ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦାୟିତ୍ବ ବୁଝାଇ ନଥିଲେ । ତେଣୁ ମୁଁ ପ୍ରାୟ ଦଶ ପନ୍ଦର ଦିନ ସେଇ ଧର୍ମଶାଳାରେ ରହିଥିଲି । ମାତ୍ର ପ୍ରତିଦିନ ସେଠାରୁ ସ୍କୁଲ୍ ପରିଦର୍ଶନ କରିବାକୁ ଯାଉଥିଲି ।

ସେହି ସମୟ ଭିତରେ ମୋ ପାଖକୁ ଆସନ୍ତି ଜଣେ ବୃଦ୍ଧ ଭଦ୍ରବ୍ଯକ୍ତି । ଦେହରେ ଖଦଡ଼ ଲୁଗା ଓ ସାର୍ଟ । ଦେଖିବାକୁ ପ୍ରାୟ ଗୋଦାବରୀଶ ମିଶ୍ରଙ୍କ ପରି ମୁହଁ ।ମୁଁ ତାଙ୍କୁ ପ୍ରଥମେ ଦେଖି ଟିକିଏ ଆଶ୍ଚର୍ଯ୍ଯ ହୋଇଥିଲି । ତା ପରେ ସେ ପରିଚୟ ଦେଇଥିଲେ ,ମୋ ନାଁ ବାମନ ଚରଣ ଦାସ । ବାଣପୁର ବାଳକ ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ' ପରେ ସ୍କୁଲର ଭଳମନ୍ଦ, ସେ ଅଂଚଳର ଉନ୍ନତି ଓ ତା ସମସ୍ଯା ସମ୍ପର୍କରେ ସେ ଅଲୋଚନା କରନ୍ତି ।

କଟକ ଚିନ୍ତା ବାଇମୁଣ୍ଡିକି ପରି ସେ ବାଣପୁରର ସୁଖ ଦୁଃଖ ତା'ର ବିଭିନ୍ନ ସମସ୍ଯା ସମ୍ପର୍କରେ ସଦାବେଳେ କହୁଥିଲେ। ତା ମଧ୍ଯରେ ତାଙ୍କ ସ୍କୁଲକୁ ଯିବାକୁ କହନ୍ତି। ମୁଁ ସମୟ ସୁବିଧା ଦେଖି ସ୍କୁଲକୁ ଯାଏ । ଦିନରାତି ସେ ସ୍କୁଲ କାମରେ ଲାଗିଥାନ୍ତି ।ବହିପତ୍ର, ଫାଇଲ ଆଦି ରେଜିଷ୍ଟର୍ ର ଗଦା ମଝିରେ ବୁଡ଼ି ରହିଥାନ୍ତି ।ଗରିବପିଲାମାନଙ୍କୁ ସାହାଯ୍ଯ କରିବାଠାରୁ ଆରମ୍ଭ କରି ଚଗଳା ପିଲାମାନଙ୍କର ଅନୁଧ୍ଯାନ ଓ ସମାଧାନ କରିବା ଯାଏ ସବୁଥିରେ ତାଙ୍କର ସଂବେଦନଶୀଳ ମନ ଓ ଶତଚେଷ୍ଟା । ସେଥିପାଇଁ ସେ ପିଲାମାନଙ୍କ ପିତାମାତା ଓ ଅଭିଭାବକ ସହିତ ଘନିଷ୍ଠ ସମ୍ପର୍କ ରଖୁଥିଲେ । ବିଭିନ୍ନ ଗାଁ ଗଣ୍ଡାକୁ ନିଜେ ଚାଲି ଚାଲି ଯାଉଥିଲେ।

ସାକ୍ଷୀଗୋପାଳର ବକୁଳବନ । ସେଠାରେ ଗଢ଼ିଉଠିଥିବା ଜାତୀୟ ବନବିଦ୍ଯାଳୟରେ ସେ ଥିଲେ ଛାତ୍ର । ସ୍ବାଧୀନତା ଆନ୍ଦୋଳନରେ ମଧ୍ଯ ବାନରସେନା ଭାବରେ କାର୍ଯ୍ଯ କରିଥିଲେ । ତାଙ୍କର ଜ୍ଞାନ ଗାରିମା, ସ୍ବଦେଶପ୍ରେମ ଓ ସେବା ମନୋଭାବ ଦେଖି ସେଠାରେ ସୁଯୋଗ୍ଯ ଗୀତିକବି ଗୋଦାବରୀଶ ତାଙ୍କୁ ବାଣପୁର ନେଇ ଆସିଥିଲେ । ସେତେବେଳେ ବାଣପୁରରେ ହାଇସ୍କୁଲ ନ ଥିଲା । ତେଣୁ ଗୋଦାବରୀଶଙ୍କ ଉଦ୍ଯମରେ ହାଇସ୍କୁଲ ସ୍ଥାପିତ ହେଲା ମାଇ ନର ସ୍କୁଲଟି ବହୁଦିନରୁ ଗଢ଼ିଉଠିଥିଲା । ବାମନବାବୁ ଥିଲେ ତା'ର ପ୍ରଧାନ ଶିକ୍ଷକ।

ବାଣପୁର ହାଇସ୍କୁଲ ପାଇଁ ଚାନ୍ଦା ସଂଗ୍ରହ କରିବାକୁ ଜଣେ ପୁରୁଖା ଶିକ୍ଷକ ବିଶ୍ବନାଥ ଶତପଥୀଙ୍କ ସହିତ ବାମନବାବୁ ରେଙ୍ଗୁନ୍ ଯାତ୍ରା କରିଥିଲେ ୧୯୩୭ ମସିହା ଗ୍ରୀଷ୍ମ ଛୁଟିରେ ।

୨୪୧