ଚିନ୍ତା କରୁଥିଲା ବେଳେ ଶ୍ରୀ ମିଶ୍ର ରାଷ୍ଟ୍ରପତିଙ୍କ ସାଲ୍ୟୁନ୍ ଭିତରକୁ ଉଠିଯାଇ ଦେହରକ୍ଷୀମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ବୁଝାଇବାରେ ଲାଗିଥାଆନ୍ତି । ସମୟ ହୋଇଯାଇଥିବା ଦୃଷ୍ଟିରୁ ଦେହରକ୍ଷୀମାନେ ଶ୍ରୀ ମିଶ୍ରଙ୍କୁ ଗାଡ଼ିରୁ ଓହ୍ଲାଇ ଯିବାକୁ କହୁଥାନ୍ତି । ଏତିକିବେଳେ ରାଷ୍ଟ୍ରପତି ଘଟଣା ବୁଝିବାକୁ ଆସି,ମିଶ୍ରଙ୍କଠାରୁ ସବୁ ଶୁଣି,ଆନନ୍ଦରେ ମିଶ୍ରଙ୍କୁ କୁଣ୍ଡାଇ ପକାନ୍ତି ଏବଂ ବାହାରେ ଉପସ୍ଥିତ ସମବେତ ଜନତାକୁ ଯୋଡ଼ହସ୍ତରେ ଦେଖାଦିଅନ୍ତି ।
୧୯୬୬ ମହିହାରେ ରାଜ୍ୟ ସରକାରଙ୍କ ପୁରସ୍କାର ପାଇଲା ପରେ ବି ଅବସର ପ୍ରାପ୍ତି ଆସନ୍ନପ୍ରାୟ ହୋଇଥିଲେ ସୁଦ୍ଧା ଶ୍ରୀ ମିଶ୍ର ସ୍କୁଲର ସ୍ଥାନଭାବ ଦୂରୀକରଣ ପାଇଁ ନୂଆ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଜୟପୁର ଜନସାଧାରଣଙ୍କଠାରୁ ସାହାଯ୍ୟ ସଂଗ୍ରହରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଯାହାର ଫଳଶ୍ରୁତି ସ୍ୱରୂପ କେନ୍ଦ୍ର ଉ ପ୍ରା ସ୍କୁଲର ରାସ୍ତାକଡ଼କୁ ଲାଗି ଏକ ପକ୍କା ଘର ଶୋଭାପାଉଛି ।
ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ହେଲେହେଁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଦୃଷ୍ଟିରୁ ନିଜ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଅବସରରେ ଶ୍ରୀ ମିଶ୍ର ଅନେକ ପ୍ରକାର ସମାଜସେବୀ, ସ୍ୱାଧିନତା ସଂଗ୍ରାମୀ,ଶିକ୍ଷାବିତ୍,ନେତା ଓ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ବିଶେଷତଃ ଜଣେ ଭଦ୍ର, ମେଳାପି, ସମାଜପ୍ରେମୀ ବ୍ୟକ୍ତି ତଥା ଜଣେ ସ୍ୱନାମଧନ୍ୟ ଶିକ୍ଷକ ଭାବେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ତାଙ୍କ ପକ୍ଷେ ସୁଲଭ ହୋଇପାରିଛି ।
ପାରାଳଖେମୁଣ୍ଡିରେ ଛାତ୍ର ଥିଲାବେଳେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରାଥନା ସଭାରେ ସେ ଯୋଗ ଦେଇଥିଲେ । ଗାନ୍ଧିଜୀଙ୍କର ସେଇ ପ୍ରଭବଶାଳୀ ବ୍ୟକ୍ତିତ୍ୱ, ଉଦାର, ହସ ହସ ମୁଖମଣ୍ଡଳ,ପରିଧାନ ଓ ବକ୍ତବ୍ୟର କିୟଦଂଶ ଆଜି ସୁଦ୍ଧା ଶ୍ରୀ ମିଶ୍ରଙ୍କ ମନରେ ସତେଜ ଅଛି । ଜାତୀୟତା, ସ୍ୱାଧିନତା, ସ୍ୱରାଜ, ସ୍ୱାବଲମ୍ବନ, ସରଳତା,ସତ୍ୟ, ପ୍ରେମ ଇତ୍ୟାଦି ସମ୍ପର୍କରେ ସେଇବେଳୁ ତାଙ୍କ ମନରେ ଏକ ଅଲିଭା ଦାଗ ବସିଯାଇଛି । ଶିକ୍ଷକତା ପରେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ମୌଳିକ ଶିକ୍ଷା ପ୍ରତି ତାଙ୍କର ଦୃଢ଼ ବିଶ୍ୱାସ ଯୋଗୁଁ ଆଜୀବନ ଖଦଡ଼ ପିନ୍ଧିବା ପାଇଁ ସେ ସଂକଳ୍ପ କରିଛନ୍ତି ।