ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜଣାଇଦେଲେ। ମାତ୍ର ରାମକୃଷ୍ଣ ବାବୁ ସ୍କୁଲ ଖୋଲିବାର ପୂର୍ବଦିନ ଭିଙ୍ଗାରପୁରରେ ପହଞ୍ଚିଲେ। ମାତ୍ର ସମ୍ପାଦକ ଗଙ୍ଗାଧର ବାବୁଙ୍କ ସହିତ ତ୍ରିପାଠୀ ସାହେବଙ୍କ ସିଧା ସମ୍ପର୍କ ଥିବାରୁ ଇନସପେକ୍ଟର ତାଙ୍କର ବିରୋଧୀ ବୋଲି ସମ୍ପାଦକଙ୍କ ଧାରଣା। ତେଣୁ ରାମକୃଷ୍ଣ ଦେଖି ସେ ନିଜର ଆଶଙ୍କା ଓ ଉତ୍କଣ୍ଠା ପ୍ରକାଶ କଲେ। ମାତ୍ର ରାମକୃଷ୍ଣଙ୍କୁ ବାବୁ କହିଲେ-ଆପଣ ବ୍ଯସ୍ତ ହୁଅନ୍ତୁ ନାହିଁ। ଅଫିସ୍ କାଗଜପତ୍ର ତ ସବୁ ଠିକ୍ ଅଛି, ଦେଢମାସ ଗ୍ରୀଷ୍ମ ଛୁଟି ପରେ ଯେତେବେଳେ ସ୍କୁଲ ଖୋଲୁଛି, ପିଲାମାନେ ଚାଉଳ ପେଡିପେଟରା ଧରି ଆସିବେ ନିଶ୍ଚୟ । ଏଠି ବସ୍ ଅଛି ନା ଟ୍ରେନ୍ ଅଛି? ଇନ୍ସପେକ୍ଟର କ'ଣ ଜାଣନ୍ତି ନାହିଁ, ଏଇଟା ମଫସଲ ଜାଗା ବୋଲି? ତେଣୁ ସମସ୍ତେ ଆସି ଠିକ୍ ସାଢେ ଦଶଟା ପୂର୍ବରୁ ସ୍କୁଲରେ ପହ୍ଞ୍ଚିବା ସମ୍ଭବପର ନୁହେଁ। ଯେତେଦୂର ସମ୍ଭବ, ସ୍କୁଲ ସମୟ ଭିତରେ ଯେପରି କୌଣସି ବିଶୃଙ୍ଖଳା ନଘଟେ , ତା ମୁଁ ଦେଖିବି। ଏହିପରି କହି ରାମକୃଷ୍ଣ ବାବୁ ସମ୍ପାଦକଙ୍କୁ ଦମ୍ଭ ଦେଲେ। ସେ ଦିନର ଅନୁଭୂତି ସର୍ମ୍ପକରେ ସେ ନିଜେ ଲେଖିଛନ୍ତି:

    ଇନ୍ସପେକ୍ଟର  ଏସ୍  ରାୟ  ନିର୍ଦ୍ଦିଷ୍ଟ  ଦିନ ଆସି ପହ୍ଞ୍ଚିଲେ।  ଭିଙ୍ଗାରପୁର  ହାଇସ୍କୁଲ  ପ୍ରତି  ସେ  ପୂର୍ବରୁ  ପ୍ରତିକୂଳ   ଭାବାପନ୍ନ  ଅଛନ୍ତି ବୋଲି  ଗଙ୍ଗାଧର  ବାବୁଙ୍କ ଠାରୁ   ଶୁଣି ସୁଦ୍ଧା ମୁଁ  ବିଚଳିତ ହୋଇନଥାଏ।  ଡାକ୍ତରଖାନା  ସଂ ଲଗ୍ନ  ଜିଲ୍ଲା  ବୋର୍ଡ  ବିଶ୍ରାମଗୃହରେ  ସେ  ଅବସ୍ଥାନ  କରୁଥାନ୍ତି।  ମୁଁ  ବସାରେ  ଥାଇ  ଶୁଣିଲି,ସେ ସକାଳ  ୮ଟାରେ  କିରାନିବାବୁଙ୍କୁ  ଡକାଇ  ସ୍କୁଲର  କାଗଜପତ୍ର  ଦେଖାଦେଖି  କରୁଛନ୍ତି। ସାଢେ ୧୦ଟାରେ  ସ୍କୁଲ୍,  ତେଣୁ  ମୁଁ  ପ୍ରାୟ  ଦଶ ଟା ପନ୍ଦର  ମିନିଟ୍ ରେ  ସ୍କୁଲରେ ପହ୍ଞ୍ଚିଲି। ଏଥିମଧ୍ଯରେ  ରାୟ  ମହାଶୟ  ସ୍କୁଲ କୁ  ଆସି  ଛାତ୍ରବାସରେ  ପିଲାମାନଙ୍କର  ଭୋଜନ ପ୍ରଭୃତି  ଦେଖି  ଟିକିଏ ବିରକ୍ତ  ଭାବ  ପ୍ରକାଶ  କରିଥିବା  ଜଣେ  ଶିକ୍ଷକ ମୋତେ  ସୂଚନା   ଦେଲେ। ସେ  ଯାହାହେଉ,  ମୁଁ  ଅଫିସ୍ ରେ  ପହ୍ଞ୍ଚିବା  ମାତ୍ରେ  ଇନସପେକ୍ଟରଙ୍କ  ସଙ୍ଗେ  ମୋର ପ୍ରଥମ  ସାକ୍ଷାତ  ହେଲା। ଭଦ୍ରୋଚିତ   ରୀତିରେ  ସେ   ପ୍ରଥମେ ମୋର  ପରିଚୟ  ପଚାରି  ବୁଝିଲା  ପରେ  ସ୍କୁଲ୍  ଦେଖିବାକୁ  ବାହାରିଲେ।  ଶିକ୍ଷକମାନଙ୍କର  ଶିକ୍ଷାଦାନ  ଦେଖୁ  ଦେଖୁ  ସାଢେ ଗୋଟିଏ  ବାଜିଗଲା  ମୁଁ  ବରାବର  ତାଙ୍କ  ପାଖରେ  ରହିଥିଲି।  ପରିଦର୍ଶନ  ବେଳେ  ତାଙ୍କ  ବ୍ଯବହାର  ଓ  କଥାବାର୍ତ୍ତାରେ  କୌଣସି  ଅସ୍ୱାଭାବିକତା  ବା  ବିରକ୍ତିଭାବ  ଲକ୍ଷ୍ଯ  କଲି ନାହିଁ। ସେ ମୋ ସଙ୍ଗେ ସ୍କୁଲର  ବିଭିନ୍ନ  ସମସ୍ଯା  ବିଷୟରେ  ଖୁବ୍   ବନ୍ଧୁତ୍ୱପୂର୍ଣ୍ଣ  ଆଲୋଚନା  କଲେ। ସ୍କୁଲ  ପ୍ରତି  ତାଙ୍କର  ବିଦ୍ୱେଷ ବା  ପ୍ରତିକୂଳ ଭାବ  ଥିବାର କୌଣସି  ପ୍ରମାଣ  ପାଇଲି  ନାହିଁ।  ସାଢେ ଗୋଟିଏ  ବେଳେ  ତାଙ୍କ  ପରିଦର୍ଶନ  କାର୍ଯ୍ଯ  ଶେଷ  କରି ସେ  ବିଶ୍ରାମ  ଭବନ କୁ ଫେରିଗଲେ।