ପୃଷ୍ଠା:Odisha Rajanitira Itihasa.pdf/୨୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପ-ବାଚସ୍ପତି ପଦରୁ ଇସ୍ତଫା ପ୍ରଦନ କଲେ । ଫଳରେ ବାଚସ୍ପତି ଓ ଉପବାଚସ୍ପତି ଦୁଇଟିଯାକ ପଦବୀ ଖାଲି ପଡିଲା । ବାଚସ୍ପତି ପଦର ନିର୍ବାଚନ ନିମନ୍ତେ ମାନ୍ୟବର ରାଜ୍ୟପାଳ ବରିଷ୍ଠ ବିଧାନସଭା ସଦସ୍ୟ ଘାସିରାମ ମାଝିଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତି ପଦାନ କଲେ । ୧୯୯୬ ମସିହା ଫେବ୍ରୁଆରି ୧୬ତାରିଖରେ ବାଚସ୍ପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଶାସକ କଂଗ୍ରେସ ଦଳରୁ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଓ ବିରୋଧୀ ଦଳର ଭି. ସୁଜ୍ଞାନ କୁମାରୀ ଦେଓ ବାଚସ୍ପତି ପଦପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ । ଏହି ନିର୍ବାଚନରେ ୧୪୨ଜଣ ସଦସ୍ୟ ଭୋଟ ଦେଲେ । ସେଥିରୁ ଗୋଟିଏ ଭୋଟ ନାକଚ ହୋଇଗଲା । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ୮୧ଖଣ୍ଡ ଭୋଟ ପାଇ ନିର୍ବାଚିତ ହେଲେ ଓ ଭି.ସଜ୍ଞାନ କୁମାରୀ ଦେଓ ୬୧ଟି ଭୋଟ ପାଇ ପରାଜିତା ହେଲେ । ମାର୍ଚ୍ଚ ୧୫ତାରିଖରେ ଓଡ଼ିଶା ବିଧାନସଭା ବୈଠକରେ ଶାସକଦଳର ସଭ୍ୟ ବିଭୂତି ଭୂଷଣ ମର୍ଦ୍ଦରାଜ ସର୍ବସମ୍ମତି କ୍ରମେ ଉପ-ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ୨୩.୩.୧୯୯୫ରେ ଏକାଦଶ ଓଡ଼ିଶା ବିଧାନସଭାର ପ୍ରଥମ ବୈଠକ ବସିଲା ।

ବିରୋଧୀ ଦଳର ନେତା :

ରାଜନୈତିକ ପରିବର୍ତ୍ତନକୁ ନେଇ ବିଭିନ୍ନ ସମୟରେ ବିରୋଧୀ ଦଳର ନେତୃତ୍ୱ ପଦବୀରେ ମଧ୍ୟ ପରିବର୍ତ୍ତନ ଘଟୁଥାଏ । ପ୍ରଥମେ ଜନତା ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ, ବିରୋଧୀ ଦଳ ନେତା ଭାବରେ ମାର୍ଚ୍ଚ ୨୩ତାରିଖରେ ଘୋଷିତ ହେଲେ । ଏକାଦଶ ଲୋକସଭାକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହେବାରୁ ବିଜୁବାବୁ ଜନତା ଦଳ ଏମ୍‍.ଏଲ୍‍.ଏ ପଦବୀରୁ ଇସ୍ତଫା ଦେଲେ । ଫଳରେ ସେ ସଭ୍ୟପଦ ୧୯୯୬ ମଇ ମାସ ୨୦ ତାରିଖରୁ ହରାଇଲେ । ତାଙ୍କ ସ୍ଥାନରେ ଅଶୋକ ଦାସ ବିରୋଧୀ ଦଳର ନେତା ହୋଇ ୧୯୯୭ ମସିହା ଡିସେମ୍ବର ୧୮ ତାରିଖ ଯାଏ କାର୍ଯ୍ୟଭାର ସମ୍ଭାଳିଲେ । କାରଣ, ବିଜୁ ଜନତା ଦଳ ନାମରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେଲା । ଫଳରେ ଜନତା ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଜନତାଦଳର ୪୬ଜଣ ସଦସ୍ୟଙ୍କ ମଧ୍ୟରୁ ୨୮ଜଣ ବିଜୁ ଜନତା ଦଳରେ ଯୋଗଦେଲେ । ମାନ୍ୟବର ବାଚସ୍ପତି ଏହି ଦଳକୁ ୧୯୯୭ ମସିହା ୧୮ ଡିସେମ୍ବରରେ ସ୍ୱୀକୃତି ପ୍ରଦାନ କଲେ । ରାମକୃଷ୍ଣ ପଟ୍ଟନାୟକ ବିଜୁ ଜନତା ବିଧାୟକ ଦଳର ନେତା ହୋଇ ବିରୋଧୀ ଦଳର ନେତା ଭାବରେ ସ୍ୱୀକୃତି ଲାଭ କଲେ । ପରେ ୧୯୯୮ ମସିହା ନଭେମ୍ବର ୧୬ ତାରିଖରେ ପ୍ରଫୁଲ୍ଲ ସାମଲ ବିଜୁ ଜନତା ବିଧାୟକ ଦଳ ନେତା ହୋଇ ବିରୋଧୀ ଦଳର ନେତା ଭାବରେ ବାଚସ୍ପତିଙ୍କ ଦ୍ୱାରା ସ୍ୱୀକୃତି ଲାଭ କଲେ । ସେ ଏହି ପଦବୀରେ ୧୯୯୮ ମସିହା ଡିସେମ୍ବର ୧ ତାରିଖ ଯାଏ ରହିଲେ । ଏହା ପରେ ୧୯୯୮ ମସିହା ଡିସେମ୍ବର ୧୧ ତାରିଖରେ ସଚ୍ଚିଦାନନ୍ଦ ଦଲାଲ ବିଜୁ ଜନତା ବିଧାୟକ ଦଳର ନେତା ହୋଇ ବିରୋଧୀ ଦଳ ନେତା ପଦବୀରେ ଅଧିଷ୍ଠିତ ହେଲେ ।

ଓଡ଼ିଶା ରାଜନୀତିର ଇତିହାସ ୨୭୭