ପୃଷ୍ଠା:Odisha Rajanitira Itihasa.pdf/୨୫୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକ ଅଦାଲତ ଅନୁଷ୍ଠିତ, ପଠାଣି ସାମନ୍ତ ପ୍ଲାନେଟୋରିଅମ ପ୍ରତିଷ୍ଠା, (ଏହି ପ୍ଲାନେଟୋରିଅମର ନାମକରଣ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିଲେ) ଏହା ଏସିଆ ମହାଦେଶର ସର୍ବଶ୍ରେଷ୍ଠ ତ‌ଥା ଆଧୁନିକ ଜ୍ଞାନ କୌଶଳରେ ପରିଚାଳିତ । ଦୁଇକୋଟି ଏଗାର ଲକ୍ଷ ଏକଚାଳିଶ ହଜାର ଟଙ୍କା ବ୍ୟୟରେ କଟକଠାରେ ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମ ପ୍ରତିଷ୍ଠା ଓ ଉଦ୍‍ଘାଟନ, ହରେକୃଷ୍ଣ ମହତାବ ଷ୍ଟେଟ୍‍ ଲାଇବ୍ରେରୀ ଉଦ୍‍ଘାଟନ ଓ ହଜାରେ ବର୍ଷର କଟକ ନଗର ଉତ୍ସବ ଉଦ୍‍ଘାଟନ ହୋଇଥିଲା । ଇବ୍‍ ଥର୍ମାଲର ଭିତ୍ତି ପ୍ରସ୍ତର ସ୍ଥାପନ ଓ ପାରାଦ୍ୱୀପ ପରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବନ୍ଦର ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ୧୯୮୭ ମସିହା ଫେବ୍ରୁଆରି ୨୭ ତାରିଖ ଦିନ ଉଦ୍‍ଘାଟିତ ହେଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହଯୋଗାଣ କରାଗଲା । ସେଥି ମଧ୍ୟରୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଡୁମୁଡୁମା ହାଉସିଂବୋର୍ଡ ପ୍ରକଳ୍ପଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୪୫୨ଟି ଗୃହ ନିର୍ମାଣ କରାଯାଇ ୧୫,୧୫୬ ଟଙ୍କାରେ ପ୍ରତ୍ୟେକ ଘରକୁ ହିତାଧିକାରୀଙ୍କ ମଧ୍ୟରେ ଆବଣ୍ଟନ ଓ ବ୍ରହ୍ମପୁର ସହରରେ ଏହିପରି ଗୃହ ନିର୍ମାଣ ଓ ଆବଣ୍ଟନ ଆଦି ଉଲ୍ଲେଖ ଯୋଗ୍ୟ କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ଉନ୍ନତି ପାଇଁ କେବିକେ ଯୋଜନା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଗଲା । କଟକ-ଭୁବନେଶ୍ୱର ରାସ୍ତାକୁ ଖଣ୍ଡଗିରିରୁ କଟକ ଯାଏ ଚାରିଟିକିଆ କରିବା ପାଇଁ ପ୍ରକଳ୍ପ ମଞ୍ଜୁରୀ ଓ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶାରେ ନବମ ଲୋକସଭା ନିର୍ବାଚନ :

୧୯୮୯ ମସିହା ନଭେମ୍ବର ୨୪ ତାରିଖରେ ଓଡ଼ିଶାରେ ନବମ ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନ ପୂର୍ବରୁ ରାଜୀବ ଗାନ୍ଧୀଙ୍କ ପ୍ରାଧନମନ୍ତ୍ରିତ୍ୱ କାଳରେ ସଂବିଧାନ ତ‌ଥା ଲୋକପ୍ରତିନିଧି ଆଇନ ସଂଶୋଧନ କରାଯାଇ ଭୋଟ ଦେବାର ସର୍ବନିମ୍ନ ବୟସ ୨୧ରୁ ୧୮ବର୍ଷକୁ କମାଇ ଦିଆଗଲା । କାରଣ ରାଜୀବ ଗାନ୍ଧୀ ଚିନ୍ତାକଲେ ଦେଶରେ ଯୁବକମାନେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣପୂର୍ବକ ଶାସନରେ ଅଂଶ ଗ୍ରହଣ ନକଲେ ଦେଶର ଉନ୍ନତି ହୋଇପାରିବ ନାହିଁ । ପୁଣି ନିର୍ବାଚନ ବୁଥ୍ ଗୁଡିକୁ ଯେପରି ଜୋରଜବରଦସ୍ତ ଅକ୍ତିଆର କରାନଯାଏ ସେଥିପାଇଁ କଠୋର ଆଇନ୍‍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଏହି ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧୩୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ । କଂଗ୍ରେସ ଦଳର ୨୧, ଜନତା ଦଳର ୧୯, ଜନତା ପାର୍ଟିର ୧୩, ବିଜେପିର ୬, ଦୂରଦର୍ଶୀ ପାର୍ଟିର ୪, ବହୁଜନ ସମାଜ ପାର୍ଟିର ୩ ଓ ୫୪ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ନିର୍ବାଚନରେ ଥିଲେ । ଏହି ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ଘଟିଲା । ନିର୍ବାଚିତ ପ୍ରତିନିଧିମାନେ ହେଲେ:

ମୟୂରଭଞ୍ଜ ଭାଗେ ଗୋବର୍ଦ୍ଧନ ଜନତା ଦଳ
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ଜନତା ଦଳ
ଭଦ୍ରକ ମଙ୍ଗରାଜ ମଲ୍ଲିକ ଜନତା ଦଳ

୨୫୦ . ଓଡ଼ିଶା ରାଜନୀତିର ଇତିହାସ