Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଞ୍ଜନ‌ଗର ଚକ୍ରପାଣି ଛାତ୍ରାବାସର ପ୍ରକାଣ୍ଡ ଭୋଜନାଳୟଟି ତାଙ୍କର ଅବଦାନ । ତାଙ୍କର ଆପ୍ରାଣଚେଷ୍ଟା ଓ ଦୃଢ଼ମନୋବଳ ଯୋଗୁଁ ଏହି ବିଦ୍ୟାଳୟର ବିରାଟ ଦ୍ୱିତଳ ପ୍ରାସାଦଟି ନିର୍ମିତ ହୋଇପାରିଥିଲା । ସୋରଡା ଉଚ୍ଚବିଦ୍ୟାଳୟରେ ଥିଲାବେଳେ ସେ ବିଦ୍ୟାଳୟକୁ ଏକ ନୂତନ ରୂପ ଦେଇଥିଲେ । ତାଙ୍କ ଦ୍ୱାରା ସ୍ଥାପିତ ସମବାୟ ଭଣ୍ଡାର ଏବେ ସୋରଡାର ବିଶାଳ ବାଣିଜ୍ୟ କେନ୍ଦ୍ରରେ ପରିଣତ ହୋଇଛି । ବର୍ଷକ ପାଇଁ ସେ କଟକସ୍ଥିତ ଭାରତ ସରକାରଙ୍କ ଅଧୀନରେ ଥିବା ବୃତ୍ତିମୂଳକ ଶିକ୍ଷାକେନ୍ଦ୍ରର ପରିଚାଳକ ରୂପେ ନିଯୁକ୍ତ ହୋଇଥିଲେ । ୧୯୪୫ ମସିହାରେ ସେ ପୁରଷୋ‌ତ୍ତମ‌ପୁର ବିଦ୍ୟାଳୟରେ "ଅନ୍‌ସ୍କୋ ଇନ୍‌ଷ୍ଟିଚ୍ୟୁସନ୍"ରେ ପ୍ରଧାନଶିକ୍ଷକ ରୂପେ ଅବସ୍ଥାପିତ ହୋଇ ଓଡିଆ-ତେଲୁଗୁ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ଓ ସୁରମ୍ୟ ଉଦ୍ୟାନ ତାଙ୍କ କର୍ମତ‌ତ୍ପରତାର ନିଦର୍ଶନ ଅଟେ ।

୧୯୫୧ ମସିହା ଜୁଲାଇ ମାସ ୪ ତାରିଖରେ ଶ୍ରୀଯୁକ୍ତ ଦିବ୍ୟସିଂହ ପଟ୍ଟନାୟକ ବକ୍ସିଜଗବନ୍ଧୁ ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ । ଯେଉଁ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ, ସେହି ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିଲେ । ତାଙ୍କ ଆଗମନ ଫଳରେ ବିଦ୍ୟାଳୟର ବ୍ୟାପକ ସମ୍ପ୍ରସାରଣ ଘଟିଥିଲା । ଛାତ୍ରଙ୍କ କ୍ରମାଗତ ସଂଖ୍ୟାବୃଦ୍ଧି ଫଳରେ ଯେଉଁ ସ୍ଥାନଭାବ ହୋଇଥିଲା, ତାହାର ପୂରଣ ଲାଗି ତାହାଙ୍କ ଉଦ୍ୟମରେ ଦୁଇଟି ଦ୍ୱିତଳ ଅଟ୍ଟାଳିକା, ଗୋଟିଏ ବିଶାଳ ସଭାଗୃହ, ବିଜ୍ଞାନାଗାର ଓ ସାଂସ୍କୃତିକ ମଞ୍ଚ ନିର୍ମିତ ହୋଇପାରିଥିଲା । ତାଙ୍କ ତ‌ତ୍ୱାବଧାନରେ ଏହି ଉଚ୍ଚବିଦ୍ୟାଳୟର ଖ୍ୟାତି ବୃଦ୍ଧି ପାଇବାରୁ ଦୂର ଦୂରାନ୍ତରୁ ଛାତ୍ରମାନେ ଏଠାକୁ ଅଧ୍ୟୟନ କରିବା ନିମିତ୍ତ ଆସୁଥିଲେ । ପ୍ରାୟ ପ୍ରତିବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରୁ ଜଣେ ଦୁଇଜଣ ଏହି ବିିଦ୍ୟାଳୟର ଛାତ୍ର ରହୁ‌ଥିଲେ । ଅଧ୍ୟୟନ ସ‌ହିତ କ୍ରୀଡା, ସ୍କାଉଟ୍, ଗାଇଡ୍‌ସ, ରେଡକ୍ରସ, ଏନ୍.ସି.ସି ଆଦି ଉପରେ ମଧ୍ୟ ସେ ଗୁରୁତ୍ୱ ଦେଉଥିଲେ । "ସ୍ୱାସ୍ଥ୍ୟ ହିଁ ସମ୍ପଦ", ଏକ ସୁସ୍ଥ ଶରୀର ଏକ ସୁସ୍ଥ ମନର ପରିଚାୟକ ଏହା ଉତ୍ତମ ରୂପେ ସେ ହୃଦୟଙ୍ଗମ କରିଥିଲେ । ଏଥିପାଇଁ ସେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥିଲେ । ବନୀକରଣ ଉପରେ ସେ ସର୍ବଦା ଛାତ୍ରମାନଙ୍କୁ ବୁଝାଉଥିଲେ । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପଛୁଆ ଛାତ୍ରମାଙ୍କୁ ଶିକ୍ଷାଦାନ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ ସେ ବରାବର ଚେଷ୍ଟା କରୁଥିଲେ । ସର୍ବଦା ଖଦଡ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ବିଦ୍ୟାଳୟରେ ଏକ ତନ୍ତ ସ୍ଥାପନ କରି ଛାତ୍ରମାନଙ୍କ ଦ୍ୱାରା ଗାମୁଛା ବୁଣାଇଥିଲେ । ସେ ଜଣାଇଦେବାକୁ ଚା‌ହୁଁଥିଲେ ଯେ, ସ୍ୱବଲମ୍ବନଶୀଳ ମନୁଷ୍ୟ ହିଁ ପ୍ରକୃତ ମନୁଷ୍ୟ ।

୧୧୪