ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ସେ ଉପଯୁକ୍ତ ପାଠ୍ୟପୁସ୍ତକ ପ୍ରଣୟନ ଓ ନିର୍ବାଚନରେ ଯତ୍ନବାନ୍ ହୋଇଥିଲେ । ମଧୁସୂଦନ ପ୍ରଶିକ୍ଷଣବିଦ୍ୟାଳୟରେ ପ୍ରଚଳିତ ପାଠ୍ୟକ୍ରମକୁ ଆହୁରି ବ୍ୟାପକ ଓ ସମୃଦ୍ଧ କରିଥିଲେ । ଯେଉଁ ବିଷୟରେ ମୌଳିକ ପୁସ୍ତକର ଅଭାବ ଥିଲା, ତାକୁ ପୂରଣ କରିବାକୁ ସେ ବଙ୍ଗଳା ଓ ଇଂରେଜ ପୁସ୍ତକର ଅନୁବାଦ କରୁଥିଲେ । ମଧୁସୂଦନ ନିଜେ ଶ୍ରେଣୀଅଧ୍ୟାପନାରେ ନେତୃତ୍ୱ ନେଇ ଉପଯୁକ୍ତ ଶିକ୍ଷାଦାନ କୌଶଳ ଓ ମାର୍ଗଦର୍ଶନ ପ୍ରଦାନ କରୁଥିଲେ । ଏଥିରେ ତାଙ୍କର ଗଭୀର ନିଷ୍ଠା ଓ ଆଗ୍ରହ ଥିଲା । ପ୍ରଧାନ ଶିକ୍ଷକ ଭାବରେ ପ୍ରାଶାସନିକ ଦାୟିତ୍ୱ ସଂପାଦନ କରିବା ସଙ୍ଗେ ସଙ୍ଗେ ମଧୁସୂଦନ ସାହିତ୍ୟ, ସଂସ୍କୃତ, ଗଣିତ, ଏମିତିକି ଶାରୀରିକ ଶିକ୍ଷାଦାନରେ ଅଂଶଗ୍ରହଣ କରୁଥିଲେ । ସଂପୃକ୍ତ ଶିକ୍ଷକ ଅନୁପସ୍ଥିତ ରହିଲେ ସେ ନିଜେ ଉକ୍ତ ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ । ଭକ୍ତକବି ମଧୁସୂଦନ ଥିଲେ ଉତ୍କଳ ସାହିତ୍ୟ ସମାଜର ଜନକ । ଏହି କଟକ ଟ୍ରେନିଂ ସ୍କୁଲ ଥିଲା ଉତ୍କଳ ସାହିତ୍ୟ ସମାଜର ଏନ୍ତୁଡ଼ିଶାଳ । ଗୁରୁଛାତ୍ର ଓ ଶିକ୍ଷକମାନଙ୍କ ମନରେ ସାହିତ୍ୟ ପ୍ରତି ଅନୁରାଗ ଜାତ କରାଇ ସେମାନଙ୍କ ମଧ୍ୟରେ ସେ ପ୍ରେରଣା ଭରି ଦେଇଥିଲେ । ପ୍ରଧାନ ଶିକ୍ଷକ ଥିଲାବେଳେ ସେ ଏଠାରେ ଗୋଟିଏ "ଆଲୋଚନା ସଭା" ଗଠନ କରି ସାହିତ୍ୟିକ ବିଚାରବିମର୍ଶ କରାଉଥିଲେ । ଏହାର ପ୍ରତିଷ୍ଠା ହୋଇଥିଲା ୧୮୯୪ ମସିହାରୁ ଏବଂ ପ୍ରତି ଶନିବାର ଦିନ ଏହାର ବୈଠକ ବସୁଥିଲା । ଏହାର ପ୍ରଥମ ସଂପାଦକ ଥିଲେ ଚନ୍ଦ୍ରମୋହନ ମହାରଣା ଏବଂ ବାହାରୁ ଯୋଗଦାନ କରୁଥିବା ସାହିତ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ବିଶ୍ୱନାଥ କର, ନନ୍ଦ କିଶୋର ବଳ, ରାଜମୋହନ ବସୁ, କୃଷ୍ଣପ୍ରସାଦ ଚୌଧୁରୀ । ମଧୁସୂଦନ ପ୍ରତିଷ୍ଠାତା ସଭାପତି ଭାବରେ ଦୀର୍ଘ ନଅ ବର୍ଷ କାଳ ଦାୟିତ୍ୱ ସଂପାଦନ କରି ଛାତ୍ର ଓ ଶିକ୍ଷକବୃନ୍ଦଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ସେବା ଓ ସାଧନା ମନୋବୃତ୍ତି ସୃଷ୍ଟି କରି ପାରିଥିଲେ । ଟ୍ରେନିଂ ସ୍କୁଲର ଏହି ଆଲୋଚନା ସଭା ୧୯୦୩ ମସିହା ମଇ ମାସ ୭ ତାରିଖରେ "ଉତ୍କଳ ସାହିତ୍ୟ ସମାଜ" ନାମରେ ପ୍ରତିଷ୍ଠିତ ହୋଇଥିଲା । ମଧୁସୂଦନ ଭଗ୍ନ ସ୍ୱାସ୍ଥ୍ୟରେ ମଧ୍ୟ ଆଲୋଚନା ସଭା ବୈଠକଗୁଡ଼ିକରେ ଯୋଗଦାନ କରିବାଠାରୁ ଉତ୍କଳ ସାହିତ୍ୟ ସମାଜର ନାମକରଣ ଓ ସଂଗଠନ ସଂପର୍କୀୟ ନିୟମାବଳୀ ପ୍ରଣୟନ ପର୍ଯ୍ୟନ୍ତ ସବୁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୮୯୭ ମସିହାରେ "ଆଲୋଚନା ସଭା" ର ତୃତୀୟ ବାର୍ଷିକ ସମ୍ମିଳନୀରେ ବିଶ୍ୱନାଥ କର ଯଥାର୍ଥରେ କହିଥିଲେ, "ଏହି ଆଲୋଚନା ସଭା ଉପଯୁକ୍ତ କ୍ଷେତ୍ରରେ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦
ଦେଖଣା