"ହେ ଶିକ୍ଷକ, ତୁମ୍ଭେ ନିଜ ହୃଦୟକୁ ସୌନ୍ଦର୍ଯ୍ୟ ରସରେ ସରସ କରି କବିତାର ସ୍ନିଗ୍ଧ ସମୀରଣ ସେବନ କର । ନୀରସ ସଂସାର ମରୁ ପରିତ୍ୟାଗ କରି କାବ୍ୟର ନନ୍ଦନକାନନ ମଧ୍ୟରେ ବାଲ୍ମୀକି, ବ୍ୟାସ, କାଳିଦାସ, ଭବଭୂତି, ସେକ୍ସପିୟର, ମିଲଟନ୍ ପ୍ରଭୃତି କବି-କୋବିଦମାନଙ୍କର ଅମୃତମୟ ସଂଗୀତ ଶ୍ରବଣକରି କଳ୍ପନା ପକ୍ଷରେ ସ୍ୱର୍ଗମର୍ତ୍ତ୍ୟ ବିଚରଣ କରି ସୌନ୍ଦର୍ଯ୍ୟ ସଂପାଦନ କରିବା ନିମିତ୍ତ ମାନବ ମନକୁ ଦେବ ଭାବରେ ପୂର୍ଣ କରିବା ନିମିତ୍ତ, ଛାତ୍ରମାନଙ୍କର ବୁଦ୍ଧି, କଳ୍ପନା, ସ୍ମୃତି, ହୃଦୟ, ବିବେକ ଓ ଆତ୍ମାର ପୂର୍ଣ କଲ୍ୟାଣ ସଂପାଦନ କରିବା ନିମିତ୍ତ ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି । ଜାଗ୍ରତ ହୁଅ, ତୁମ୍ଭ ଜୀବନର ମହାବ୍ରତ ସାଧନ ନିମିତ୍ତ ପ୍ରାଣପଣରେ ଯତ୍ନ କର"। (ଓଡିଆ ସାହିତ୍ୟ ଇତିହାସ, ଡକ୍ଟର ନଟବର ସାମନ୍ତରାୟଙ୍କ ଉଦ୍ଧୃତ ଶିକ୍ଷାବନ୍ଧୁ ୧୮୮୬ ମସିହା ୨/୧୬)
ଉପରୋକ୍ତ ଉକ୍ତି ଜଣେ କବିପ୍ରାଣ ଶିକ୍ଷକଙ୍କ ଠାରୁ ହିଁ ଆଶା କରାଯାଇପାରେ। ୧୯୮୬ ମସିହା ଜାନୁଆରୀ ମାସରେ ପ୍ରକାଶିତ ଏକ ପ୍ରବନ୍ଧରେ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏହା କୁହାଯାଇଛି । କବିତାକୁ କିପରି ସରସ ଓ ସାର୍ଥକ ଭାବରେ ପିଲାମାନଙ୍କୁ ପଢ଼ାଇ ତା'ର ସ୍ୱାଦ ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ସାହାଯ୍ୟ କରିବା ସାହିତ୍ୟ ଶିକ୍ଷକଙ୍କର ପରମ କର୍ତ୍ତବ୍ୟ । ମାତ୍ର ବାସ୍ତବ କ୍ଷେତ୍ରରେ କବିତା ଶିକ୍ଷାଦାନ ନୀରସ ଓ ନିରର୍ଥକ ହେଉଛି, ତାହା ପ୍ରବନ୍ଧ ଲେଖକ ଚେତାଇ ଦେଇଛନ୍ତି।
ଏହି ପ୍ରବନ୍ଧର ଲେଖକ ଆଉ କେହି ନୁହେଁ, ସ୍ୱୟଂ ଭକ୍ତକବି ମଧୁସୂଦନ ରାଓ । ସ୍ୱନାମଧନ୍ୟ ସାହିତ୍ୟିକ ଡଃ ନଟବର ସାମନ୍ତରାୟ ଯଥାର୍ଥରେ ଲେଖିଛନ୍ତି, "ଜାତିକୁ ନୂତନ ରସବୋଧରେ ଅନୁପ୍ରାଣିତ କରିବାର ପରମ ଦାୟିତ୍ୱ ଥିଲା ତାଙ୍କ (ଶିକ୍ଷକଙ୍କ) ହସ୍ତରେ ଯାହା ଆଧୁନିକ ଶିକ୍ଷାୟତନରେ ଆଧୁନିକ ରୁଚିବୋଧ ଜନ୍ମାଇ ପାରିଥିଲା । ସେଥିରୁ ସମୟରେ ଆବିର୍ଭାବ ଲାଭ କରିଥିଲା ଆଧୁନିକ ସାହିତ୍ୟ" (ଏଜନ,ପୃ୧୪୬)। ସାହିତ୍ୟ ଶିକ୍ଷାଦାନ ପଦ୍ଧତିର ମନ୍ତ୍ରଦାତା ହୋଇଛନ୍ତି ଭକ୍ତକବି ମଧୁସୂଦନ । ସେ ମଧ୍ୟ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ନିର୍ମାତା।
ମଧୁସୂଦନ ଜନ୍ମଗ୍ରହଣ କରିଥିଲେ ପୁରୀ ପଥୁରିଆ ସାହିରେ ୧୮୫୩ ମସିହାର ବସନ୍ତ ପଞ୍ଚମୀ ଦିନ । ସେତେବେଳେ ମଧୁମାସର ପ୍ରାରମ୍ଭ । ସେଥିପାଇଁ ବୋଧହୁଏ ମଧୁମୟ ସଂଗୀତମାନ ରଚନା କରି ସେ ଧନ୍ୟ ହୋଇଥିଲେ। ତାଙ୍କର ଆଚରଣ ଓ ଆଳାପ ଥିଲା
(୨୨)