ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ କଟକ ପଠାଇଲେ ନାହିଁ । ଘରେ ଘରେ ସଂସ୍କୃତ ପଢ଼ିଲେ । କର୍ମକାଣ୍ଡ ଆୟତ୍ତ କଲେ । ଭାଗବତ ଗୀତା, ରାମାୟଣ, ମହାଭାରତ, ହରିବଂଶ, ଇତ୍ୟାଦି ପୂରାଣ ଆୟତ୍ତ କଲେ । ସେତେବେଳେ କେନ୍ଦୁଝର ରେ କେହି ରାଜା ନଥାନ୍ତି । ଜେ.ଏଚ. ପ୍ରାଇସ୍ ନାମକ ଜଣେ ଗୋରା ସାହେବ ସୁପରିନ୍ଟେଣ୍ଡେଣ୍ଟ ଥାଆନ୍ତି । ସେ ବୃନ୍ଦାବନ ବାବୁଙ୍କୁ ଉଦୟପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ଦେଲେ ।
ଉଦୟପୁର କେନ୍ଦୁଝର ସଦର ଓ ଚମ୍ଫୁଆ ସବଡ଼ିଭିଜନ ଦ୍ୱୟର ସବୁଠାରୁ ବଡ଼ଗ୍ରାମ । କେନ୍ଦୁଝର ରାଜବଂଶର ଦ୍ୱିତୀୟ ଉଦୟ ଭଞ୍ଜ ସେଠାରେ ଗଡ଼ ସ୍ଥାପନ କରିଥିଲେ । ସେତେବେଳେ କୁ ଉଦୟପୁର ଉଆସ ଭାଙ୍ଗିରୁଜି ଆସୁଥାଏ । ଉଦୟପୁର ଦଣ୍ଡପାଟର ଶାସନ ମୁଖ୍ୟ ଗଡ଼ନାୟକ ସେହି ଗ୍ରାମର ବାସିନ୍ଦା, ପାଇକ ନାଇକ ସଭିଏଁ ଥାଆନ୍ତି ସେଇଠି । ଉଦୟପୁରରେ ଶିକ୍ଷକତା କରିବାକୁ ହେଲେ କାମରେ ନିଷ୍ଠା ଦରକାର । ସମସ୍ତଙ୍କ ମନନେଇ ଚଳିବାକୁ ହେବ । ବୃନ୍ଦାବନ ଦାଶଙ୍କୁ ତାଙ୍କ ସ୍କୁଲ୍ରେ ଶିକ୍ଷକ ଭାବରେ ପାଇ ସଭିଏଁ ଖୁସି, କାରଣ ସେ ଉଦୟପୁର ଦଣ୍ଡପାଟର ପିଲା । ତାଙ୍କର ପିତା ଗୋବିନ୍ଦ ଦାଶେ ପାଟଣାର ସାତଖଣ୍ଡି ଗାଆଁ ର ପ୍ରାଶାସନିକ ମୁଖ୍ୟ ବା ପଧାନ । ତାଙ୍କ ର ଯଥେଷ୍ଟ ଖ୍ୟାତି ଥିଲା । ତେଣୁ ଉଦୟପୁର ଗ୍ରାମର ଲୋକେ ବୃନ୍ଦାବନ ବାବୁଙ୍କୁ ସଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ । ସେ ସ୍କୁଲରେ ପିଲାମାନଙ୍କୁ ଆପଣାର କରି ବୁଝେଇ ଶୁଝେଇ ପାଠ ପଢ଼ାନ୍ତି । ପିଲାମାନଙ୍କୁ ସ୍କୁଲ୍ ବହିର୍ଭୂତ ସମୟରେ ହଷ୍ଟେଲରେ ଆଣି ପଢ଼ାନ୍ତି । ବଗିଚା କରନ୍ତି । ବଗିଚାରେ ସବୁ ଋତୁରେ ଫୁଲ ଫୁଟିଥାଏ । ସବୁଦିନ ପନିପରିବା ଫଳେ । କଦଳୀ କାନ୍ଧି କାଢ଼େ । ପିଲାମାନେ ଶିକ୍ଷକଙ୍କ ପାଇଁ ସାତଦିନରେ ଥରେ ସଞ୍ଚା ଆଣନ୍ତି । ଶିକ୍ଷକ ସ୍କୁଲ ବଗିଚାର ପନିପରିବା ପିଲାଙ୍କ ମଧ୍ୟରେ ବାଣ୍ଟିଦିଅନ୍ତି । ଗାଁ ଲୋକମାନେ ସ୍କୁଲ ଘର, ହଷ୍ଟେଲ ଓ ଶିକ୍ଷକଙ୍କ ବସା ଘର ମରାମତି କରନ୍ତି ବିନା ଅବହେଳାରେ, ଶିକ୍ଷକ କେବଳ ଛାତ୍ରଛତ୍ରୀଙ୍କୁ ଶିକ୍ଷାଦାନ କରି ଚୁପ୍ ରହନ୍ତି ନାହିଁ । ଛାତ୍ର ମୁରବୀ ତଥା ଗ୍ରାମର ମୁଖ୍ୟ ଲୋକଙ୍କୁ ନେଇ ସ୍କୁଲ୍ର ଉନ୍ନତିରେ ବେଶ୍ ସହାୟକ ହୁଏ । ସବ୍ଇନିସ୍ପେକ୍ଟର, ସେକେଣ୍ଡ ଅଫିସର ଓ ସବ୍ଡ଼ିଭିଜନାଲ୍ ଅଫିସର ପ୍ରତ୍ୟେକେ ଯୁବ ଶିକ୍ଷକ ବୃନ୍ଦାବନ ବାବୁଙ୍କ କର୍ତ୍ତବ୍ୟନିଷ୍ଠାର ତାରିଫ କରନ୍ତି । ସେହି ସ୍କୁଲ୍ରେ ଚାକିରି ମଧ୍ୟରେ ତାଙ୍କୁ ଗୁରୁ ତାଲିମ ନେବାକୁ ହେଲା । ଗୁରୁ ଟ୍ରେନିଂ ନେବା ଫଳରେ ସେ ଶିକ୍ଷାଦାନ ସଂପର୍କରେ ବହୁ ଦିଗ୍ଦର୍ଶନ ଲାଭ କଲେ ।
୧୩୨