ପୃଷ୍ଠା:Odisha Rajanitira Itihasa.pdf/୯୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଂଗ୍ରେସ ୬୭ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା । ଗଣତନ୍ତ୍ର ପରିଷଦ ୩୧ଟି ଆସନ ଲାଭକରି ଦ୍ୱିତୀୟ ସ୍ଥାନରେ ରହିଲା । ସୋସାଲିଷ୍ଟ ପାର୍ଟି ୧୦ଟି, କମ୍ୟୁନିଷ୍ଟ ପାର୍ଟି ୭ଟି, ଫରଓ୍ୱାର୍ଡ ବ୍ଲକ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀମାନେ ୨୪ଟି ଆସନ ହାସଲ କଲେ । ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଶେଷ ସଫଳତା ହାସଲ କରିିଥିଲେ ।

୧୯୫୨ ମସିହା ମାର୍ଚ୍ଚ ୪ତାରିଖରେ ପ୍ରଥମ ବିଧାନସଭାର ସଭ୍ୟମାନେ ଶପଥ ଗ୍ରହଣ କଲେ । ବିଧାନସଭା ସଦସ୍ୟ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଭ୍ୟମାନଙ୍କୁ ଶପଥପାଠ କରାଇଲେ । ସେହିଦିନ ମଧ୍ୟ ନବଗଠିତ ବିଧାନସଭାର ପ୍ରଥମ ବୈଠକ ନୂଆ ରାଜଧାନୀ ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ଅନୁଷ୍ଠିତ ହେଲା । ଏହା ପୂର୍ବରୁ ନବକୃଷ୍ଣ ଚୌଧୁରୀ ସଂଖ୍ୟାଗରିଷ୍ଠ ଦଳର ନେତା ନିର୍ବାଚିତ ହୋଇ ୭ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଶ୍ରଦ୍ଧାକର ସୂପକାର ବିରୋଧିଦଳର ନେତା ନିର୍ବାଚିତ ହେଲେ । ନନ୍ଦକିଶୋର ଦାସ ବାଚସ୍ପତି ଓ ମୌଲବୀ ମହମ୍ମଦ ହନିଫ୍‍ ଉପବାଚସ୍ପତି ଭାବରେ ୧୯୫୨ ମସିହା ମାର୍ଚ୍ଚ ୮ତାରିଖରେ ନିର୍ବାଚିତ ହେଲେ ।

Odisha Rajanitira Itihasa.pdf

ପ୍ରଥମ ବିଧାନସଭାକୁ ତିନିଜଣ ମହିଳା ନିର୍ବାଚିତ ହୋଇଥିଲେ । ସେମାନେ ହେଲେ,ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀର କୁମାରୀ ରାମ ରାଜ (ସ୍ୱାଧୀନ); ରାଜନଗରରୁ ସରସ୍ୱତୀ ଦେବୀ (କଂଗ୍ରେସ) ଓ ରଣପୁରରୁ ବସନ୍ତମଞ୍ଜରୀ ଦେବୀ (କଂଗ୍ରେସ) । ସ୍ୱାଧୀନ ସଭ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ ପ୍ରଫେସର ପ୍ରାଣକୃଷ୍ଣ ପରିଜା (ବାଲିକୁଦା), ଖ୍ୟାତନାମା ପୂର୍ବତନ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ (ସତ୍ୟବାଦୀ), ପୂର୍ବତନ ବିଶିଷ୍ଟ କଂଗ୍ରେସ ନେତା ପଣ୍ଡିତ ଗୋଦାବରୀଶ ମିଶ୍ର (ବାଣପୁର), ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଆଳିରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିର୍ବାଚିତ ହେଲେ । ପୂର୍ବତନ ବିଶିଷ୍ଟ କଂଗ୍ରେସ ନେତା ଦିବାକର ପଟ୍ଟନାୟକ ଫରଓ୍ୱାର୍ଡ ବ୍ଲକ ଟିକେଟରେ ଗଂଜାମର ପାତ୍ରପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଆସିଥିଲେ ।

୯୨ . ଓଡ଼ିଶା ରାଜନୀତିର ଇତିହାସ