ରାମଚନ୍ଦ୍ର ପିଲାମାନଙ୍କ ଦୃଷ୍ଟିକୋଣକୁ ଚାହିଁ ଗଳ୍ପ ପୁସ୍ତକଗୁଡ଼ିକର ନାମକରଣ ଚିତ୍ତାକର୍ଷକ କରିତୋଳୁଥିଲେ । ତାଙ୍କର ଗଳ୍ପ ଲିଖନ ଶୈଳୀ କିପରି ଆକର୍ଷଣୀୟ ଏକ ଗଳ୍ପ ପୁସ୍ତକ "ସଚିତ୍ର ମାର୍କଣ୍ଡେୟ"ରୁ ପ୍ରଦତ୍ତ ଗୋଟିଏ ଉଦାହରଣରୁ ସ୍ପଷ୍ଟ ହୋଇଥାଏ । "ଦିନକର ଘଟଣା କହିବି । ଦୁଇ ପହର ବେଳ, ଚିଉଁଟିଆ ଖରା ମୁଣ୍ଡ ଉପରେ ଛିଡ଼ି ପଡ଼ୁଛି । ନଈ ବାଲି, ବଣପର୍ବତ, କାଠପତର, ଗଛପତ୍ର ସବୁ ନିଆଁ ପରି ତାତି ଯାଇଛି । ଏତେ ବଡ଼ ଖରାରେ କଣ ନତାତିବ ? ବାପରେ ବାପ, କି ତାତି, ନଈବାଲି ଉପରେ ମୁଠାଏ ଧାନ ପକାଇଦେଲେ ମଧ୍ୟ ଲିଆ ଫୁଟିଯିବ । ଆଉ କଅଣ ହେଇଛି ଶୁଣିବ ?" ରାମଚନ୍ଦ୍ରଙ୍କ ସାରସ୍ୱତ ପ୍ରତିଭା ଶିଶୁ ଓ କିଶୋର ଉପଯୋଗୀ ଗଳ୍ପ ରଚନା କ୍ଷେତ୍ରରେ ହୋଇଥିଲା ପ୍ରଭୂତ ସାଫଲ୍ୟମଣ୍ଡିତ ।
ରାମଚନ୍ଦ୍ର ଅଧିକାଂଶ ସାହିତ୍ୟକାରଙ୍କ ଭଳି ପ୍ରଥମରୁ କବିତା ରଚନାରେ ହାତ ଦେଇଥିଲେ । ସେଦିଗରେ ମଧ୍ଯ ତାଙ୍କର ସଫଳତା କମ୍ ନ ଥିଲା । ବୟସ୍କ ମାନଙ୍କ ପାଇଁ ସେ ଲେଖିଥିବା କବିତା ଗୁଡ଼ିକ "ଆଶା" ,"ଉତ୍କଳ ସାହିତ୍ୟ", "ପ୍ରଦୀପ" ଆଦି ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଥିଲା । ତାଙ୍କର ସାର୍ଥକ ଶିଶୁ କବିତା ଗୁଡ଼ିକ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପ୍ରଚଳିତ ସାହିତ୍ୟ ପାଠ୍ୟପୁସ୍ତକରେ ସ୍ଥାନ ଲାଭ ପାଇଥିଲା । ଦକ୍ଷିଣ ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ତାଙ୍କର ପାଠ୍ୟପୁସ୍ତକ ଓ ଶିଶୁ ସାହିତ୍ୟ ଖୁବ୍ ଆଦର ଲାଭ କରିଥିଲା ।
କୃତବିଦ୍ୟ ସାହିତ୍ୟ ସ୍ରଷ୍ଟା ରାମଚନ୍ଦ୍ର ଜଣେ କୃତୀ ଶିକ୍ଷକ ଭାବରେ ସଫଳତା ଲାଭ କରିବା ସହିତ ପାଠ୍ୟ ପୁସ୍ତକ ଓ ଶିଶୁ ସାହିତ୍ୟ ରଚନାରେ ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି । ଜଗଜ୍ଜନର ଜଞ୍ଜାଳ ଜ୍ୱାଳା ମଧ୍ଯରେ ସେ ସର୍ବଦା ଦୁଃଖ ଯନ୍ତ୍ରଣା ଓ ଅଭାବ ଅସୁବିଧାର ଅଗ୍ନିଦାହ ଅନୁଭବ କରିଥିଲେ ହେଁ, ନିଜର ଏକନିଷ୍ଥ ସାଧନ ଓ ସମ୍ମାନବୋଧ ଯୋଗୁଁ ସର୍ବ କ୍ଷେତ୍ରରେ ନିଜର ଶିର ଉନ୍ନତ କରି ସେ ଅସାଧାରଣ କୃତିତ୍ୱ ଅର୍ଜନ କରିଥିଲେ । ଜାତୀୟ ମମତା , ସ୍ୱାଭିମାନ ଓ ପ୍ରତିଶ୍ରୁତି ବଦ୍ଧତା ରାମଚନ୍ଦ୍ରଙ୍କୁ ଓଡ଼ିଆ ସାହିତ୍ୟର ବିକାଶ ଓ ସମୃଦ୍ଧି ସାଧନାରେ ବିପୁଳ ସର୍ଜନର ଅଧିକାରୀ କରିଥିଲେ । ଓଡ଼ିଶାର ଜନୈକ ପ୍ରତିଭାଶାଳୀ ସାରସ୍ୱତ ସାଧକ ଓ ଶିକ୍ଷକ ଭାବରେ ରାମଚନ୍ଦ୍ର ଆଚାର୍ଯ୍ୟ ଏକାନ୍ତ ବରେଣ୍ୟ ଓ ସେଥିପାଇଁ ତାଙ୍କର ସ୍ମୃତି ଏ ଜାତିର ଅନୁପେକ୍ଷଣୀୟ ।