୧୯୬୦ ମସିହାରେ ଜାନୁଆରୀ ୨୫ ତାରିଖର ଶିଶିରସିକ୍ତ ସାୟାହ୍ନ । ନୂଆଦିଲ୍ଲୀର ବିଜ୍ଞାନଭବନ ରାଶିରାଶି ଉଜ୍ଜ୍ବଳ ପ୍ରଦୀପ ମାଳାରେ ଦେବୀପ୍ଯମାନ । କେତୋଟି ମୂହୁର୍ତ୍ତ ପରେ ଆରମ୍ଭ ହେବ "ଜାତୀୟ ଶିକ୍ଷକ ସମ୍ବର୍ଦ୍ଧନା ।" ଏହି ଉତ୍ସବରେ ଯୋଗଦାନ ଲାଗି ସମାଗତ ଭାରତର ବିଭିନ୍ନ ପ୍ରାନ୍ତର କୃତୀ ଶିକ୍ଷକଗଣଙ୍କର ମୁଖମଣ୍ଡଳ ଆନନ୍ଦରେ ଉଭାସିତ । ଧୀର ଗମ୍ଭୀର ପଦ କ୍ଷେପରେ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ସଭାଗୃହ ମଧ୍ଯରେ ପ୍ରବେଶ କରି ଆସନ ଗ୍ରହଣ କଲେ । ଉଦ୍ଘୋଷିତ ହେଲା ପୁରସ୍କାର ପ୍ରଦାନ ଲାଗି ଦେଶର ସର୍ବୋତ୍ତମ କେତେକ ଶିକ୍ଷାବିତ୍ଙ୍କ ନାମ । ଏଥିରେ ଓଡିଶାର ସୁବିଖ୍ଯାତ ଶିକ୍ଷାବିତ୍ ଦିବ୍ଯସିଂହ ପଟ୍ଟନାୟକଙ୍କ ନାମ ଘୋଷିତ ହୋଇଥିଲା । ବିପୁଳ ହର୍ଷଧ୍ବନୀ ମଧ୍ଯରେ ସେ ସମ୍ବୋଧିତ ହୋଇ ମାନପତ୍ର ଉପାୟନାଦି ଗ୍ରହଣ କଲେ ରାଷ୍ଟ୍ରପତିଙ୍କ ଠାରୁ । ପୁରସ୍କାର ପ୍ରଦାନର ସମାପ୍ତି ପରେ ସେ ଆହୁତି ହେଲେ ସତ୍ତା ମଞ୍ଚକୁ । ଶ୍ରୋତୃମଣ୍ଡଳୀକୁ ଶିକ୍ଷାକ୍ଷେତ୍ରରେ ନିଜର ଅନୁଭୂତିମୟ ସଂଗ୍ରାମର ବିବରଣୀ ଉପସ୍ଥାପନ କଲେ । ସଭାସ୍ଥଳ ମନ୍ଦ୍ରିତ ହେଲା ଉଚ୍ଛ୍ୱ୍ୱସିତ କରତାଳିରେ ।ସମାଜ ପାଇଁ,ରାଷ୍ଟ୍ର ପାଇଁ ନିଜ ଜୀବଙ୍କୁ ତିଳ ତିଳ କରି ଦଗ୍ଧ କରିଥିବା ଜଣେ ମନୀଷୀଙ୍କୁ ନିକଟରେ ପାଇବାର ଓ ଶୁଣିବାର ସୁଯୋଗ ଲାଭ କରି ନିଜକୁ ଧନ୍ଯ ମନେ କଲେ ସେଦିନର ଶ୍ରୋତୃମଣ୍ଡଳୀ । ତାହାଙ୍କ ପ୍ରଦତ୍ତ ସେହି ଅଭିବ୍ଯକ୍ତିର ସାରାଂଶ ଥିଲା ଏହିପରି :
"ଜୀବନର ଯେଉଁ ଯେଉଁ ଶିକ୍ଷାୟତନରେ ମୁଁ ଶିକ୍ଷକତା କରିଛି ,ସେହି ସେହି ବିଦ୍ଯାଳୟ ଗୁଡିକର ପ୍ରତ୍ଯେକ ଛାତ୍ରର ବଂଶ, ପରିବାର ,ପରିବେଶ ସହିତ ପରିଚିତ ହେବା ସଂଗେ ସଂଗେ ତାର ପଠନ ଓ ପରୀକ୍ଷାଗତ ମୂଲ୍ଯାୟନ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲି । ପ୍ରତ୍ଯେକ ଛାତ୍ର କେଉଁ ଗ୍ରାମର, କେଉଁ ପରିବାରର,କେଉଁ ଭଳି ଆର୍ଥିକ ସଙ୍ଗତି,ଅସଙ୍ଗତି ବା ସାମାଜିକ ଅନୁକୂଳତା ବା ପ୍ରତିକୂଳତାର ସମ୍ମୁଖୀନ ହେଉଛି-ସହାନୁଭୂତିର ସହିତ ସେସବୁ ଅନୁଧ୍ଯାନ କରୁଥିଲି । କେତେକ କ୍ଷେତ୍ରରେ ଅନ୍ତରାୟ ଦୂରୀକରଣ ଲାଗି ଯେତେଦୂର ସମ୍ଭବ