ପୃଷ୍ଠା:Odisha Rajanitira Itihasa.pdf/୩୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘଟଣାଟି ହେଲା, କେନ୍ଦ୍ରୀୟ କଂଗ୍ରେସ କମିଟି ନିରଂଜନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ହଟାଇ ଜୟଦେବ ଜେନାଙ୍କୁ ସଭାପତି ଆସନରେ ବସାଇଲେ । ଏହା ପରେ ୨୦୧୩ ମସିହା ଜୁଲାଇ ମାସ ୧୫ ତାରିଖଠାରୁ ସୌମ୍ୟରଂଜନ କଂଗ୍ରେସ ଦଳକୁ ଓଡିଶାରେ ସୁଦୃଢ଼ କରିବାପାଇଁ ଆରମ୍ଭ କଲେ ‘ସଂକଳ୍ପ ଯାତ୍ରା’ । ଅଗଷ୍ଟ ପ୍ରଥମ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରଠାରେ ଅନୁଷ୍ଠିତ ସଂକଳ୍ପ ଯାତ୍ରାରେ ସୌମ୍ୟରଂଜନଙ୍କ ମନ୍ତବ୍ୟଟି ହେଲା, ‘ଟିକେଟ ବଣ୍ଟନ ବେଳେ ହୋଇଥିବା ଅନିୟମିତତାରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଚିହ୍ନଟ କରାଯାଉ’ । ଏହି ମନ୍ତବ୍ୟଟି ତାଙ୍କପାଇଁ ହେଲା କାଳ । ସେଥିପାଇଁ କଂଗ୍ରେସ ଦଳରେ ଚର୍ଚ୍ଚା ଯୋର ଧରିଲା । ଶୃଙ୍ଖଳା କମିଟି ଅଧ୍ୟକ୍ଷ ହରିହର କରଣଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୧୨ ତାରିଖ ଦିନ ଏକ ବୈଠକ ବସି ସୌମ୍ୟରଂଜନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଗଲା । ତାଙ୍କ ଉପରେ ନୋଟିସ ଜାରି କରିବା ସମ୍ପର୍କରେ ଦଳର ତୁଙ୍ଗନେତାମାନଙ୍କ ମଧ୍ୟରେ ବାଦାନୁବାଦ ପ୍ରକାଶ ପାଇଥିବାର ଜଣାଯାଏ । ଏ.ଆଇ.ସି.ସି. ସଂପାଦକ ହରିପ୍ରସାଦ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ପି.ସି.ସି. ଶୃଙ୍ଖଳା କମିଟିର ନୋଟିସ ଜାରି କରିବାର କ୍ଷମତା ରହିଛି । ଏହା ପରେ ସୌମ୍ୟରଂଜନ ପଟ୍ଟନାୟକ ଭଦ୍ରକ, ନୟାଗଡ ଓ କେନ୍ଦ୍ରପଡ଼ା ଆଦି ସ୍ଥାନରେ ସଂକଳ୍ପ ସମାବେଶ କରାଇଥିଲେ । ଏହି ସ୍ଥାନଗୁଡିକରେ ବିପୁଳ ଜନସମାଗମ ହୋଇଥିବାର ଜଣାଯାଏ ।

କେନ୍ଦ୍ରାପଡ଼ା ସମାବେଶ ପରେ ଭୁବନେଶ୍ୱର କଂଗ୍ରେସ ଭାବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ସୌମ୍ୟରଂଜନଙ୍କ ବିରୁଦ୍ଧରେ ଜୟରାମ ରମେଶ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କର କଟୁ ମନ୍ତବ୍ୟ ଥିଲା- ‘ଦଳର ଅନୁଶାସନ ମାନ ନହେଲେ ଦଳ ଛାଡ଼’ । ଏହି ମନ୍ତବ୍ୟ ପରେ ଓଡିଶା କଂଗ୍ରେସ ସଭ୍ୟ ଓ କର୍ମୀମାନଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିବାର ଜଣାଯାଏ । ସୌମ୍ୟରଂଜନ ଅଗଷ୍ଟ ୧୪ ତାରିଖରେ ତାଙ୍କ ଉପରେ ଜାହିର ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ପ୍ରଦାନ କରିଥିଲେ ।