ପୃଷ୍ଠା:Odisha Rajanitira Itihasa.pdf/୩୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ହୋଇଥିବା ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ୱାଇଁ)ଙ୍କର ନାମାଙ୍କନ ପତ୍ରରେ ମୂଳ ଦଳୀୟ ଟିକେଟ ଦାଖଲ ହୋଇ ନଥିବା ଦର୍ଶାଯାଇ ତାଙ୍କର ପ୍ରାର୍ଥୀପତ୍ରକୁ ନାକଚ କରିଦିଆଯାଇଥିଲା । ସେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ରମେଶ ରାଉତଙ୍କୁ ସମର୍ଥନ କରି ଜିତାଇଥିଲେ । ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଯେ ନିର୍ବାଚନରେ ବିଜୟ ପରେ ଶ୍ରୀ ରାଉତ ଇସ୍ତଫା ଦେଇ ଶ୍ରୀ ରଣେନ୍ଦ୍ରଙ୍କୁ ବାଟ ଛାଡ଼ିଦେବେ । ଏହି କଥାରେ ଶ୍ରୀ ରାଉତ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । କିନ୍ତୁ ଜିତିବା ପରେ ସେ ତାଙ୍କର ପ୍ରତିଶ୍ରୁତି ପାଳନ କଲେ ନାହିଁ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଇନର ଆଶ୍ରୟ ନେଇ ସୁପ୍ରିମ୍‍ କୋର୍ଟ ଯାଏ ଯାଇ ବିଜୟୀ ହେଲେ । ଫଳରେ ରମେଶ ରାଉତଙ୍କ ସଭ୍ୟପଦ ରଦ୍ଦ ହେଲା ଏବଂ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଆଠଗଡ଼ ବିଧାନସଭା(୦୮୯- ସାଧାରଣ) ଆସନଟି ଖାଲି ପଡ଼ିଲା । ଏହି ଆସନ ପାଇଁ ୧୮-୩-୨୦୧୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ପ୍ରାୟ ଶତକଡ଼ା ୭୦ ଭାଗ ଭୋଟର ମତଦାନ କଲେ ।

ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୮୭,୬୦୪ ଭୋଟ ପାଇ ବିଜୟୀ ହେଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୪୦,୨୧୪ ଭୋଟ ପାଇଥିବା ସ୍ଥଳେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ବିକ୍ରମ ଦାଶ ମାତ୍ର ୨,୪୫୨ ଭୋଟ ପାଇ ନିଜର ଅମାନତ ହରାଇଲେ ।

ମୁଖ୍ୟମନ୍ତ୍ରୀଙ୍କ ଲଣ୍ଡନ ଗସ୍ତ :

୨୦୧୨ ମସିହା ମଇ ମାସ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଗସ୍ତରେ ଲଣ୍ଡନ ଯାତ୍ରା କଲେ । ଓଡ଼ିଶାର ବିକାଶ ସଂପର୍କରେ ବିଭିନ୍ନ ଅନୁଷ୍ଠାନ ସହ ଲଣ୍ଡନରେ ଆଲୋଚନା କରିବା ତାଙ୍କର ଏହି ଗସ୍ତକ୍ରମର ଉଦ୍ଦେଶ୍ୟ ଥିଲା । ବିଶେଷ କରି ଡି.ଏଫ୍‍.ଆଇ.ଡି.ର ବରିଷ୍ଠ କର୍ମକର୍ତ୍ତାଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ୨୪-୫-୨୦୧୨ ତାରିଖ ସୋମବାର ଦିନ ଲଣ୍ଡନର ସସେକ୍ସ ବିଶ୍ୱ ବିଦ୍ୟାଳୟଠାରେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଡେଭଲପ୍‍ମେଣ୍ଟ ଷ୍ଟଡିଜ୍‍ (ଆଇ.ଡି.ଏସ୍‍.)ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ରାଜ୍ୟର ବିକାଶ ସଂପର୍କରେ ସେ ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କେତେକ ମାନବାଧିକାର ସଂଗଠନ ତରଫରୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବାର ଖବରପାଇ ମୁଖ୍ୟମନ୍ତ୍ରୀ ସେହି ଆଲୋଚନାଚକ୍ରରେ ଯୋଗଦାନକୁ ବାତିଲ୍‍ କରିଦେଇଥିଲେ । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା 'ଓଡ଼ିଶାରେ ସଂସ୍କାର ଓ ସଫଳତା' (Reforms and Achivements of Odisha) । ଏହି ଆଲୋଚନାଚକ୍ରଟି ଆଇ.ଡି.ଏସ୍‍. କର୍ମଚାରୀ, ସଦସ୍ୟ, ଛାତ୍ର ତ‌ଥା ସର୍ବସାଧାରଣଙ୍କପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକ୍ରମ ବଦଳାଇ ଦେବାରୁ ଏହି ଆଲୋଚନାଚକ୍ରକୁ ବାତିଲ୍‍ କରିଦିଆଯାଇଥିଲା । ତାଙ୍କର ଏହି କାର୍ଯ୍ୟକ୍ରମ ବାତିଲ୍‍ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନଥିଲା । ମାତ୍ର ଲଣ୍ଡନ୩୨୪ . ଓଡ଼ିଶା ରାଜନୀତିର ଇତିହାସ