ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପିଲାଏ ସକାଳ ୭ଟାରେ ସ୍କୁଲକୁ ଆସନ୍ତି। ପ୍ରାର୍ଥନା, ସଫେଇକାମ, ସୂତାକଟା ଓ ଲୁଗାବୁଣା ଆଦି କାମ ସାରି ଘ.୮.୩୦ରେ ଶ୍ରେଣୀ ଗୃହରେ ପଢାନ୍ତି।
୧୯୪୭ ମସିହା ଜାନୁଆରୀ ମାସରେ ବୟସ୍କ ଲୋକଙ୍କୁ ସ୍ୱାକ୍ଷର କରିବା ପାଇଁ ଏକ ଯୋଜନାର କାର୍ଯ୍ଯ ଗାଁମାନଙ୍କରେ ଚାଲିଥାଏ। ମୁଣ୍ଡ ପିଛା ସରକାରଙ୍କ ତରଫରୁ ଏକ ଟଙ୍କା ଦେବାର ବ୍ଯବସ୍ଥା ମଧ୍ଯ ହୋଇଥାଏ। ଦାଶରଥି ବାବୁ ପ୍ରତି ଗୁରୁବାର ଓ ଶନିବାରରେ ଗାଁ ଲୋକମାନଙ୍କୁ ସଂଧ୍ଯା ସମୟରେ ପଢେଇବାକୁ ଡାକନ୍ତି ସ୍କୁଲକୁ। ଯେଉଁ ୧୫ ଜଣ ଆସନ୍ତି ସେମାନଙ୍କୁ ବିନା ପରିଶ୍ରମିକରେ ସେ ଶିକ୍ଷାଦାନ କରିଥନ୍ତି।
ନଈବଢି ସମୟରେ ସହକାରୀ ଶିକ୍ଷକମାନଙ୍କୁ ନେଇ ଆଖପାଖ ଲୋକଙ୍କୁ ସେ ସାହାଯ୍ଯ ବଣ୍ଟନ କରନ୍ତି। ୧୫ ଦିନରେ ଥରେ ମୁଠିଚାଉଳ ସଂଗ୍ରହ କରି ଭିକାରି ଓ ଅନାଥ ଲୋକଙ୍କୁ ସ୍କୁଲରେ ରୋଷେଇ କରି ସେ ଖୁଆନ୍ତି।
୧୯୩୦ ମସିହାରୁ ୧୯୪୦ ମସିହା ମଧ୍ଯରେ ତାଙ୍କ ଲିକ୍ଷିତ ଓଡିଆ ହସ୍ତାକ୍ଷର ଖାତା ଯାଜପୁର ଜିଲ୍ଲାରେ ବହୁଳ ଭାବରେ ପ୍ରଚଳିତ ହୋଇଥିଲା। ସେହିପରି ଲୀଳାବତୀ ସୂତ୍ର ମାଧ୍ଯମରେ କିପରି ସହଜରେ ବଡ ବଡ ସଂଖ୍ଯା ଗୁଡିକୁ ମିଶାଯାଏ ତାହା ମଧ୍ଯ ସେ କେନ୍ଦ୍ର ଶିକ୍ଷକ ମଣ୍ଡଳୀରେ ପ୍ରଦର୍ଶନ କରୁଥିଲେ।
ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ କରିବା ଓ କରାଇବାକୁ ସେ ଖୁବ ଭଲ ପାଉଥିଲେ। ତାଙ୍କୁ ସେ ଅଞ୍ଚଳରେ ଲୋକେ ଶିକ୍ଷକବନ୍ଧୁ ଆଖ୍ଯା ଦେଇଥିଲେ। ତାଙ୍କର ପିଲାପିଲି କିଛି ନ ଥିଲା। ସ୍କୁଲର ପିଲାଏ ତାଙ୍କ ପିଲା ବୋଲି ସେ ସର୍ବତ୍ର କହନ୍ତି।
୧୯୫୪ ମସିହା ଏପ୍ରିଲ୍ ୨୧ ତାରିଖ ସକାଳ ପାଞ୍ଚଘଣ୍ଟା ସମୟରେ ଏହି ଆଦର୍ଶ ଶିକ୍ଷକଙ୍କର ମହାପ୍ରୟାଣ ଘଟିଲା। ଅନ୍ଯ ଅନେକଙ୍କ ପରି ମୁଁ ମଧ୍ଯ ଭାବେ ଯେ, ଦାଶରଥି ବାବୁ ସେ ଅଞ୍ଚଳର ଏକ ଅଲିଭ ଆଲୋକ ; ବହୁ ବାଞ୍ଚିତ ଆଦର୍ଶ ଶିକ୍ଷକ।