ଅଫିସର୍ ଭାବରେ କଟକରେ ଅବସ୍ଥାପିତ ହୋଇଥିଲା । ମାଟ୍ରିକ୍ଯୁଲେସନ୍ ପାସ୍ କଲା ପରେ ମୋତେ ମଧ୍ଯ ପଢିବା ଲାଗି କଟକ ଆସିବାକୁ ପଡିଥିଲା । ସେତିକିବେଳେ ସାରଙ୍କ ପାଖକୁ ମୁଁ ବହୁବାର ଯାଇଛି ଓ ଲାଭ କରିଛି ତାଙ୍କର ସସ୍ନେହ ଆତିଥ୍ଯ ଓ ଆଦର । ପ୍ରାକ୍ତନ ଛାତ୍ର ଭାବରେ ତାଙ୍କର ଏଇ ମମତା ଭୁଲିବାର ନୁହିଁ। ପରବର୍ତ୍ତୀ କାଳରେ ତାଙ୍କ ରଚନାବଳୀ ସମ୍ପର୍କରେ କିଞ୍ଚିତ ପ୍ରତିକୂଳ ଅଭିମତ ମୁଁ ଗୋଟିଏ ପ୍ରବନ୍ଧରେ ପ୍ରକାଶ କରିଥିଲା। ତଥାପି ଆମର ବ୍ଯକ୍ତିଗତ ସ୍ନେହ ଓ ଭକ୍ତିର ସମ୍ପର୍କ ତିଳେ ହେଲେ କ୍ଷୂର୍ଣ୍ଣ ହୋଇନଥିଲା। ଏହିପରି ଉଦାର ସୌଜନ୍ଯସମ୍ପନ୍ନ ଓ ସ୍ନେହଶୀଳ ଥିଲା ବୈକୁଣ୍ଠନାଥଙ୍କ ବ୍ଯକ୍ତିତ୍ୱ ।
ପବ୍ଲିସିଟି ଅଫିସର ପଦରୁ ଅବ୍ଯାହତି ଲାଭ କରି କବି ପୁଣି ପ୍ରଧାନ ଶିକ୍ଷକ , ପ୍ରୌଢଶିକ୍ଷା ଅଫିସର , ସ୍କୁଲ୍ ଇନିସ୍ପେକ୍ଟର ଭବେ ବିଭିନ୍ନ କ୍ଷେତ୍ରରେ କାମକରି ଅବସର ଗ୍ରହଣ କଲେ । ରାଣୀହାଟ ଗଉଡ଼ସାହିରେ ସଂକୀର୍ଣ୍ଣ ଜାଗାଟିଏ କିଣି ସେଉଠି ଛୋଟ ଘରଟିଏ ତିଆରିକରି ରହିଲେ। ଦିନେର ପୁଣି ସ୍ନାନାଗାରରେ ପଡିଯାଇ ତାଙ୍କର ଗୋଡଟି ଜଖମ ହୋଇଗଲ। ବୟସର ପ୍ରଭାବରେ ଦୃଷ୍ଟିଶକ୍ତି ମଧ୍ଯ କ୍ଷୀଣ ହୋଇ ଆସୁଥାଏ। ତଥାପି ଦୃଢମନାକବି ଅନ୍ଯ କାହାରି ସେବା ଗ୍ରହଣ କରିବାକୁ ଚାହୁଁ ନଥିଲେ। ଉପରମହଲାରେ ଗୋଟିଏ ଛୋଟ ପ୍ରକୋଷ୍ଠରେ ସେ ସ୍ୱପାକୀ ଓ ସ୍ୱାବଲମ୍ବା ଭାବେ ଚଳୁଥାନ୍ତି। ତଳ ମହଲାରେ ରହନ୍ତି ତାଙ୍କ ପରିବାରବର୍ଗ। ଅଧ୍ଯୟନ ଓ ସାମୟିକ ଲେଖାଲେଖି କରିବା ରେ ତାଙ୍କର ଅବସର କାଳ କଟିଯାଉଥିଲା। ଜରାଗ୍ରସ୍ତ ହେଲେ ବି ସେ କିପରି ଜ୍ଞାନପିପାସୁ ଥିଲେ, ତାହା ଗୋଟିଏ ପ୍ରସଙ୍ଗରୁ ଅନୁମେୟ।
୧୯୭୦ ମସିହା ଜାନୁଆରୀ ମାସର କଥା-ଦିନେ ହଠାତ୍ ସାର୍ ଙ୍କଠାରୁ ଖଣ୍ତିଏ ଚିଠି ପାଇଲି। ତାଙ୍କ ପାଖକୁ ଯିବାଲାଗି ସେ ମୋତେ ଅନୁରୋଧ କରିଛନ୍ତି ସେଇ ଚିଠିରେ। ସେଇ ଦିନ ଅପରାହ୍ନରେ ଯାଇ ତାଙ୍କ ଘରେ ପହ୍ଞ୍ଚିଲି। କ'ଣ ବା ମୋ ପାଖେ ସାର୍ ଙ୍କ କାମ। ସେତେବେଳେ ମୁଁ ଥିଲି ରେଭେନ୍ସା କଲେଜ ପୂର୍ବ ଛାତ୍ରୀବାସର ତତ୍ତ୍ୱାବଧାରକ। ଭାବିଲି, ହୁଏତ ଛାତ୍ରୀବାସରେ କାହାକୁ ରଖିବା ସମ୍ପର୍କ ରେ ମୋତେ କିଛି କହିବାକୁ ସାର୍ ଚାହାନ୍ତି। ଦୁଃଖ ସୁଖ କଥାବାର୍ତ୍ତା ହେଲାପରେ କାହିଁକି ମୋତେ ଡକାଇଛନ୍ତି ସେ କଥା ପଚାରିଲି। ସାରଙ୍କ ଉତ୍ତର ଶୁଣି ମୁଁ ବିସ୍ମିତ। କହିଲେ-" ବୁଝିଲ, ଜାନକୀ ଗୋଟିଏ ବହି ପଢିବାକୁ ମୁଁ ବହୁ ଦିନରୁ ଖୋଜୁଛି। ଶୁଣିଲି , ତମ ଲାଇବ୍ରେରୀରେ ସେହି ବହିଟି ଅଛି। ଅନେକଙ୍କୁ କହିଲିଣି, କେହି ଆଣିଦେଲେ ନାହିଁ। ତମେ ଟିକିଏ ଚେଷ୍ଟା କଲେ ପାଇବ।