'ରାମଚଣ୍ଡୀଠାରେ ରାତ୍ରି' ଅଧ୍ୟାୟରେ ବର୍ଣ୍ଣିତ ବିଷୟସବୁ ପରେ କାବ୍ୟରୂପ ପାଇଥିଲେ ହେଁ ସେଦିନ ବର୍ଷଣମୁଖର ରାତ୍ରିରେ ନୀଳକଣ୍ଠ କୋଣାର୍କ ଓ ଓଡ଼ିଶାର ଗୌରବାବହ ଇତିହାସ ଛାତ୍ରମାନଙ୍କ ନିକଟରେ ବର୍ଣ୍ଣନା କରିଥିଲେ । ମଧୁସୂଦନ ପଣ୍ଡିତ ନୀଳକଣ୍ଠ ଓ ଆଚାର୍ଯ୍ୟ ହରିହରଙ୍କ ସହ ଖଣ୍ଡଗିରି ଓ ଧଉଳିଗିରି ଦେଖିବାକୁ ଯାଇଥିଲେ । ସେତେବେଳେ ଆଜିକାଲି ପରି ସେଠାକୁ ରାସ୍ତା ତିଆରି ହୋଇ ନଥିଲା, ଯାନବାହନ ଯିବାର ପ୍ରଶ୍ନ ନଥିଲା । ସେମାନେ ସମସ୍ତେ ପଦଯାତ୍ରା ହିଁ କରିଥିଲେ । ଠିକ୍ ବାହାରିବା ପୂର୍ବରୁ ଆଚାର୍ଯ୍ୟ ହରିହରଙ୍କର ପତ୍ନୀ ବିୟୋଗ ଘଟିଥିଲା, କିନ୍ତୁ ଆଚାର୍ଯ୍ୟ ହରିହର ତିଳେମାତ୍ର ବିଚଳିତ ନ ହୋଇ ଛାତ୍ରମାନଙ୍କ ଗହଣରେ ଯାତ୍ରା କରିଥିଲେ। ଏପରି କର୍ତ୍ତବ୍ୟବୋଧ କ୍ୱଚିତ୍ ଦେଖାଯାଇଥାଏ । ଏହାର ପ୍ରଭାବ ମଧୁସୂଦନଙ୍କ ଚରିତ୍ର ଉପରେ ପଡ଼ିଥିଲା ଏବଂ ପରବର୍ତ୍ତୀ ଜୀବନର ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ପାରିବାରିକ ସୁଖକୁ ପଛରେ ପକାଇ ଦେଶ ଓ ଦଶର ସେବାରେ ସେ ନିଜକୁ ନିୟୋଜିତ କରିଥିଲେ ।
ଏହି ସମୟରେ ପି.ଏନ୍.ଶଙ୍କର ନାରାୟଣ ନାୟାର ନାମକ ଜଣେ ତାମିଲ ଧର୍ମପ୍ରାଣ ଶିକ୍ଷକ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ । ତାଙ୍କର ସଂସ୍କୃତ ସାହିତ୍ୟରେ ଗଭୀର ପାଣ୍ଡିତ୍ୟ ଥିଲା। ସେ ପ୍ରତିଦିନ ଭାଗବତ ପାଠ କରୁଥିଲେ , ମଧୁସୂଦନ ତାଙ୍କ ନିକଟରେ ସଂସ୍କୃତ ଭାଗବତ ଅଧ୍ୟୟନ କରି ଜୀବନର ଶେଷ ଦିନ ପର୍ଯ୍ୟନ୍ତ ପ୍ରତ୍ୟୁଷରୁ ସ୍ନାନ ପୂର୍ବକ ଭାଗବତ ଅଧ୍ୟୟନ କରୁଥିଲେ । କୁରୁଜଙ୍ଗଠାରେ ପ୍ରଧାନ ଶିକ୍ଷକ ହେବା ସମୟରେ ସେ ପ୍ରାତଃସ୍ନାନ ସମାପନ ପରେ ଗୋଟିଏ ନିର୍ଜନ ଶ୍ରେଣୀ କକ୍ଷରେ ବସି ସଂସ୍କୃତ ଭାଗବତ ପାଠକରିବାର ଏ ଲେଖକ ଦେଖିଛି ।
୧୯୧୮ ମସିହାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଏଣ୍ଟ୍ରାନ୍ସ ପାସ କରି ଉଚ୍ଚଶିକ୍ଷା ନିମନ୍ତେ ଟ୨୦,୦୦ ବୃତ୍ତିପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମିତବ୍ୟୟୀ ମଧୁସୂଦନ ଏହି ବୃତ୍ତି ପାଇ ରେଭେନ୍ସା କଲେଜର ଏଫ.ଏ. ଶ୍ରେଣୀରେ ଅଧ୍ୟୟନ କରିବାକୁ ଲାଗିଲେ । ୧୯୨୦ ମସିହା ଏଫ.ଏ. ଶ୍ରେଣୀର ଶେଷ ବର୍ଷ । ମାତ୍ର ଦୁଇମାସ ପରେ ସେ ପରୀକ୍ଷା ଦେଇ କୃତିତ୍ୱର ସହ ପାସ କରିଥାଆନ୍ତେ । ମାତ୍ର ସେତିକିବେଳେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ଦେଶରେ ଅଭୁତପୂର୍ବ ଜାଗରଣ ଦେଖାଦେଲା । ଦେଶପ୍ରେମର ବନ୍ୟାରେ ଦେଶସାରା ପ୍ଳାବିତ ହୋଇଉଠିଲା । ମଧୁସୁଦନ ନିଜର ତଥା ପରିବାରର ଭବିଷ୍ୟତକୁ ପଛରେ ପକାଇ ଗ୍ରହଣ କରିଥିଲେ ଦେଶସେବାର ପବିତ୍ର ଆହ୍ୱାନ । ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ପ୍ରଭୃତିଙ୍କର କର୍ତ୍ତବ୍ୟବୋଧ ତାଙ୍କର ହୃଦୟକୁ ଆଲୋଡ଼ିତ କରିଥିଲା । ସେ ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ । ଗୋପବନ୍ଧୁଙ୍କ ନେର୍ଦ୍ଦେଶରେ
୧୨୦