ଗୋଦାବରୀଶଙ୍କ ନାଁରେ ଏକ କଲେଜ ଆରମ୍ଭ ହୋଇଥିଲା ଷଷ୍ଠ ଦଶକରେ । ଜନ୍ମ ଲାଭ କରି ଶେଷକୁ ଏହା ଏକ ପ୍ରତିଷ୍ଠିତ କଲେଜ ହୋଇପାରିଥିଲା । ଏଥିପାଇଁ 'ସମାଜ' ସମ୍ପାଦକ ଶ୍ରୀ ରାଧାନାଥ ରଥ, 'ନିଆଁ ଖୁଣ୍ଟା' ସମ୍ପାଦକ ଗୋଦାବରୀଶ ମହାପାତ୍ର ପ୍ରମୁଖଙ୍କ ସହିତ ବାମନବାବୁଙ୍କର ସହଯୋଗ ଉଲ୍ଲେଖଯୋଗ୍ୟ । ଗାଁ ଗଣ୍ଡାରୁ ଆରମ୍ଭକରି ବାଣପୁରର ଧନୀ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଚାନ୍ଦା ଭେଦା ଓ ସାହାଯ୍ୟ ସଂଗ୍ରହ କରିବାରେ ବାମନ ବାବୁଙ୍କ ଭୂମିକା ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
ସେ ଥିଲେ ବାଣପୁରର ଏକ ଦୀପ୍ତିମନ୍ତ ଦୀପଶିଖା, ଏକ ଜାଜ୍ଜ୍ୱଲ୍ୟମାନ ଆଲୋକ ସ୍ତମ୍ଭ । ସେ ବାଣପୁରର ହଜାର ହଜାର କିଶୋର, ତରୁଣ, ଯୁବକ ଓ ବୃଦ୍ଧଙ୍କର ଶିକ୍ଷକ ଥିଲେ କହିଲେ ଯଥେଷ୍ଟ ହେବ ନାହିଁ । ସେ ଥିଲେ ସେମାନଙ୍କର ସୁଖ ଦୁଃଖର ସାଥୀ, ପ୍ରେରଣାଦାତା ଗୁରୁ । ଅନେକଙ୍କର ଅଭାବ ଅସୁବିଧାରେ ସେ ସାହାଯ୍ୟ କରୁଥିଲେ । ବିପଦରେ ସାହା ହେଉଥିଲେ । ସେ ସମସ୍ତଙ୍କୁ ହସି ହସି ସ୍ୱାଗତ କରିଛନ୍ତି, ମନ ଛୁଇଁ ଦୁଃଖ ସୁଖ ହୋଇଛନ୍ତି ଆଉ ଅନ୍ତର ଭରି ସ୍ନେହ ସହାନୁଭୂତି ଦେଖାଇଛନ୍ତି । ସେ ଥିଲେ ସତ୍ୟବାଦୀର ଛାତ୍ର । ସତ୍ୟବାଦୀ ସଂସ୍କୃତିର ଦାୟାଦ, ସତ୍ୟବାଦୀ ଶିକ୍ଷକ ସମାଜର ସମସ୍ତ ସ୍ୱଭାବ ଓ ସଦ୍-ଗୁଣ ତ୍ୟାଗ ତିତିକ୍ଷା, ସଦିଚ୍ଛା, ଅନୁକମ୍ପା । ଜ୍ଞାନ ଗାରିମା, ସାହିତ୍ୟିକ ସାଧନା ଓ ପ୍ରତିଭା ତାଙ୍କ ଠାରେ ଥିଲା ପୁଞ୍ଜୀଭୂତ । ଆଦର୍ଶ ଶିକ୍ଷକ ଓ ଗୀତିକବି ଗୋଦାବରୀଶଙ୍କ ପ୍ରେରଣାରେ ସେ ସାକ୍ଷୀଗୋପାଳରୁ ବାଣପୁର ଆସି ହାଇସ୍କୁଲ ପ୍ରତିଷ୍ଠାରେ କାୟମନୋବାକ୍ୟରେ ସାହାଯ୍ୟ କରିଥିଲେ ।
ସେ କେବଳ ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ନ ଥିଲେ, ସେ ଥିଲେ ସେଇ ବିଦ୍ୟାଳୟର ସଂଗଠକ ଓ କର୍ମୀ । ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଧରି ସେ ଥିଲେ ବାଣପୁର ମି.ଇ. ସ୍କୁଲର ପ୍ରଧାନ ଶିକ୍ଷକ । ଶିକ୍ଷାକ୍ଷେତ୍ରରେ ସେ ଥିଲେ ସମସ୍ତଙ୍କର ପରାମର୍ଶଦାତା । ଓଡ଼ିଶା ସରକାରଙ୍କ ଠାରୁ ସେ ମଧ୍ୟ ରାଜ୍ୟ ପୁରସ୍କାର ଲାଭ କରିଥିଲେ ।
ବାମନବାବୁ ବା ବାମନ ଚରଣ ଦାସ କହିଲେ ବାଣପୁରରେ ନ ଜାଣେ କିଏ? ବାଣପୁରର ଗ୍ରାମେ ଗ୍ରାମେ, ଘରେ ଘରେ ସେ ପରିଚିତ । ଖଦଡ଼ ଲୁଗା ଓ ପଂଜାବୀ ପିନ୍ଧି କେତେ ଆଡ଼େ ସେ ବୁଲି ନ ଯାନ୍ତି? ପାଦରେ ଚପଳ ହଳେ କେତେବେଳେ ଥାଏ ତ