ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କିନ୍ତୁ ଆଜି ସମୟର ରଥଚକ ଘୂରିଯାଇଛି। କେବଳ ଶିକ୍ଷାକ୍ଷେତ୍ରରେ କାହିଁକି, ନାରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦୁଝର ଅଧୁନା ଉଲ୍ଲଖନୀୟ ଅଗ୍ରଗତି କରିଛି। କେନ୍ଦୁଝରରେ ଏକଧିକ ମହିଳା ମହାବିଦ୍ୟାଳୟ। ବାରଟି ବାଳିକା ହାଇସ୍କୁଲ୍ ଓ ଅନେକ ବାଳିକା ନିମ୍ନମାଧ୍ୟମିକ ତଥା ପ୍ରାଥମିକ ବିଦ୍ୟାଳୟ ମାନ ସ୍ଥାପିତ ହୋଇଛି। ଲୋକମାନେ ନିଜ ଉଦ୍ୟମରେ ଏଭଳି ଅନୁଷ୍ଠାନମାନ ପ୍ରତିଷ୍ଠା କରି ତାହା ଚଳାଉଛନ୍ତି। କିନ୍ତୁ କେନ୍ଦୁଝରରେ ନାରୀଶିକ୍ଷା ଏଭଳି ପ୍ରସାର ଲାଭ କରିବା ନିମନ୍ତେ ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ, ନିଷ୍ଠା, ଧୌର୍ଯ୍ୟ ଓ ଆନ୍ତରିକତା ପ୍ରଦର୍ଶନ କରିଥିଲେ ଯାହାର ସୁଫଳ ଏବେ ମିଳୁଛି ସେମାନଙ୍କ ମଧ୍ୟରେ ଶ୍ରୀମତୀ କିରଣ କୁମାରୀ ମହାରଣା ଅଗ୍ରଗଣ୍ୟ।। ତାଙ୍କର ଅତୀତର ପ୍ରଚେଷ୍ଟା ଏବେ ମଧ୍ୟ କେନ୍ଦୁଝରର ଅଧିହିବାସୀମାନେ ପାସୋରି ନାହାନ୍ତି।

୧୯୨୭ ମସିହା ଜାନୁଆରି ମାସ ୨୦ ତାରିଖ ଦିନ ଶ୍ରୀମତୀ କିରଣ କୁମାରୀ ମହାରଣା କଟକରୁ ଆସି କେନ୍ଦୁଝର ଗଡ଼ ଟାଉନ୍ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ। ତାଙ୍କ ଆସିବା ବେଳକୁ ବାଳିକା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଥିଲେ ପଣ୍ତିତ ହଳଧର ମିଶ୍ର।

ମାଘ ମାସ ଶୀତ। ପଣ୍ତିତ ହଳଧର ମିଶ୍ର ମହାଶୟ ବାହାରେ ବସିଛନ୍ତି। ମାତ୍ର ଚାରିଜଣ ପିଲା ତାଙ୍କ ପାଖରେ ପଢ଼ୁଥାନ୍ତି। ଦାୟିତ୍ୱ ହସ୍ତାନ୍ତର କରି ସେ ଅନ୍ୟତ୍ର ଚାଲିଗଲେ। ସ୍କୁଲ୍ ରେ ମାତ୍ର ଦୁଇ କୋଠରୀ ବିଶିଷ୍ଟ ଛୋଟ ଘରଟିଏ ଥାଏ। ଛାତ୍ରୀ ଉପସ୍ଥାନ ଦେଖି ନବାରତ କିରଣ କୁମାର ମନେ ମନେ ପ୍ରମାଦ ଗଣିଲେ। କିନ୍ତୁ ହତୋତ୍ସାହ ହେଲେ ନାହିଁ। ସେ ଛାତ୍ରୀ ସଂଗ୍ରହ କରିବା କାମରେ ଲାଗିପଡ଼ିଲେ। ଲୋକମାନେ ଥିଲେ ରକ୍ଷଣଶୀଳ ଲୋକେ ଘରର ଦରଜା ବନ୍ଦକରିଦିଅନ୍ତି। 'ଝିଅମାନେଙ୍କୁ ଏଇ ମାଷ୍ଟ୍ରାଣୀ ପାଠ ପଢ଼େଇ ଖିରସ୍ତାନ କରିଦେବ। ଆମ ଝିଅମାନେ ପାଠ ପଢ଼ିଲେ ଆମକୁ ମାନିବେ ନାହିଁ। ଜୋତା ପିନ୍ଧିବେ, ଛତା ଧରିବେ, ଅଙ୍ଗା ନାଇବେ । ଘରେ ରନ୍ଧାବଢ଼ା କରିବେ ନାହିଁ। ଆମେ ଝିଅଙ୍କୁ ପାଠ ପଢ଼େଇବୁ ନାହିଁ।

୧୯୮