ପୃଷ୍ଠା:Odisha Rajanitira Itihasa.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ବର୍ଷ ବ୍ରିଟେନ୍‍ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଜୁଲାଇ ଶେଷରେ ଶ୍ରମିକଦଳ (ଲେବର ପାର୍ଟି) ଶାସନ କ୍ଷମତାକୁ ଆସିଲେ । ଅଟ୍‍ଲି ହେଲେ କ୍ୟାବିନେଟ୍‍ ମୁଖ୍ୟ । ଭାରତପାଇଁ ଲର୍ଡ ପେଥିକ ଲରେନ୍‍ସ ନୂଆ ସଚିବ ନିଯୁକ୍ତ ହେଲେ । ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ଶ୍ରମିକ ଦଳର ସହାନୁଭୂତି ଥିଲା । ଫଳରେ ଭାରତବାସୀଙ୍କୁ ସ୍ୱୟଂଶାସନ ସରକାର ପ୍ରଦାନ ନିମନ୍ତେ ବ୍ରିଟେନ୍‍ର ନୂଆ ସରକାର ଅନୁମତି ପ୍ରଦାନ କଲେ । ଶ୍ରମିକଦଳ କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ଘୋଷଣାକଲେ- "ଭାରତରେ ବିଭିନ୍ନ ପ୍ରାଦେଶିକ ସଭାର ନିର୍ବାଚନ ୧୯୪୬ ମସିହା ମଧ୍ୟରେ ଅନୁଷ୍ଠିତ ହେବା ଦରକାର ।" ସେହି ଘୋଷଣା ଅନୁଯାୟୀ ଭାରତର ଭାଇସ୍‍ରୟ ସେପ୍ଟେମ୍ବର ୧୯ ତାରିଖ ଦିନ ବିବୃତି ଦେଇ କହିଲେ- "କେନ୍ଦ୍ର ଓ ପ୍ରାଦେଶିକ ସଭା ନିମନ୍ତେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ । ତା'ପରେ ସମ୍ବିଧାନ ବିଧାୟିନୀ ସଭା ଆହୂତ ହେବ । କାରଣ ଭାରତରେ ସ୍ୱାୟତ୍ତ ଶାସନର ଆଶୁ ପ୍ରତିଷ୍ଠା ହେଉଛି ବ୍ରିଟିଶ ସରକାରଙ୍କର ନୀତି ।"

ବିଟ୍ରିଶ ସରକାରଙ୍କର ନୂଆନୀତି ଅନୁସାରେ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ସାର୍‍ ହଥର୍ଣ୍ଣ ଲୁଇସ୍ ଏକ ବିଜ୍ଞପ୍ତିରେ ୧୯୪୫ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ଓଡ଼ିଶା ବିଧାନସଭାକୁ ଭାଙ୍ଗିଦେଲେ । ଆଠବର୍ଷରୁ ଅଧିକ କାଳ ରହିଥିବା ଓଡ଼ିଶାର ପ୍ରଥମ ବିଧାନସଭା ଭାଙ୍ଗିଗଲା । ନୂତନ ବିଧାନସଭା ଗଠନ ପାଇଁ ନଭେମ୍ବର ମାସରେ ପ୍ରସ୍ତୁତି ପର୍ବ ଆରମ୍ଭ ହେଲା । ପୂର୍ବ ବିଧାନସଭା ପରି ଏହି ବିଧାନସଭା ନିମନ୍ତେ ୬୦ଟି ଆସନ ଉଦ୍ଦିଷ୍ଟ ରହିଲା । ସଂରକ୍ଷଣ ନୀତି ପୂର୍ବପରି ବଳବତ୍ତର ରହିଲା ।

କଂଗ୍ରେସ ଦଳ ତରଫରୁ ଓଡ଼ିଶାରେ ଏହି ନିର୍ବାଚନ ପରିଚାଳନା ନିମନ୍ତେ କେନ୍ଦ୍ର କଂଗ୍ରେସ କର୍ତ୍ତୃପକ୍ଷ ବିଶନ୍ୱାଥ ଦାସ ଓ ହରେକୃଷ୍ଣ ମହତାବଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ । କାରଣ ବିଶ୍ୱନାଥ ଦାସ ୧୯୪୩ ମସିହା ଅଗଷ୍ଟ ୨୮ ତାରିଖଠାରୁ ବିଧାନସଭା ସଭ୍ୟପଦ ପାଇଁ ଛ'ବର୍ଷ ସକାଶେ ଅଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ କାରାଗାରରେ ଥିଲେ । ଫଳରେ ସେ ୧୯୪୬ ମସିହା ନିର୍ବାଚନରେ ପ୍ରାର୍ଥୀ ହୋଇପାରିଲେ ନାହିଁ । କିନ୍ତୁ କେନ୍ଦ୍ରୀୟ କମିଟିର ନିର୍ଦ୍ଦେଶମତେ ସେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ । ସାର୍‍ ହଥର୍ଣ୍ଣ ଲୁଇସ୍ ୧୯୪୬ ମାର୍ଚ୍ଚ ୩୧ ତାରିଖ ଦିନ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ପଦରୁ ବଦଳି ହୋଇଗଲେ । ତାଙ୍କ ସ୍ଥାନରେ ସାର୍‍ ଚନ୍ଦୁଲାଲ ତ୍ରିବେଦୀ ଓଡ଼ିଶାର ରାଜ୍ୟପାଳ ହୋଇ ଆସିଲେ ଓ ୧୯୪୬ ମସିହା ଏପ୍ରିଲ ୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କଲେ ।

ବିଶ୍ୱନାଥ ଦାସ କଂଗ୍ରେସ ହାଇକମାଣ୍ଡ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜଣାଇଥିଲେ ଓଡ଼ିଶାରେ କଂଗ୍ରେସଦଳ ୫୬ଟି ଆସନରୁ ୪୮ଟି ହାସଲ କରିବ ।

୧୯୪୬ ମସିହା ଏପ୍ରିଲ୍‍ ୪ ତାରିଖରୁ ୯ ତାରିଖ ଯାଏ ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ପ୍ରତି ଜନସାଧାରଣଙ୍କ ପ୍ରବଳ ସମର୍ଥନ ମିଳିଲା । ସତକୁ ସତ କଂଗ୍ରେସ ଦଳ ୪୭ଟି ଆସନ ଲାଭ କଲା । ସେଥିରୁ ୩୬ଟି ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମିଳିିଥିଲା । ପ୍ରଥମ ବିଧାନସଭାରେ ନିର୍ବାଚନ ଲଢ଼ି କଂଗ୍ରେସ ହାସଲ କରିଥିଲା ୩୬ଟି ଆସନ । ଦ୍ୱିତୀୟ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପାଇଲା ୩୬ଟି ଆସନ ।

୪୪ . ଓଡ଼ିଶା ରାଜନୀତିର ଇତିହାସ