Jump to content

ପୃଷ୍ଠା:Odisha Rajanitira Itihasa.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜ୍ୟର ସୀମା ବର୍ଦ୍ଧନ କରିବାପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କରିିବାର ବହୁ ନଜିର ରହିଛି । ଇଂରେଜମାନଙ୍କ ଓଡ଼ିଶା ଅଧିକାର ପୂର୍ବରୁ ଅନୁଗୁଳ ଜଣେ ରାଜାଙ୍କଦ୍ୱାରା ଶାସିତ ହେଉଥିଲା । କିନ୍ତୁ ଅନୁଗୋଳର ରାଜା ସୋମନାଥ ସିଂହ ବିଦ୍ରୋହୀ ହେବାରୁ ଇଂରେଜମାନେ ଅନୁଗୁଳକୁ ଖାସ୍‍ କରିଦେଲେ । ସେହିପରି ବୌଦ୍ଧରାଜା କନ୍ଧମାଳର କନ୍ଧମାନଙ୍କୁ ଶାସନ କରିନପାରି କନ୍ଧମାଳ ଇଲାକାକୁ ଇଂରେଜମାନଙ୍କ ହାତରେ ଅର୍ପଣ କରିଦେଲେ । ଫଳରେ ଇଂରେଜମାନେ ଅନୁଗୁଳ ଓ କନ୍ଧମାଳକୁ ମିଶାଇ ଅନୁଗୁଳ ଜିଲ୍ଲା ସୃଷ୍ଟିକରି ନିଜ ଦାୟିତ୍ୱରେ ରଖିଲେ ।

ଓଡ଼ିଶା କମିଶନର ଏହି ଗଡ଼ଜାତ ରାଜ୍ୟମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଉଥିଲେ । କାରଣ ଏହି ଗଡ଼ଜାତ ଗୁଡ଼ିକୁ କରଦରାଜ୍ୟ ଶ୍ରେଣୀଭୁକ୍ତ କରାଯାଇଥିଲା । ପରେ ଗଡ଼ଜାତ ରାଜ୍ୟଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇଲା । ଫଳରେ କମିଶନରଙ୍କ ଅଧୀନରେ ଜଣେ ପଲ୍‍ଟିକାଲ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଗଲା । ପଲ୍‍ଟିକାଲ ଏଜେଣ୍ଟଙ୍କ କାମ ହେଲା ପୂରାପୂରି ସ୍ୱତନ୍ତ୍ର ଭାବରେ ଗଡ଼ଜାତ ରାଜ୍ୟର ଶାସନ ତଦାରଖ କରିବା । ପଲ୍‍ଟିକାଲ ଏଜେଣ୍ଟଙ୍କ ଅଧୀନରେ ୨୬ଟିଯାକ ଗଡ଼ଜାତ ରହିଲା । ଗଡ଼ଜାତମାନଙ୍କ ମୁଖ୍ୟଙ୍କୁ 'ରାଜା' ବା Ruler-in-chief of the Feudatory State ବୋଲି କୁହାଗଲା । ୧୯୧୫ ମସିହାରେ ଷଢେ଼ଇକଳା ଓ ଖରସୁଆଁ ଦୁଇଟି ଗଡ଼ଜାତ ରାଜ୍ୟ ଇଷ୍ଟର୍ଣ୍ଣ ଏଜେନ୍‍ସିର ଅନ୍ତର୍ଭୁକ୍ତ ହୋଇଥିଲା ।

ଏହି ଗଡ଼ଜାତ ରାଜାମାନଙ୍କ ବିଚାର ବିରୁଦ୍ଧରେ ପଲ୍‍ଟିକାଲ ଏଜେଣ୍ଟ୍‍ଙ୍କ ପାଖରେ ଦରଖାସ୍ତ କରାଯାଉଥିଲା । ତା'ପରେ ଅପିଲ ହେଉଥିଲା କମିଶନରଙ୍କ ପାଖରେ । ୧୯୨୨ ମସିହାରେ କମିଶନରଙ୍କ କ୍ଷମତା ଲୋପ ପାଇଲା । ଗଡ଼ଜାତ ରାଜ୍ୟମାନଙ୍କ ଉପରେ କେବଳ ପଲ୍‍ଟିକାଲ ଏଜେଣ୍ଟ୍‍ ହେଲେ ସର୍ବେସର୍ବା । ତାଙ୍କୁ ସହାୟତା କରିବାପାଇଁ ଜଣେ ସହକାରୀ ରହିଲେ । ପଲଟିକାଲ ଏଜେଣ୍ଟ୍‍ ବିହାର-ଓଡ଼ିଶା ଲାଟସାହେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକଲେ । ଏହି ସମୟରେ ଗଡ଼ଜାତ ରାଜାମାନଙ୍କୁ କରଦ ରାଜା ନକହି 'ସାମନ୍ତରାଜା' ଭାବରେ ଆଖ୍ୟାୟିତ କରାଗଲା ।

୧୯୩୩ ମସିହାରେ ଭାରତ ସରକାରଙ୍କ ଖାସ୍‍ ତତ୍ତ୍ୱାବଧାନରେ ଏହି ଗଡ଼ଜାତ ରାଜାମାନେ ରହିଲେ । ପୂର୍ବଖଣ୍ଡ ଗଡ଼ଜାତ ରାଜ୍ୟଗୁଡ଼ିକ ଭାରତର ବଡ଼ଲାଟଙ୍କ ନିର୍ଦେଶମତେ ଜଣେ ଏଜେଣ୍ଟ ଜେନେରାଲଙ୍କ ଅଧୀନରେ ରହିଲେ । ଏହାଙ୍କ ଅଧୀନରେ ସେକ୍ରେଟାରୀ ଓ ପଲ୍‍ଟିକାଲ ଏଜେଣ୍ଟ ରହିଲେ । ବସ୍ତୁତଃ ଗଡ଼ଜାତ ରାଜ୍ୟଗୁଡ଼ିକୁ ଓଡ଼ିଶାରୁ ପୃଥକ ରଖାଯାଇ ପଲ୍‍ଟିକାଲ ଏଜେଣ୍ଟଙ୍କ ନିୟନ୍ତ୍ରଣରେ ରଖାଯାଇଥିଲା । ପଲ୍‌ଟିକାଲ ଏଜେଣ୍ଟଙ୍କ କାମ ଥିଲା - ବ୍ରିଟିଶ ସରକାରଙ୍କ ନୀତିନିୟମ ଠିକ୍‍ ଭାବରେଦ ଗଡ଼ଜାତମାନଙ୍କରେ କାର୍ଯ୍ୟକାରୀ ହେଉଛି କି ନାହିିଁ ତଦାରଖ କରିବା । କାରଣ ଏହି ଗଡ଼ଜାତ ରାଜାମାନଙ୍କ ଦୃଢ଼ତା, କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଉପରେ ହିିଁ ବ୍ରିଟିଶ ସରକାରର ସ୍ଥାୟିତ୍ୱ ନିର୍ଭର କରୁଥିଲା । ଫଳରେ ପଲ୍‍ଟିକାଲ ଏଜେଣ୍ଟମାନେ ଗଡ଼ଜାତ ରାଜ୍ୟର ଶାସନ ପ୍ରଣାଳୀ ଉପରେ କଡ଼ା ନଜର ରଖୁିଥିଲେ ।

ଗଡ଼ଜାତ ରାଜାମାନଙ୍କ ଅଭିଷେକ ଉତ୍ସବରେ ପଲ୍‍ଟିକାଲ ଏଜେଣ୍ଟମାନେ ଇଂରେଜ ସରକାରଙ୍କ ପ୍ରତିନଧି ରୂପେ ମୁଖ୍ୟ ଅତିିଥି ଭାବରେ ଯୋଗ ଦେଉଥିଲେ । ରାଜାମାନଙ୍କୁ ଅଭିଷେକ

୫୪ . ଓଡ଼ିଶା ରାଜନୀତିର ଇତିହାସ