ବିଦ୍ୟାଳୟର ଉନ୍ନତି ପାଇଁ ସେ ଭୋକଶୋଷ ଭୁଲିଯାଉଥିଲେ । ସେ ଜାଣିଥିଲେ ଯଦି ଏହି ମଣିଷ ତିଆରି କାରଖାନାର କୌଣସି ଅଂଶ ଭଗ୍ନ ବା ଅଚଳ ହୋଇଯିବ ତେବେ ଏହା ଉତ୍ତମ ମଣିଷ ତିଆରିରେ ପ୍ରତିବନ୍ଧକ ସୃଷ୍ଟି କରିବ । ସମାଜସେବୀ ଗିରିଜାଭୂଷଣ ପଟ୍ଟନାୟକ କହନ୍ତି, "ସ୍କୁଲ୍ ସ୍କୁଲ୍ ଏବଂ ସ୍କୁଲ୍, ସନ୍ଧ୍ୟା ହେଲାଣି, ପତାକା ସ୍ତମ୍ଭ ପାଖରେ ଜଣେ କିଏ ଅନେଇଛି ସ୍କୁଲ୍ ଆଡକୁ, ଆଖିରେ ତା'ର ସ୍ୱପ୍ନ ସାୟନ୍ତନ ରବି ଭଳି । ସେ ଆଉ କେହି ନୁହନ୍ତି, ନିଶ୍ଚୟ ଦିବ୍ୟ ସିଂହ ପଟ୍ଟନାୟକ, ରାତି ପାହିନାହିଁ, କୋଡିଧରି ସ୍କୁଲ୍ ପଡିଆ ସଫା କରୁଛନ୍ତି ଜଣେ କିଏ ? ସେ ନିଶ୍ଚୟ ଦିବ୍ୟସିଂହ । ସ୍କୁଲ୍ ତାଙ୍କର ଖାଲି ପେଷା ନୁହେଁ, ନିଶା ମଧ୍ୟ ।" ତାଙ୍କ କାର୍ଯ୍ୟକଳାପରେ ସ୍କୁଲ୍ ପ୍ରାଙ୍ଗଣରେ ଯେପରି ସଯତ୍ନ ରକ୍ଷିତ ଦେବମନ୍ଦିର, ଗୋଟିଏ ଦୃଷ୍ଟାନ୍ତରୁ ବିଦ୍ୟାଳୟ ପ୍ରତି ତାଙ୍କର ପ୍ରେମ ସ୍ପଷ୍ଟ ବାରି ହୋଇପଡେ- ଦିନେ ଜନୈକ ଛାତ୍ର ଗୋଟିଏ ଡାଳ ଭାଙ୍ଗିଦେଲା, ଦିବ୍ୟସିଂହବାବୁ ଏହା ଦେଖି ତା'ର କାନଟିକୁ ମୋଡି ଧରିଲେ ପଚାରିଲେ, କେମିତି ଲାଗୁଛି, ପିଲାଟା କହିଲା, ସାର କାଟୁଛି, ଦିବ୍ୟସିଂହ ବାବୁ ବୁଝାଇଦେଲେ, ଯଦି କାନଟାକୁ ମୋଡିଲେ ତୋତେ କଷ୍ଟ ହେଉଛି- ସେହିପରି ଗଛର ଡାଳକୁ ଭାଙ୍ଗିଲେ ତାକୁ କଷ୍ଟ ହୁଏ, କାରଣ ତାର ବି ଜୀବନ ଅଛି ।
ଦିବ୍ୟସିଂହ ବାବୁ ଥିଲେ କର୍ମବୀର, ବାକ୍ୟବୀର ନୁହେଁ । ଭଲକାର୍ଯ୍ୟ କରିବା ପାଇଁ ତାଙ୍କର ଜିଦ୍କୁ କେହି ପ୍ରତିହତ କରିପାରୁନଥିଲେ । ଗର୍ବ, ଅହଂକାର ଲେଶମାତ୍ର ତାଙ୍କଠାରେ ନଥିଲା, ମନୁଷ୍ୟର ଚରିତ୍ର ଓ ଶୃଙ୍ଖଳା ଉପରେ ସେ ସର୍ବଦା ଗୁରୁତ୍ୱ ଆରୋପ କରୁଥିଲେ ।
ଖୋର୍ଦ୍ଧା କଲେଜ ସ୍ଥାପନା ଦିଗରେ ତାଙ୍କର ଅବଦାନ ଚିରସ୍ମରଣୀୟ । କଲେଜର ବିଶ୍ୱବିଦ୍ୟାଳୟ ସ୍ୱୀକୃତି ଲାଭ ପାଇଁ ସ୍ଥିରୀକୃତ ଅର୍ଥ ପରିମାଣରୁ ଦଶହଜାର ଟଙ୍କା ନିଅଣ୍ଟ ପଡିଲା । ଏଥିପାଇଁ ସେ ସ୍କୁଲ୍ର "ଛାତ୍ର ଓ ଶିକ୍ଷକ ପାଣ୍ଠି"କୁ ଜମାଦେଇ କଲେଜକୁ ସ୍ୱୀକୃତିପ୍ରାପ୍ତ କରାଇଥିଲେ । ପରେ ଛଅମାସ ଲାଗି ବୁଲିବୁଲି ବସ୍ଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରୁ ଏକଟଙ୍କିଆ ଦାନ ଚାନ୍ଦା ହିସାବରେ ଜନସାଧାରଣଙ୍କଠାରୁ ଆଦାୟ କରି ଉକ୍ତ ଶିକ୍ଷକ ପାଣ୍ଠିରେ ଭରଣା କରିଥିଲେ । କଲେଜ ସ୍ଥାପନା ପରଠାରୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଭାବେ କଲେଜ ପରିଚାଳନା କମିଟିର ସଭ୍ୟ ରହିଥିଲେ । ଖୋର୍ଦ୍ଧାରେ ଖାଉଟି ସମବାୟ ଭଣ୍ଡାର କରି ସେ ଏହାର ପ୍ରତିଷ୍ଠାତା ସଭାପତି ରୂପେ ଦୀର୍ଘଦିନ ଧରି ପରିଚାଳନା କରିଥିଲେ । ଖୋର୍ଦ୍ଧା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ, ବରୁଣାଇ
୧୧୫