ମୁଁ ସକାଳେ ଘରକୁ ଆସି ଗାଧୁଆ ପାଧୁଆ ସାରି ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ସାଙ୍ଗମାନେ ବିଭିନ୍ନ ସ୍ଥାନରେ ଦଳବଳ ହୋଇ ଟୁପୁରୁଟାପୁର ହେଉଥିବାର ଦେଖିଲି । ଜାଣିବାକୁ ଡ଼େରି ଲାଗିଲା ନାହିଁ ଯେ ପ୍ରଧାନ ଶିକ୍ଷକ ଚୋରି କଥା ଜାଣିସାରିଛନ୍ତି । ଯେଉଁମାନଙ୍କର ବାଡ଼ିରୁ ଚୋରିଯାଇଛି, ସେମାନଙ୍କୁ ତାଙ୍କ ଜିନିଷର ଉଚିତ ମୂଲ୍ୟ ନିଜ ହାତରୁ ଦେଇ ସେ ବୁଝାଇ ଶୁଝାଇ ବିଦା କରିଦେଇଛନ୍ତି । ଚୋରି କରିଥିବା ଛାତ୍ରମାନେ ନିଜେ ଦୋଷ ସ୍ୱୀକାର ନ କରିବା ପର୍ଯ୍ୟନ୍ତ ଏବଂ ଜିନିଷ ଉଦ୍ଧାର ନ ହେବା ପର୍ଯ୍ୟନ୍ତ ସେ ଅନଶନ କରିଛନ୍ତି । ସକାଳୁ ଜଳ ମଧ୍ୟ ସ୍ପର୍ଶ କରି ନାହାନ୍ତି । କିନ୍ତୁ କିଏ ତାଙ୍କୁ ସତକଥା କହିବ? କାହାରି ସାହସ ହେଉ ନଥାଏ, ସେ ଜଣ ଜଣ କରି ଛାତ୍ର ମାନଙ୍କୁ ଡ଼ାକି ଅଭୟ ଦେଉଥାଆନ୍ତି ଯେ କଥାଟା ସତ ସତ ମାନିଗଲେ ସେ କାହାରିକୁ କୌଣସି ଦଣ୍ଡ ଦେବେ ନାହିଁ। ଅପର।ହ୍ନ ତିନିଟା ବାଜିଲା । ଶେଷକୁ ଆମ୍ଭେମାନେ ଥୟ ଧରି ରହିପାରିଲୁ ନାହିଁ, ତାଙ୍କ ପାଖକୁ ଯାଇ ସତକଥା ମାନିଗଲୁ । ଜିନିଷ ଯେଉଁଠାରେ ପୋତିଥିଲୁ, ଖୋଳି ବାହାର କଲୁ । ସେ ଆମ୍ଭମାନଙ୍କୁ ବୁଝାଇଲେ, ଚୋରି କରିବା ମହାପାପ । ଗଣେଶ ଚତୁର୍ଥୀ ତ ବିଦ୍ୟାଦାତାଙ୍କୁ ପୂଜା କରିବାର ଦିନ। ସେ ଦିନ ପବିତ୍ର ମନରେ ଆରାଧନା କଲେ ଗଣେଶ ସନ୍ତୁଷ୍ଟ ହୋଇ ବିଦ୍ୟାଦାନ କରନ୍ତି। ଚୋରି କଲେ ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଗଲାଭଳି ସମସ୍ତ ପବିତ୍ରତା ନଷ୍ଟ ହୁଏ । ଆମ୍ଭେମାନେ ଚୋରି କରିବୁ ନାହିଁ ବୋଲି ତାଙ୍କ ନିକଟରେ ଶପଥ କଲୁ । ପରିବାତକ ନେଇ ଭୋଜି କରିବାର ସମସ୍ତ ବ୍ୟବସ୍ଥା ସେ କରିଥିଲେ ଏବଂ ସମସ୍ତ ଖର୍ଚ୍ଚ ସେ ବହନ କରିଥିଲେ । ଛାତ୍ରମାନଙ୍କ ଚରିତ୍ରଗଠନ ପାଇଁ ପ୍ରଗାଢ଼ ଉଦ୍ୟମ କରୁଥିବା ଗାନ୍ଧୀବାଦୀ ଏହି ପ୍ରଧାନ ଶିକ୍ଷକ ହେଉଛନ୍ତି ମଧୁସୁଦନ ମିଶ୍ର । ସେ ତାଙ୍କର ତ୍ୟାଗପୂତ ଜୀବନ ଓ ଜନସେବା ନିମନ୍ତେ ଲୋକମାନଙ୍କ ଭିତରେ କାକଟପୁର ଗାନ୍ଧୀ ରୂପେ ପରିଚିତ ଥିଲେ ।
ତାଙ୍କର ଜନ୍ମ ୧୮୯୪ ମସିହା କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପୁରୀ ଜିଲ୍ଲାର କାକଟପୁର ନିକଟସ୍ଥ "ଗଙ୍ଗାନାରାୟଣପୁର " ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ । ସେ ନିଜ ଗାଁର ଚାଟଶାଳୀରେ ଅଧ୍ୟୟନ କରିବାପରେ କାକଟପୁର ଏମ୍.ଭି. ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ସେତେବେଳେ ଦେଶରେ ଏମ୍.ଭି. (Middle Vernacular) ଓ ଏମ.ଇ. (Middle English) ଏହିପରି ଦୁଇପ୍ରକାର ବିଦ୍ୟାଳୟ ଥିଲା । ଏମ.ଭି. ସ୍କୁଲ୍ରେ ଇଂରାଜୀ ପଢ଼ାଯାଉନଥିଲା । ଏତିକି ବ୍ୟତୀତ ଏ ଦୁଇ ସ୍କୁଲ୍ର ପାଠ୍ୟକ୍ରମରେ ଅନ୍ୟ କୌଣସି ପ୍ରଭେଦ ନଥିଲା । ମଧୂସୂଦନ କାକଟପୁର ଏମ.ଭି. ସ୍କୁଲ୍ରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।
୧୧୮