Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶହେଟି ବଉଳ ମଞ୍ଜି ବା ତେନ୍ତୁଳି ମଞ୍ଜି ମଧ୍ୟ ପିଲାମାନେ ନେଇଥାନ୍ତି । ସ୍କୁଲ୍‌ରେ ବଡ଼ କାଠ ଫ୍ରେମ୍‌ରେ ତାର ଦ୍ୱାରା ବଡ଼ ବଡ଼ ଗୋଲିମାନ ରହିଥାଏ । ତାହା ଶିକ୍ଷକ ଗଣିତ ଶିକ୍ଷା ଦେବା ବେଳେ ବ୍ୟବହାର କରନ୍ତି । କର୍ମ ସଂଗୀତ ପିରିୟଡ଼୍‌ରେ ଗୀତ ସାଙ୍ଗେ ସାଙ୍ଗେ ଅଭିନୟ କରାଯାଏ । ସେଥିରୁ ଗୋଟିଏ ହେଉଛି । "ବଙ୍କା ବଙ୍କା ଦେଖ ଲତା ଗଛେ ଯାଏ ମାଡ଼ି, ସେହିପରି ବଙ୍କା ଦେଖ ଏହି ମୋର ବାଡ଼ି ।" ଏହାଛଡ଼ା "ବଡ଼ ହେଲେ ମୁହିଁ କୃଷକ ହେବି, ଲଙ୍ଗଳ ଧରିଣ ବିଲ ଚଷିବି" ଇତ୍ୟାଦି । ଡ଼୍ରିଲ୍‌ରେ ମୁଦ୍‌ଗର ବୁଲା, ତାଳ ଦେଇ ଡ୍ରିଲ୍ ସହ ଡମ୍ବେଲ ପିଟା, ଏକହାତିଆ ନିହୁର, ଦୁଇହାତି ନିହାର ଓ ଅନ୍ୟ କେତେ କ'ଣ । ସେତେବେଳ ସରକାରୀ କଳରେ ଓଡ଼ିଆ ଭାଷା ମାଧ୍ୟମରେ ଅନେକ କାର୍ଯ୍ୟ ଚଳୁଥିଲା । ଓଡ଼ିଆ କରଣୀ ଛଟା ଅକ୍ଷର ମାନଙ୍କର ପ୍ରଚଳନ ଥିଲା । ତେଣୁ ପ୍ରାଥମିକ ଶ୍ରେଣୀରେ ଛଟାକ୍ଷର ଶିକ୍ଷା ଦିଆଯାଊଥିଲା । ପିଲାମାନଙ୍କୁ ଗପ କହିବା ଏକ ପୁରାତନ ପ୍ରଥା। ଗଳ୍ପଟିଏ କହି ତାହାକୁ ପିଲାମାନଙ୍କୁ ନେଇ ଅଭିନୟ କରାଇବା ଦ୍ୱାରା ଗପଗୁଡ଼ିକ ଆକର୍ଷଣୀୟ ହୋଇଥାଏ । ପିଲାମାନେ ଖାଲି ଅଭିନୟ କରିବା ଅପେକ୍ଷା ଗଳ୍ପରେ ଯେଉଁ ଯେଉଁ ଜୀବଜନ୍ତୁଙ୍କ କଥା ଥାଏ ସେହି ଜୀବଜନ୍ତୁମାନଙ୍କର ସୁନ୍ଦର ଭାବେ ଚିତ୍ରିତ ମୁଖା ଅଭିନୟ ବେଳେ ବ୍ୟବହାର କରନ୍ତି । ଏଥିପାଇଁ ସ୍କୁଲ୍ ସମୂହର ଡ଼େପୁଟି ଇନିସପେକ୍ଟର ରାୟ ସାହେବ କ୍ଷେତ୍ର ମୋହନ ମିଶ୍ର ଏକ ପାଠ୍ୟପୁସ୍ତକ "ଗଳ୍ପାଭିନୟ" ରଚନା କରିଥାନ୍ତି । ତାହା ଶ୍ରେଣୀରେ ଚଳୁଥାଏ । ଦିତୀୟ ଓ ତୃତୀୟ ଶ୍ରେଣୀରେ ଓଡ଼ିଶା ଇତିହାସ ସାଙ୍ଗକୁ "କେନ୍ଦୁଝର " ଇତିହାସ ଓ କେନ୍ଦୁଝର ଭୂଗୋଳ ପାଠ୍ୟକ୍ରମରେ ସ୍ଥାନ ପାଇଥାଏ ।

ସ୍କୁଲ୍ ସାଜସଜ୍ଜାରେ ଉଦ୍ୟାନ କର୍ମ, ରିଲିଫ୍ ମାନଚିତ୍ର, ବିଭିନ୍ନ ଭୋଗୋଳିକ କ୍ଷେତ୍ର, ହସ୍ତକର୍ମ, ଆଦର୍ଶ ଘରତିଅରି, ଖେଳ ଦୋକାନ, ଶ୍ରେଣୀ କାନ୍ଥରେ ବିଭିନ୍ନ ନୀତି ବଚନ, ପାଠ, ରେଖା, ନୋଟିସ୍ ବୋର୍ଡ ଓ ସ୍କୁଲ୍‌ର ବାହାର କାନ୍ଥରେ ବିଭିନ୍ନ ମନ୍ଦିର, ଲାଲ୍‌କିଲ୍ଲା, ବାରବାଟି, ତାଜମହଲ ସାଙ୍ଗକୁ ରାଣାପ୍ରତାପ, ଶିବାଜୀ, ମାହାତ୍ମା ଗାନ୍ଧି, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ ଅଦି ନେତାମାନଙ୍କର ରଙ୍ଗୀନ୍ ଫଟୋ ଚିତ୍ର ଶୋଭା ପାଉଥିଲା । ବୃନ୍ଦାବନବାବୁ ଯେଉଁ ସ୍କୁଲ୍‌ରେ କାର୍ଯ୍ୟ କରିଛନ୍ତି, ଏ ସମସ୍ତ ପ୍ରକାର ସାଜସଜ୍ଜାରେ ସେ ସ୍କୁଲ୍ ପରିସରକୁ ହସାଇ ଦେଉଥିଲେ । ସେ ଜଣେ ଅଦର୍ଶ ଶିକ୍ଷକ ଥିବାରୁ ଯେକୌଣସି ଯୋଜନା ଅସିଛି ସେ ତାକୁ ନିଷ୍ଠାର ସହିତ କାର୍ଯକାରୀ କରିବାରେ ଲାଗି ପଡୁଥିଲେ । ତାଙ୍କର ଚାକିରି ଜୀବନରୁ ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ତାଙ୍କ ସ୍କୁଲ୍ ପିଲା ପ୍ରାୟ ବୃତ୍ତି ପାଉଥିଲେ ।

୧୩୫