ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୌଣସି ଛାତ୍ର ଛାତ୍ରବାସରେ ହେଉ ବା ଘରେ ହେଉ, ବେମାର ପଡ଼ିଲେ ସେ ତା'ର ଚିକିତ୍ସା ଓ ସେବାପାଇଁ ତତ୍ପର ହୋଇ ଉଠୁଥିଲେ । ସେ କାଳରେ ସେ ଅଞ୍ଚଳରେ ଡ଼ାକ୍ତରଖାନା ନ ଥାଏ । ମଧୁସୂଦନ ହୋମିଓପାଥିକ ଚିକିତ୍ସା ଜାଣିଥିଲେ ଓ ଗୋଟିଏ ବାକ୍ସରେ ଔଷଧ ସବୁ ରଖୁଥିଲେ । ତାହାରି ସାହାଯ୍ୟରେ ସେ ନିଜେ ଚିକିତ୍ସା କରି ସଫଳକାମ ହେଉଥିଲେ । କେବଳ ଛାତ୍ରମାନେ ନୁହନ୍ତି, ଅନ୍ୟ ଯେ କୌଣସି ରୋଗୀ ତାଙ୍କ ପାଖରେ ପହଞ୍ଚିଲେ ସେ ଆଗ୍ରହର ସହିତ ତାହାର ଚିକିତ୍ସା କରୁଥିଲେ । କହିବା ବାହୁଲ୍ୟ, ଚିକିତ୍ସା ତ ଦୂରର କଥା ଔଷଧ ପାଇଁ ମଧ୍ୟ କାହାରିଠାରୁ ସେ ପଇସାଟିଏ ଗ୍ରହଣ କରୁ ନ ଥିଲେ ।

ତାଙ୍କର ଗଭୀର ଧର୍ମ ବିଶ୍ୱାସ ଥିଲା ଏହା କିନ୍ତୁ ସାମ୍ପ୍ରଦାୟିକତା ଓ କୁସଂସ୍କାର ଠାରୁ ଥିଲା ବହୁଦୂରରେ । ସେ ଆଜୀବନ ନିରାମିଷାଶୀ ଥିଲେ , କିନ୍ତୁ ଆମିଷ ଆହାରକୁ ବା ଆମିଷାଶୀକୁ ଘୃଣା କରୁନଥିଲେ ।

ତାଙ୍କ ଅବସ୍ଥାନ କାଳରେ କୁରୁଜଙ୍ଗ ମାଇନର ସ୍କୁଲ୍‌ରେ ଗୋଟିଏ ପୁରସ୍କାର ବିତରଣୀ ସଭାର ଆୟୋଜନ କରାଯାଇଥିଲା । ଅଳ୍ପ ସମ୍ବଳ ମଧ୍ୟରେ ସୁନ୍ଦର ସଭା ଆୟୋଜିତ ହୋଇଥିଲା । ସ୍ଥାନୀୟ ଭଦ୍ରବ୍ୟକ୍ତି, ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଓ ପୂର୍ବତନ ଛାତ୍ରମାନେ ନିମନ୍ତ୍ରିତ ହୋଇ ସେ ସଭାରେ ଯୋଗଦାନ କରିଥିଲେ । ସେ ଦିନ ସେ ଯେଉଁ ଆବେଗପୁର୍ଣ୍ଣ ଭାଷଣଟିଏ ଦେଇଥିଲେ, ତାହା ସମସ୍ତଙ୍କ ମନକୁ ସ୍ପର୍ଶ କରିଥିଲା । ମୋର ମେନହୁଏ, ଷାଠିଏ ବର୍ଷ ବିତିଯାଇଥିଲେ ମଧ୍ୟ ସେପରି ଉତ୍ସବଟିଏ ସେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇପାରି ନାହିଁ ।

ଛାତ୍ରମାନଙ୍କ ପ୍ରତି ତାଙ୍କର ସ୍ନେହ ଥିଲା ପ୍ରଗାଢ଼ । ଏ ଲେଖକ ପୁରୀରେ ଶିକ୍ଷା- ମଣ୍ଡଳାଧିକାରୀ ଥିବା ସମୟରେ ସେ ଥରେ ସେଠାରେ ପ‌ହଞ୍ଚିଥିଲେ । ସେତେବେଳକୁ ଜରାଗ୍ରସ୍ତ ହୋଇ ପଡ଼ିଥାଅନ୍ତି । ତାଙ୍କର ମୁହଁଟି ବେକଠାରୁ ବାମ‌ପାଖକୁ କିଞ୍ଚିତ ଢ଼ଳି ପଡ଼ିଥାଏ । ଏ ବୟସରେ କଷ୍ଟକରି ଆସିବାର କାରଣ ପଚାରିବାରୁ ସେ କ‌ହିଲେ, "ତ‌ତେ ଟିକିଏ ଦେଖିବାକୁ ଆସିଲି । କର୍ତ୍ତବ୍ୟଚ୍ୟୁତ ହେବୁ ନାହିଁ ।" ଶିକ୍ଷକଙ୍କଠାରୁ ଆଉ ଅଧିକ କ'ଣ ଆଶା କରାଯାଇପାରେ !!

ସେ ୮୪ ବର୍ଷ ବୟସରେ ୧୯୭୮ ମସିହାରେ ଇହଲୀଳା ସମ୍ବରଣ କଲେ । ମର ଶରୀରର ବିଲୟ ଘଟିଥିଲେ ମଧ୍ୟ ତାଙ୍କର ଆଦର୍ଶ ଜୀବନ, ନୈତିକତା, ଜନସେବା ଓ ଛାତ୍ରବତ୍ସଳତା ଚିର ସ୍ମରଣୀଯ ହୋଇ ରହିବ । ତାଙ୍କ ମରଣ, ଜୀବନର ଅବସାନ ମାତ୍ର ନୁହେଁ, କବିଙ୍କ ଭାଷାରେ "ଅମୃତର ସୋପାନ" ।

୧୨୩