ପୃଷ୍ଠା:Odisha Rajanitira Itihasa.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୪୬ ମସିହା ପ୍ରାଦେଶିକ ନିର୍ବାଚନରେ ଓଡ଼ିଶାରେ କଂଗେସ ଦଳର ବିପୁଳ ବିଜୟ ହୋଇଥାଏ । ତା'ପରେ ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ମହତାବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ‌ଥା ତାଙ୍କ ବୁଦ୍ଧି ଓ କୌଶଳ ପ୍ରୟୋଗଦ୍ୱାରା ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ସର୍ବ ପ୍ରଥମେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଘଟିଲା । ଏହା ଭାରତର ସର୍ବପ୍ରଥମ ଘଟଣା । ଯାହା ଫଳରେ କି ସର୍ଦ୍ଦାର ପଟେଲ କହିିଲେ "ଓଡ଼ିଶାରେ ମହତାବ ଆଜି ଯାହା ଚିନ୍ତା କରୁଛନ୍ତି ଭାରତ ତାହା ଆସନ୍ତା କାଲି ଚିନ୍ତା କରୁଛି ।" ଓଡ଼ିଶାର ଗଡ଼ଜାତ ମିଶ୍ରଣ ଦେଶର ଅନ୍ୟ ଦେଶୀୟ ଗଡ଼ଜାତ ମିଶ୍ରଣପାଇଁ ବାଟ ଦେଖେଇଲା । ସର୍ଦ୍ଦାର ପଟେଲଙ୍କର ଏପରି ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ମହତାବଙ୍କୁ ଶୀର୍ଷ ସ୍ଥାନକୁ ଉଠାଇ ନେଲା । ସାରା ଭାରତରେ ମହତାବଙ୍କର ପ୍ରଶଂସା ଖେଳିଗଲା ।

୧୯୫୦ ମସିହାରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓଡ଼ିଶା ଭ୍ରମଣରେ ଆସି ଥାଆନ୍ତି । ତାଙ୍କ ସହ ଆସି ଥାଆନ୍ତି ଭାରତର ଶେଷ ଇଂରେଜ ବଡଲାଟ୍‍ ମାଉଣ୍ଟବ୍ୟାଟେନ୍‌ଙ୍କ ଧର୍ମ ପତ୍ନୀ ଲେଡି ଏଡ୍‍‌ୱିନା ମାଉଣ୍ଟବ୍ୟାଟେନ୍‍ । ସେତେବେଳେ ନେହେରୁଙ୍କର ଲେଡ଼ି ମାଉଣ୍ଟ୍‍ବ୍ୟାଟେନ୍‍ଙ୍କ ସହ ଘନିଷ୍ଠ ସମ୍ପର୍କ ରହିିଥିବା କଥା ଚାରିଆଡେ଼ ପ୍ରଚାର ହୋଇଯାଇଥିଲା । ଲେଡି ମାଉଣ୍ଟବ୍ୟାଟେନ୍‍ କୋଣାର୍କ ବୁଲିବା ସମୟରେ ତାଙ୍କ ସହ ଥିଲେ ପଣ୍ଡିତ ନେହେରୁ । ପାଖରେ ଉପସ୍ଥିତ ଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଓ ମାନ୍ୟବର ରାଜ୍ୟପାଳ ଆସଫ୍‍ ଅଲ୍ଲୀ । ସେହି ସମୟରେ ଲେଡି ମାଉଣ୍ଟବ୍ୟାଟେନ୍‍ ନେହେରୁଙ୍କୁ କହିିଲେ, "ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିଙ୍କୁ ଗୋଟିଏ ରାଜ୍ୟର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାନ ନ କରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ଉଚିତ ।" ପଣ୍ଡିତ ନେହେରୁ ଏଥିରେ ଏକମତ ହୋଇ ସମ୍ମତି ପ୍ରଦାନ କଲେ ।

ମହତାବଙ୍କ ଜାଗାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ? ଏଥିପାଇଁ ଚିନ୍ତା ପଡ଼ିଲା । ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନ୍‍ଗୋ ଓ ନବକୃଷ୍ଣ ଚୌଧୁରୀଙ୍କ ନାମ ନେହେରୁଙ୍କୁ କୁହାଗଲା । ହେଲେ ନେହେରୁଙ୍କର ବିଶ୍ୱନାଥ ଦାସଙ୍କ ପ୍ରତି ଆନ୍ତରିକତା ନଥାଏ । ଏଣେ ନିତ୍ୟାନନ୍ଦ କାନୁନ୍‍ଗୋଙ୍କୁ ମହତାବ ଭଲ ପାଉନଥାନ୍ତି । ମହତାବଜୀ ଠିକ୍‍ କଲେ ଯେ ନବବାବୁ ମୁଖ୍ୟମନ୍ତ୍ରୀ ହେଲେ ଖୁବ୍‍ ଭଲ ହେବ । କାରଣ ସେ କୂଟନୀତିର ଧାର ଧାରନ୍ତି ନାହିଁ । ଯେତେବେଳେ କହିଲେ ନବବାବୁ ପଦ ଛାଡ଼ିଦେବେ ଓ ସେ ଅନାୟସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ରାଜି ହେଲେ ନାହିଁ । ଏହି ସମୟରେ ଦିନେ ବନମାଳୀ ପଟ୍ଟନାୟକ ନବବାବୁଙ୍କୁ ଆସି କହିଲେ, ପୁରୀ ଯାଇ ପଣ୍ଡିତ ନେହେରୁଙ୍କ ସାଙ୍ଗରେ କଥା ହେବା ପାଇଁ ମହତାବ କହିଛନ୍ତି । ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି । ନବବାବୁ ପୁରୀ ଯାଇ ପଣ୍ଡିତ ନେହେରୁଙ୍କ ସହ ସାକ୍ଷାତ କଲେ । ସେତେବେଳେ ଲେଡି ମାଉଣ୍ଟବ୍ୟାଟେନ୍‍ ତାଙ୍କ ପାଖରେ ଉପସ୍ଥିତ ଥାନ୍ତି । ପଣ୍ଡିତ ନେହେରୁ ନବବାବୁଙ୍କୁ କହିଲେ, "ତୁମେ ଭଲ କାମ କରୁଛ । ଆମ ଦେଶ ପାଇଁ କାମ ମଧ୍ୟ କରିବାକୁ ହେବ ।" ଏପରି ଦୁଇ ଜଣଙ୍କ ମଧ୍ୟରେ ଅନେକ ଆଲୋଚନା ହେଲା । ଅନିଚ୍ଛା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହେବାପାଇଁ ନବବାବୁ ରାଜି ହୋଇଗଲେ ।

ଓଡ଼ିଶା ରାଜନୀତିର ଇତିହାସ . ୭୯