ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାହାଯ୍ୟଦାନର ବ୍ୟବସ୍ଥା କରୁଥିଲି । ଛାତ୍ରଙ୍କ ପ୍ରାଣରେ ଗଭୀର ଆତ୍ମପ୍ରତ୍ୟୟ ଆଣିବା ସଂଗେ ସଂଗେ ନିର୍ଭୀକତାର ସହିତ ଜୀବନ ପଥରେ ଗତି କରିବା ଲାଗି ଆଶା ଓ ଆକାଂଖ୍ୟା ସଂଚାର କରିବା ଦିଗରେ ଆଗ୍ରହୀ ଥିଲି । ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଛାତ୍ରର ପୂର୍ଣ୍ଣାଙ୍ଗ ବିକାଶ ଘଟୁ । ସେ ଚରିତ୍ରବାନ ହେଉ । ପ୍ରକୃତରେ ପ୍ରତ୍ୟେକ ଛାତ୍ରଥିଲେ ମୋର ସାଧନାର ସମ୍ପଦ, କୃତିର ଆଲେଖ୍ୟ । ସୁକୁମାରମତି ଛାତ୍ରମାନେ ହିଁ ମୋର ଜୀବନର ପ୍ରକୁଷ୍ଟ ପୁରସ୍କାର ।

ଭାରତ ସରକାରଙ୍କ ଶିକ୍ଷା ବିଭାଗୀୟ ପତ୍ରିକାରେ ସେତେବେଳେ ପ୍ରକାଶ ପାଇଥିଲା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପ୍ରଶସ୍ତି । ଓଡ଼ିଶାର ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକର ଶିକ୍ଷକ ମାନଙ୍କ ମଧ୍ୟରେ ସେ ସର୍ବାଦୌ ସମ୍ମାନିତ ହୋଇଥିଲେ । ଶିକ୍ଷକଙ୍କ ଲାଗି ଉଦ୍ଦିଷ୍ଟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତିର ଗୌରବ ଅର୍ଜନ ଅବକାଶରେ ସେ ନିଷ୍କପଟ, ନିରଳସ ସାଧନା ମାଧ୍ୟମରେ ଜାତିର ଭବିଷ୍ୟତ ଗଠନ ପାଇଁ ଆଶାପୋଷଣ କରିଥିଲେ । ବାସ୍ତବରେ ସେ ଥିଲେ ଜଣେ ମହାନ କର୍ମଯୋଗୀ ।

ଏହି ମହାନ୍ ଶିକ୍ଷାବିତ୍ ୧୮୯୭ ମସିହା ଜୁନ ମାସ ୧ ତାରିଖରେ ଖୋର୍ଦ୍ଦା ତହସିଲର ଦଧିମାଛଗାଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଭାଗୀରଥି ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସୁଲକ୍ଷଣା ଦେବୀ । ଦଧିମାଛଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ ଓ ଯାଆଁଳା ମଧ୍ୟ ଭର୍ଣ୍ଣାକୁଲାର ବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ବୃତ୍ତିଲାଭ କରିଥିଲେ । ୧୯୧୩ ମସିହାରେ ସେ ଖୋର୍ଦ୍ଧା ହାଇସ୍କୁଲ୍‌ରେ ଅଧ୍ୟୟନ କରିଥିଲେ । ଏହି ବିଦ୍ୟାଳୟର ଛାତ୍ରଭାବରେ ୧୯୧୭ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ୍ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସଂଗେ ସଂଗେ ପୁରୀ ଜିଲ୍ଲାର ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ତାଙ୍କୁ ମାସିକ ଦଶ ଟଙ୍କା ହିସାବରେ ଦୁଇ ବର୍ଷ ପାଇଁ ବୃତ୍ତି ମିଳିଥିଲା ।

ମାଟ୍ରିକ୍ୟୁଲେସନ ପରେ ସେ ରେଭେନ୍‌ସା କଲେଜରେ ନାମ ଲେଖାଇ ଜଣେ ବିଶିଷ୍ଟ ମେଧାବୀ ଛାତ୍ର ରୂପେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ୧୯୧୯ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାର ଛାତ୍ରମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହି କୃତିତ୍ୱ ଯୋଗୁଁ କଟକ ଜିଲ୍ଲାବୋର୍ଡ଼ ପକ୍ଷରୁ ଓଡ଼ିଶା ପ୍ରେମୀ ବଡ଼ଲାଟ ମେୟୋଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଛାତ୍ରବୃତ୍ତି ପାଣ୍ଠିରୁ ମାସିକ ଦଶଟଙ୍କାର

୧୧୦