ପୃଷ୍ଠା:Odisha Rajanitira Itihasa.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଶ୍ର, ପି.ଟି. ମ୍ୟାନ୍‍ସ ଫିଲ୍‍ଡ଼ (ମୁଖ୍ୟ ଶାସନ ସଚିବ), ଦେଓ୍ୱାନ୍‍ ବାହାଦୁର ସି. ଗୋବିନ୍ଦନ ନାୟାର୍‍, ରାୟ ବାହାଦୁର ଲକ୍ଷ୍ମୀଧର ମହାନ୍ତି, ମୌଲବୀ ମହମ୍ମଦ ଅବ୍‍ଦୁଲ୍‍ ଜଲିଲ୍‍, ବାବୁ ବୀରବର ନାରାୟଣ ଧୀର ନରେନ୍ଦ୍ର, ଆର୍ତ୍ତତ୍ରାଣ ଦେଓ ଓ ବଳଦେବ ନାରାୟଣ ସାମନ୍ତରାୟ ।

ଏହି ପରାମର୍ଶଦାତା କମିଟିର ପ୍ରଥମ ବୈଠକ ପୁରୀ ମ୍ୟୁନିସ୍‍ପାଲ୍‍ କାଉନ୍‍ସିଲ୍‍ ହଲ୍‌ରେ ୧୯୩୬ ମସିହା ମଇମାସ ୮ ତାରିଖରେ ଅନୁଷ୍ଠିତ ହେଲା । ଏହି ବୈଠକରେ ମହାମହିମ ରାଜ୍ୟପାଳ ଅଧ୍ୟକ୍ଷତା କଲେ । ନୂତନ ପ୍ରଦେଶର ରାଜଧାନୀ ନିମନ୍ତେ ସ୍ଥାନ ନିରୂପଣ, ଦୈନନ୍ଦିନ ଅଫିସ୍‍ କାର୍ଯ୍ୟ ପରିଚାଳନା ନିମନ୍ତେ ଅସ୍ଥାୟୀ ବ୍ୟବସ୍ଥା, ପ୍ରଦେଶର ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା ସର୍ବୋପରି ପ୍ରାଦେଶିକ ବ୍ୟବସ୍ଥାପକ ସଭାର ନିର୍ବାଚନ ଓ ଶୀଘ୍ର ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହେଲା । ସେହି ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ କଟକରେ ଥିବା ସିଟି ହସ୍ପିଟାଲ୍‍ କୋଠାରେ ସେକ୍ରେଟେରିଏଟ୍‍ କାର୍ଯ୍ୟ ଅନୁଷ୍ଠିତ ହେଲା । ତା'ପରେ କିଲା ପଡ଼ିଆଠାରେ ବାରାକ୍‍ ନିର୍ମାଣ କରାଯାଇ ଅସ୍ଥାୟୀ ଭାବରେ ଓଡ଼ିଶା ସେକ୍ରେଟାରିଏଟ୍‍ ସେଠାରେ କାର୍ଯ୍ୟ କଲା । ଏବେ ସେହି ବାରାକ୍‍ଗୁଡ଼ିକ ରହିଛି । ତାକୁ କୁହାଯାଉଛି 'ଓଲ୍‍ଡ଼-ସେକ୍ରେଟେରିଏଟ୍‍' । ଏଠାରେ ପ୍ରାୟ ୧୫ ବର୍ଷ ସେକ୍ରେଟେରିଏଟ୍‍ କାର୍ଯ୍ୟ କରି ଭୁବନେଶ୍ୱର ନୂତନ ସଚିବାଳୟ କୋଠାକୁ ଉଠି ଆସିଲା । ସେହି ବୈଠକର ନିଷ୍ପତ୍ତି ଅନୁସାରେ ୧୯୩୬ ମସିହା ନଭେମ୍ବର ମାସ ସୁଦ୍ଧା ସୀମିତ ସଂଖ୍ୟକ ସାବାଳକ ଭୋଟରମାନଙ୍କର ତାଲିକା ପ୍ରସ୍ତୁତ ହୋଇଗଲା ।

ନୂତନ ଓଡ଼ିଶାର ବିଧାନସଭାକୁ ଲୋକପ୍ରିୟ ପ୍ରତିନିଧି ପଠାଇବା ପାଇଁ ୧୯୩୭ ମସିହା ଜାନୁଆରି ୧୮ରୁ ୨୩ ତାରିଖ ଯାଏ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ବିଧାନସଭାରେ ମୋଟ ୬୦ ଜଣ ସଭ୍ୟ ରହିବାର ବ୍ୟବସ୍ଥା ରହିଲା । ୫୬ ଜଣ ନିର୍ବାଚିତ ଓ ୪ ଜଣ ମନୋନୀତ । ୫୬ଟି ଆସନରୁ ୪୧ଟି ସାଧାରଣ ବର୍ଗ, ୬ଟି ହରିଜନ, ୨ଟି ମହିଳା, ୨ଟି ଜମିଦାର, ୪ଟି ମୁସଲମାନ ଓ ଗୋଟିଏ ଖ୍ରୀଷ୍ଟିଆନ ସଂପ୍ରଦାୟ ପାଇଁ ଉଦ୍ଦିଷ୍ଟ ରହିଲା । ଅନୁଷ୍ଠିତ ନିର୍ବାଚନରେ ୫୬ଟି ଆସନରୁ କଂଗ୍ରେସ ଦଳ ୩୬ଟି ଆସନ ଲାଭ କରି ସଂଖ୍ୟାଗରିଷ୍ଠ ଦଳ ବିବେଚିତ ହେଲା ।

ଓଡ଼ିଶା ରାଜନୀତିର ଇତିହାସ . ୨୫