ଓଡ଼ିଶା ମୂଳକ ଥିଲା ।
ବଙ୍ଗାଳୀ,ବିହାରୀ, ହିନ୍ଦି, ମାନ୍ଦରାଜୀ
ଲାଗି ଏ ରାଇଜ ଗଲା ।"
"ଓଡ଼ିଆ ପୁଅ ଉଠରେ
ଆନ୍ଧ୍ର,ମାନ୍ଦରାଜୀ,ବଙ୍ଗାଳୀ, ବିହାରୀ
ସବୁ ବାଣ୍ଟିନେଲେ ଆମ ଦେଶରେ"
"ସବୁ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳ ଏକତ୍ର ହେଉ ।"
ଏହି ସବୁ ପ୍ରଚାର ଫଳରେ ଖୁବ୍ ଜନ ଜାଗରଣ ସୃଷ୍ଟି ହେଲା । କି ଗ୍ରାମବାସୀ କି ସହରବାସୀ ସମସ୍ତେ ଦେଶ ମିଶ୍ରଣ ମନ୍ତ୍ରରେ ଦୀକ୍ଷିତ ହେଲେ । ଦେଶ ମିଶ୍ରଣ ସଂପର୍କରେ ଯେତେ ବ୍ଯକ୍ତି, କମିଟି, କମିଶନ ଆଦି ଆସିଲେ ସେମାନଙ୍କ ନିକଟରେ ନିଜର ଦାବି ଜଣାଇବା ବା ସେମାନଙ୍କୁ ବୁଝାଇଦେବା ଲୋକଙ୍କ ପକ୍ଷେ କଷ୍ଟକର ହେଲାନାହିଁ ।
ଆସ୍କାରେ ଖଗେଶ୍ୱରୀଙ୍କ ଦେଉଳ ନିକଟରେ ପ୍ରତି ବର୍ଷ ଭୁତ ପଶୁଙ୍କୁ ବଳି ଦିଆଯାଉଥିଲା । ପରଶୁରାମ ଏହି ହିଂସାତ୍ମକ ପ୍ରଥା ବିରୁ୍ଦ୍ଧରେ ସଭାସମିତି କରି ଓ ପତ୍ରପତ୍ରିକାରେ ଲେଖା ପ୍ରକାଶ କରି ଦୃଢ଼ ଜନମତ ସୃଷ୍ଟି କରିଥିଲେ । ଫଳରେ ଅନେକ ଲୋକ ବଳି ବିରୁ୍ଦ୍ଧରେ ସ୍ୱର ଉତ୍ତୋଳନ କଲେ । କୋଣ୍ଡଲରାଓ ନାମକ ଜଣେ ତେଲୁଗୁ ବ୍ଯକ୍ତି ଥରେ ଗୋଟିଏ ବୋଦାକୁ ବଳି ପକାଇବା ପାଇଁ ଆଣିଥିଲେ । ଛାତ୍ର ଓ ଶିକ୍ଷିତ ବ୍ଯକ୍ତି ଗଣ ଏହାର ବିରୋଧ କଲେ । ବଳି ପକାଇବା ବିରୁଦ୍ଧରେ ଧ୍ବନୀ କରି ସେମାନେ ସେଠାରେ ବୋଦାକୁ ଛଡ଼ାଇନେଲେ । ଉଭୟ ଦଳ ମଧ୍ୟରେ ଆଲୋଚନା ହୋଇ ସ୍ଥିର କରାଗଲା ଯେ ବୋଦାଟିକୁ ଠାକୁରାଣୀଙ୍କ ଗମ୍ଭୀରା ମଧ୍ଯରେ ଛାଡ଼ି ଦିଆଯିବ । ତାପରେ କବାଟ ବନ୍ଦ କରାଯିବ । ଠାକୁରାଣୀ ଚାହିଁଲେ ବୋଦାର ରକ୍ତପାନ କରିବେ । ନଚେତ୍ କେତେ ଘଣ୍ଟାପରେ କବାଟ ଖୋଲିଲେ ଯଦି ବୋଦା ବଂଚିଥିବାର ଦେଖାଯିବ , ତାକୁ ଛାଡ଼ି ଦିଆଯିବ ।
ସେୟାହେଲା । ଗମ୍ଭୀରା ଭିତରୁ ବୋଦା ଆରାମରେ ବାହାରିଲା । ସେ ଅକ୍ଷତ ଥିବାରୁ ବଳି ବନ୍ଦ ହେଲା । କୋଣ୍ଡଲ ରାଓଙ୍କ ମନରେବି ପରିବର୍ତ୍ତନ ଆସିଲା । ଛାତ୍ରମାନେ ରାଓଙ୍କୁ ଗୋଟିଏ ଶୋଭାଯାତ୍ରାରେ ନେଲେ ଓ ଗାଇଲେ ।