ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୩୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନ୍ଧ୍ରକେଶରୀ ଟି. ପ୍ରକାଶମ୍‌ଙ୍କ ସ‌ହାୟତାରେ ତେଲୁଗୁମାଙ୍କର ବ୍ରହ୍ମପୁରକୁ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ କରିବା ପ୍ରଚେଷ୍ଟା ବିରୁଦ୍ଧରେ ପ୍ରକାଶମ୍‌ଙ୍କ ବ୍ରହ୍ମ‌ପୁର ଆଗମନବେଳେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସିବାକୁ ବିକ୍ଷୋଭକାରୀମାନଙ୍କୁ ମୋଟର ସାଇକେଲରେ ବ୍ରହ୍ମ‌ପୁର ପଠାଇବାରେ ଦିବ୍ୟସିଂହ ବାବୁଙ୍କର ବ୍ୟାପକ ବ୍ୟବସ୍ଥା ଓ ଉଦ୍ୟମ ଓଡିଶା ପ୍ରଦେଶ ଗଠନରେ ସ‌ହାୟକ ହୋଇଥିଲା ।

ଚୈତ୍ରମାସ ମଙ୍ଗଳବାରରେ ଠାକୁରାଣୀପୂଜା ନାମରେ ଗଞ୍ଜାମ ଜିଲ୍ଲାରେ ସ‌ହସ୍ର ସ‌ହସ୍ର ଛାଗବଳି ଦିଆଯାଉଥିଲା । ଏହି ବଳିପ୍ରଥା ବିରୁଦ୍ଧରେ ଜନମତ ସଂଗ୍ରହ କରି ସେ କିଛି ମାତ୍ରାରେ ସଫଳ ହୋଇଥିଲେ । ଏତଦ୍‌ବ୍ୟତୀତ ଅସ୍ପୃଶ୍ୟତା ନିବାରଣ କଳ୍ପେ ନୈଶ ବିଦ୍ୟାଳୟ ସ୍ଥାପନ ପରି ଅନେକ ଗଠନ ମୂଳକ କାର୍ଯ୍ୟ ସେ ସମ୍ପାଦନ କରିଥିଲେ । ତାଙ୍କ ଦ୍ୱାରା ବିରଚିତ ଏକ ଭାଷାପ୍ରାର୍ଥନା "ଭଜଗୋବିନ୍ଦ" ସେ ଅଞ୍ଚଳରେ ଧର୍ମ ଭାବର ଲହରୀ ସୃଷ୍ଟି କରିଥିଲେ, ୧୯୩୫ ମସିହାରେ ତାଙ୍କର 'ହରିଜନ ନନ୍ଦ' ପୁସ୍ତକ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅତିରିକ୍ତ ପାଠ୍ୟପୁସ୍ତକ ରୂପେ ମଞ୍ଜୁରୀ ଲାଭ କରିଥିଲା । ହରିଜନମାଙ୍କର ଉନ୍ନତି କଳ୍ପେ ତାଙ୍କର ପ୍ରଗାଢ଼ ଉଦ୍ୟମ ବାସ୍ତବିକ୍ ଅଭିନନ୍ଦନୀୟ ଓ ପ୍ରଶଂସନୀୟ ।

ସୋରଡା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିବାବେଳେ ସେଠାରେ ଏକାଦଶଶ୍ରେଣୀ ପାଇଁ ସେ ଏକ ଗୃହ ନିର୍ମାଣ କରାଇଥିଲେ । ଖଲ୍ଲିକୋଟ ମର୍ଦ୍ଦରାଜ ଉଚ୍ଚବିଦ୍ୟାଳୟରେ ଥିଲାବେଳେ ତାଙ୍କ ଉଦ୍ୟମରେ ଏକ ସୁବିସ୍ତୀର୍ଣ୍ଣ କ୍ରୀଡାପ୍ରାଙ୍ଗଣ ନିର୍ମିତ ହୋଇଥିଲା । ଏଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କ୍ରୀଡା ସଂଘର ଦ୍ୱିତୀୟ ବାର୍ଷିକ ଅଧିବେଶନରେ ତ‌ତ୍କାଳୀନ ଡି.ପି.ଆଇ ସ୍ୱର୍ଗତ ଶ୍ୟାମଚରଣ ତ୍ରିପାଠୀ ପୁରୋଧା ରୂପେ ଯୋଗ ଦେଇ ପ୍ରଧାନ ଶିକ୍ଷକ ଦିବ୍ୟସିଂହ ବାବୁଙ୍କର କର୍ମ‌ଯୋଜନା ଓ କାର୍ଯ୍ୟ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ । ଭଞ୍ଜନ‌ଗର ଉଚ୍ଚବିଦ୍ୟାଳୟରେ ସେ ଅନେକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।

ତାଙ୍କର ସ୍ମୃତିଚାରଣ କରି କେତେକ ପ୍ରାକ୍ତନ ଛାତ୍ର କ‌ହ‌ନ୍ତି- "ବ‌ହୁ ସମୟରେ ସାର୍‌ଙ୍କୁ ଆମେ ରାତ୍ରିର ମଧ୍ୟଭାଗରେ ସ୍କୁଲ୍ ପ୍ରାଙ୍ଗଣରେ ଘୂରି ବୁଲୁଥିବାର ଦେଖିଛୁ । ନୂତନ ରୋପିତ ବୃକ୍ଷର ଚାରା, ନବ ପଲ୍ଲବିତ ପୁଷ୍ପ ଉଦ୍ୟାନ ଯେପରି ଗୋମହିଷିଙ୍କ ଦ୍ୱାରା ନଷ୍ଟ ହୋଇନ‌ଯାଏ ନୂତନ ନିର୍ମିତ ହେଉଥିବା ସ୍କୁଲ୍ ଗୃହର କାନ୍ଥଗୁଡିକରେ ଯେପରି ଠିକ୍ ଭାବରେ ପାଣି ଦିଆଯାଏ, ସେ ରାତି ରାତି ବୁଲି ତାହା ପରୀକ୍ଷା କରୁଥିଲେ ।

୧୧୩