ପୃଷ୍ଠା:Odisha Rajanitira Itihasa.pdf/୨୨୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାବିଂଶ ପରିଚ୍ଛେଦ
ଓଡ଼ିଶାରେ ସ୍ଥାୟୀ ସରକାର ଓ ମୁଖ୍ୟମନ୍ତ୍ରୀ
ଆସନରେ ଜାନକୀବଲ୍ଲଭ ପଟ୍ଟନାୟକ

ଓଡ଼ିଶାର ଅଷ୍ଟମ ବିଧାନସଭା ନିମନ୍ତେ ୧୯୮୦ ମସିହା ମେ ମାସ ୩୧ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ୧୪୭ଟି ଆସନପାଇଁ କଂଗ୍ରେସ ଦଳର ୧୪୭ଜଣ, ଜନତା (ଏସ୍‍)ର ୧୧୧ଜଣ, କଂଗ୍ରେସ (ଅର୍ସ)ର ୯୭ଜଣ, ଜନତା(ଜେପି)ଦଳର ୨୯ଜଣ, ଭାରତୀୟ ଜନତା ପାର୍ଟିର ୨୯ଜଣ, କମ୍ୟୁନିଷ୍ଟ ଦଳର ୨୭ଜଣ, ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳର ୧୪ଜଣ, ଫରଓ୍ୱାର୍ଡ ବ୍ଲକର ୫ଜଣ, ଝାଡ଼ଖଣ୍ଡ ଦଳର ୧୯ଜଣ, ସୋସାଲିଷ୍ଟ ୟୁନିଟ୍‍ ସେଣ୍ଟରର ୮ଜଣ, ରାଜନାରାୟଣ ଜନତା ଦଳର ୨ଜଣ ଓ ୨୪୧ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ।

ନିର୍ବାଚନ ଚାଲିିବା ସମୟରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନୀଳମଣି ସେଠିଙ୍କର ପରଲୋକ ଘଟିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରହିଲା । ନିର୍ବାଚନ ଅନୁଷ୍ଠିତ ହୋଇଥିବା ୧୪୬ଟି ଆସନରୁ କଂଗ୍ରେସ ୧୧୭, ଜନତା (ଏସ୍‍) (ଚରଣ ସିଂହ)-୧୩, ଜନତା (ଜେପି)-୩, କମ୍ୟୁନିଷ୍ଟ -୪, ଭାରତୀୟ ଜାତୀୟ କଂଗ୍ରେସ (ୟୁ)-୨ ଓ ସ୍ୱାଧୀନ ପ୍ରାର୍ଥୀମାନେ ୭ଟି ଆସନ ହାସଲ କଲେ । ଏହି ବିଧାନ ସଭାକୁ ପାଞ୍ଚଜଣ ମହିଳା ପ୍ରତିନିଧି ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ ପଟ୍ଟାଙ୍ଗୀରୁ ଶ୍ରୀମତୀ ଚନ୍ଦ୍ରମା ସାନ୍ତା (କଂ.ଇ), ଡାବୁଗାଁରୁ ଶ୍ରୀମତୀ ଫୁଲମଣି ସାନ୍ତା (କଂ.ଇ), ଉମରକୋଟରୁ ଶ୍ରୀମତୀ ପରମା ପୂଜାରୀ (କଂ.ଇ), କୁଳିଅଣାରୁ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ୍‍ (କଂ.ଇ) ଓ ଢେ଼ଙ୍କାନାଳରୁ ଶ୍ରୀମତୀ ନନ୍ଦିନୀ ଶତପଥୀ (କଂ.ଅ) ।

ଓଡ଼ିଶା ରାଜନୀତିର ଇତିହାସ . ୨୨୩