ତାଲିମ ପରେ ନିଜ ଜିଲ୍ଲା ଗଞ୍ଜାମରେ ଚାକିରୀ ମିଳିବାରେ ଡ଼େରି ହେବାରୁ ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳରେ ଶିକ୍ଷକତା ଆରମ୍ଭ କଲେ । ଅଳ୍ପ କିଛି ମାସ ପରେ ତାଙ୍କୁ ରାୟଗଡ଼ ସହରର ବାଳିକା ନି.ପ୍ର. ସ୍କୁଲକୁ ବଦଳି କରାଗଲା । ୧୯୪୩ ମସିହା ଜାନୁଆରୀ ମାସ ଅଠର ତାରିଖ ଦିନ ସେ ଉକ୍ତ ସ୍କୁଲରେ ଯୋଗ ଦେଲେ ।
ଓଡ଼ିଆ ସଂସ୍କୃତିର ଅନ୍ୟତମ ପାଠ ପାରଳାଖେମୁଣ୍ଡିର ଶୈକ୍ଷିକ ପୃଷ୍ଠଭୂମି, ନିଜ ସ୍ୱାବଲମ୍ବୀ ଛାତ୍ର ଜୀବନର ମୂଲ୍ୟବାନ ଅଭିଜ୍ଞତା ସହ ସେ ନିଜର କର୍ମମୟ ଜୀବନର ମୂଳଦୁଆ ପ୍ରତିଷ୍ଠା କରନ୍ତି ସୀମାନ୍ତ ଅଞ୍ଚଳର ବାଣିଜ୍ୟ କେନ୍ଦ୍ର ତଥା ଭାବୀ ଶିଳ୍ପାଞ୍ଚଳ ରାୟଗଡ଼ ସହରରେ ।
ସଦ୍ୟ ତାଲିମ ପ୍ରାପ୍ତ ଯୁବ ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜର ସ୍ୱପ୍ନକୁ ରୂପାୟିତ କରିବା ପାଇଁ ଉପଯୁକ୍ତ କ୍ଷେତ୍ର ପାଇଗଲେ ।
ପ୍ରଥମରୁ ମିଶ୍ରେ ନିଜକୁ ଜଣେ ଯଥାର୍ଥ ଶିକ୍ଷକ ରୂପେ ଗଢିବାର ଉଦ୍ୟମ କରୁଥାନ୍ତି । ଠିକ୍ ସମୟରେ ସ୍କୁଲକୁ ଆସିବା ଫଳରେ ତାଙ୍କ ଭାଗରେ ପଡ଼ିଲା ପ୍ରାର୍ଥନା, ସଫେଇ ଆଦିର ପରିଚାଳନା । ଆଗ୍ରହରେ ତାହା ସେ ଗ୍ରହଣ କଲେ । ପିଲା ଘୋଷିକରି ଅଭ୍ୟାସ ବଶତଃ ଗାଉଥିବା ପ୍ରାର୍ଥନାର ମର୍ମ ସେ ପ୍ରଥମ କରି ପିଲାଙ୍କୁ ବୁଝାଇଲେ । ଏକ ସ୍ୱରରେ ପ୍ରାର୍ଥନା ଗାଇବା ଶିଖାଇଲେ ।
ମିଶ୍ରେ ଲକ୍ଷ୍ୟକଲେ,ପିଲା ମଇଳା ଲୁଗା ପିନ୍ଧି, ମୁଣ୍ଡ ନ କୁଣ୍ଡାଇ ନଖ,ବାଳ ନ କାଟି, ନାକ ସଫା ନ କରି ସକାଳୁ ଝାଡ଼ା ନ ଯାଇ ଶ୍ରେଣୀକୁ ଅସୁଛନ୍ତି । ଛୋଟ ପାନିଆ,ଦର୍ପଣ କିଣି ରଖିଲେ,ବ୍ଲେଡ୍ ଟିଏ ରଖିଲେ ନଖକାଟିବା ପାଇଁ । ବାପା ମା' ଦେଖିଲେ,ପିଲା ସ୍କୁଲରୁ ଫେରିଲାବେଳେ ସଫାସୁତୁରା ଦେଖାଯାଉଛି । କଥା କ'ଣ ନୂଆ ମାଷ୍ଟ୍ରେ ମୁଣ୍ଡ କୁଣ୍ଡାଇ ଦେଇଛନ୍ତି,ନଖ କାଟି ଦେଇଛନ୍ତି । ଖାଲି ସେତିକି ନୁହେଁ । ପିଲାକୁ କହିଲେ,ଘରେ ମା ବାପାଙ୍କ ଚିରାଲୁଗାରୁ କାନାଟିଏ କାଟି ସଫାକରି ପକେଟରେ ରଖିବାକୁ । ନାକ ଅସନା ହେଲେ ସେଥିରେ ସଫାହେବ,ଜାମା ପେଣ୍ଟରେ ନୁହେଁ ।ସେତିକ ନୁହେଁ ପିଲାଙ୍କୁ କର୍ମ ସଙ୍ଗୀତ ଶିଖାଇଲେ । ଅଭିନୟ କରି ସେମାନେ ଗୀତଗାଇଲେ,ନୂଆ ନୂଆ ଖେଳ ଶିଖିଲେ । କାହାଣୀ ଶୁଣିଲେ । ବହିପତ୍ର,କାଗଜ,କଲମ ଯତ୍ନ ନେବା ଶିଖିଲେ ।ଗପ ଜରିଆରେ ପିଲାଙ୍କୁ ରାସ୍ତାରେ ଯିବା ନିୟମ,ଖେଳ ପଡ଼ିଆର ନିୟମ,ଗୁରୁଜନ,ଭାଇଭଊଣୀ,ସାଙ୍ଗ,ସାଥି,ଶିକ୍ଷକଙ୍କ ପ୍ରତି