୟ ଜାତୀୟ କଂଗ୍ରେସ ଓ ଜନତା ଦଳର ଦୁଇ ଦୁଇଥର ବିଭାଜନ ପରେ ଓଡ଼ିଶା ବିଧାନସଭାରେ ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିରୋଧୀ ଦଳ ନେତା ପଦବୀରେ ବିଭିନ୍ନ ସମୟରେ ଦେଖିବାକୁ ମିଳିିଥିଲା । ସେମାନେ ହେଲେ ଚିନ୍ତାମଣି ପାଣିଗ୍ରାହୀ, ବୃନ୍ଦାବନ ନାୟକ, ପ୍ରହ୍ଲାଦ ମଲ୍ଲିକ ଓ ଅନନ୍ତ ନାରାୟଣ ସିଂହଦେଓ ।

ନୀଳମଣି ରାଉତରାୟଙ୍କର ମନ୍ତ୍ରିମଣ୍ଡଳ ୧୯୭୭ ମସିହାରେ ଶପଥ ଗ୍ରହଣ କରିବା ପରେ ଜଗନ୍ନାଙ୍କ ରଯାତ୍ରାରେ ବିଭ୍ରାଟ ଦେଖା ଦେଇଥିଲା । ୧୯୭୭ ମସିହାରେ ଜଗନ୍ନାଥଙ୍କ ନବକଳେବର ଉତ୍ସବ ଅନୁଷ୍ଠିତ ହେଲା । ହେଲେ ନିର୍ଦ୍ଦିଷ୍ଟ ସମୟରେ ଠାକୁରମାନଙ୍କ ନୀତିକାନ୍ତି ସମ୍ପନ୍ନ ହୋଇପାରିଲା ନାହିିଁ । ଫଳରେ ଶ୍ରୀଗୁଣ୍ଡିଚା ତିିଥିରେ ରଥ ଟଣା ସମ୍ଭବ ହୋଇପାରିଲା ନାହିିଁ । କେବଳ ବିଧି ରକ୍ଷା ନିମନ୍ତେ ବଡଠାକୁରଙ୍କ ରଥକୁ ମାତ୍ର କେତେ ହାତ ଟାଣି ନିଆଗଲା । ତହିିଁ ପରଦିନ ରଥଟଣା ମଧ୍ୟ ଠିକ୍‍ ଭାବରେ ସମ୍ପନ୍ନ ହୋଇ ପାରିଲା ନାହିିଁ । ରଥ ଟଣା ସମୟରେ ବଡ ଠାକୁରଙ୍କ ରଥ ବିଜୁଳି ଖୁଣ୍ଟରେ ମାଡ ହୋଇଗଲା । ଫଳରେ ବଡ ଠାକୁରଙ୍କ ରଥର ଗୋଟିଏ ଚକ ଭାଙ୍ଗିଗଲା । ଏହିପରି ଏକ ଅଶୋଭନୀୟ ଘଟଣା ଯୋଗୁ ରାଜ୍ୟବାସୀ ଗଭୀର ଅନୁତାପ କଲେ । ଫଳରେ ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ଅବସର ପ୍ରାପ୍ତ ବିଚାରପତି ବାଳକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଲେ ।

* * *

୨୨୨ . ଓଡ଼ିଶା ରାଜନୀତିର ଇତିହାସ