ପାଟି ଶୁଭୁଥାଏ-"ବଦମାସ ମୂର୍ଖ ! କୁଳାଙ୍ଗାର !କହୁଛି କ'ଣ ନା ମରିଗଲି । ମରିଯା,ତୋ ମୁହଁ ମୁଁ ଚାହିଁବି ନାହିଁ । ତୋତେ ଆଜି ମାରିଦେଲେ ମୋର ଶାନ୍ତି ।" ଏହି ଚିତ୍କାର, ଗାଳି ସାଙ୍ଗକୁ ଶୁଣାଯାଉଥାଏ ବାଡ଼ିମାଡ଼ର ଚଡ଼ ଚଡ଼ ଶବ୍ଦ ।ପୁଣି ଶିଶୁର ଚିତ୍କାର,ଛାତିଫଟା ବିକଳ କ୍ରନ୍ଦନ ଓ ବିନମ୍ର ଅନୁରୋଧ,"ମରିଗଲି,ମରିଗଲି, କିଏ ଅଛ ମୋତେ ବଞ୍ଚାଅ- ଏ ସମସ୍ତ ଚିତ୍କାର ଶୁଣି ବାଟରେ ଯାଉଥିବା ଲୋକେ ଧାଇଁ ଆସିଲେ । ଆଉ ଧାଇଁ ଆସିଲେ ବିଦ୍ୟାଳୟର ଶିକ୍ଷକ ଓ ଛତ୍ରଛାତ୍ରୀମାନେ ।
'ରୁହ ରୁହ, ପିଲାଟାକୁ କାହିଁକି ପିଟୁଛ ? ବନ୍ଦକର ବନ୍ଦକର, ତୁମେ କ'ଣ ପାଗଳ ହୋଇଗଲ ? କହି ଉଠିଲେ ସମସ୍ତେ । ସେତେବେଳେକୁ ପ୍ରଧାନଶିକ୍ଷକ ମଢୁଆଳ ସାର ସେଠାରେ ପହଞ୍ଚିଗଲେଣି ।
"ଆରେ ମାରନା । କ'ଣ ହୋଇଛି କହ । ସେ ତ ଆମ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର । ତା'ର ଦୋଷ କ'ଣ ? ତୁମେ ପାଗଳ ହୋଇଗଲନା କ'ଣ ବ୍ୟଥା ଭରା ପ୍ରାଣରେ କହି ଉଠିଲେ ମଢୁଆଳ ବାବୁ ।"ପାଗଳ ନୁହେଁ ମୁଁ ହେଡ଼୍ ସାର ମୁଁ ପାଗଳନୁହେଁ । ଆଜି ତାଙ୍କୁ ମାରିଦେବି । ଏଭଳି ପୁଅ ମରିଯିବା ଭଲ । ଘରେ ସୃଷ୍ଟି କରିଛି ଭୀଷଣ ଗୋଳମାଳ । ଭାଇ ଭଉଣୀ ସମସ୍ତଙ୍କୁ ବାଡ଼ଉଛି । ସ୍କୁଲକଥା କହିଲେ ଲୁଚୁଛି । ପୁଣି ପିଲାଟି ଆଡ଼କୁ ନିର୍ଦ୍ଦେଶ କରି କହିଲେ,"ଦେଖନ୍ତୁ ସାର,ବହୁ କଷ୍ଟରେ ତାକୁ ବାନ୍ଧିକି ଆଣିଛି ଏହି ଦଉଡ଼ିରେ । ଆଉ ଏଇ ଠେଙ୍ଗା ଓ ବେଗୁନିଆ ଛଡ଼ି ଗୁଡ଼ିକ ତା ପିଠିରେ ସାରିବି । ବେଇମାନ କୁଳାଙ୍ଗର, ପୁଣି ନିସ୍ତୁକମାଡ଼ ।'ଶୁଣ ଶୁଣ', କହି ବାଡ଼ି ଛଡ଼େଇ ଆଣି ମଢୁଆଳ ସାର୍ କହିଲେ 'ତାର ଦୋଷ କ'ଣ କୁହ ।' କାନ୍ଦ କାନ୍ଦ ହୋଇ ନରିଦାସ କହିଲା,"ଦେଖନ୍ତୁ ସାର,ମୁଁ ଜଣେ ଭିକାରୀ । ଭିକ ମାଗି ଯାହା ଆଣେ ସେଥିରେ ସାତ ପରଣୀଙ୍କ ପେଟ ପୋଷେ । ଆଶା ଥିଲେ, ପୁଅ ମୋର ପାଠ ପଢିବ,ବଡ଼ ମଣିଷ ହେବ । ମୋର ଦୁଃଖ ଦୂରେଇ ଯିବ । କିନ୍ତୁ ସେ ଆଶା ପାଣି ଫୋଟକା ଭଳି ମିଳେଇ ଗଲା ସାର୍ ।"
"ବାଟ ଅଛି ନରି ଦାସ । ତୁମେ ଅସ୍ଥିର ହୁଅନା ।" ସମସ୍ତେ ଅବାକ ହୋଇ ଶୁଣୁଥାନ୍ତି ମଢୁଆଳ ସାର ଓ ନରିଦାସଙ୍କ କଥୋପକଥନ ଏବଂ ଚାହିଁ ଥାନ୍ତି ନିସ୍ତେଜ ହୋଇ ତଳେ ପଡ଼ିଥିବା ସାତବର୍ଷର ଶିଶୁ ଶ୍ୟ୍ୟମ ଦାସ ଆଡ଼କୁ ।