ପୃଷ୍ଠା:Odishara Itihas.pdf/୧୦୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୮
ଓଡ଼ିଶାର ଇତିହାସ ।

କପିଳେନ୍ଦ୍ର ଦେବ (୧୪୫୨ - ୧୪୭୯ ) — ବାସୁଦେବବଂଶୀୟ ଶେଷ ରାଜା ନିଃସନ୍ତାନ ଥିଲେ; ସୁତରାଂ ସେ ତଦ୍‌ବଂଶୀୟ କପିଳ ସାନ୍ତରା ନାମକ ଜଣଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ କଥିତ ଅଛି । ଏହି କପିଳ ଏକସମୟରେ ଜଣେ ବ୍ରାହ୍ମଣର ଗୋଚାରଣ କାର୍ଯ୍ୟରେ ନିଯୁକ୍ତ ଥିଲେ । ଜଗନ୍ନାଥ ମନ୍ଦିରକୁ ଯାଉଁ ଯାଉଁ ଶେଷ ବାସୁଦେବ ରାଜା (ନେତ୍ରବାସୁଦେବ) କପିଳଙ୍କର ବିଶେଷ ବୁଦ୍ଧିମତ୍ତାର ପରିଚୟ ପାଇ ତାଙ୍କୁ ସ୍ୱୀୟ ଭାବୀ ଉତ୍ତରାଧିକାରୀ ମନୋନୀତ କଲେ । କିଛିକାଳ ଉତ୍ତାରୁ କପିଳ ଆପଣାର କାର୍ଯ୍ୟଦକ୍ଷତାର ପରିଚୟ ଦେଇ ବାସୁଦେବଙ୍କ ରାଜସଭାରେ ମନ୍ତ୍ରୀତ୍ୱ ପଦ ଲାଭ ବିଷୟରେ କୃତକାର୍ଯ୍ୟ ହେଲେ । କେହି କେହି କହନ୍ତି କପିଳଙ୍କ ପ୍ରତିପାଳକ ରାଜା ଥିବା ସମୟରେ ଉତ୍ତରରୁ ମୁସଲମାନମାନେ ଆସି ଓଡ଼ିଶା ଆକ୍ରମଣ କରିଥିଲେ । କପିଳ ସେମାନଙ୍କ ସଙ୍ଗେ ସନ୍ଧି ସଂସ୍ଥାପନାର୍ଥ ପ୍ରେରିତ ହୋଇ ପ୍ରତିଭୂ ସ୍ୱରୂପେ ସେମାନଙ୍କ ଶିବିରରେ ରକ୍ଷିତ ହୋଇଥିଲେ ଓ ଅନନ୍ତର ରାଜା ବାସୁଦେବଙ୍କ ମୃତ୍ୟୁ ଉତ୍ତାରୁ ଓଡ଼ିଶାର ଶାସନଭାର ଗ୍ରହଣ କରିବା ସକାଶେ ପୁନଃ ପ୍ରେରିତ ହେଲେ ।
କପିଳେନ୍ଦ୍ର ରାଜ୍ୟଭାର ପ୍ରାପ୍ତ ହୋଇ ତାଙ୍କ ରାଜ୍ୟର ସମସ୍ତ ଅଂଶ ସ୍ୱୟଂ ପରିଦର୍ଶନ କରିବାରେ ପ୍ରବୃତ୍ତ ହେଲେ । ଦକ୍ଷିଣ ଦେଶକୁ ସୁଖ ପାଇବାରୁ ହେଉ ଅବା ଦାକ୍ଷିଣାତ୍ୟ ବାହାମନିବଂଶୀୟ ମୁସଲମାନ ରାଜା ଓ ଅନ୍ୟାନ୍ୟ ରାଜାଙ୍କ ସଙ୍ଗେ ଅନବରତ ଯୁଦ୍ଧ କରିବାକୁ ହେଉଥିବାରୁ ହେଉ ରାଜଧାନୀରୁ ଅନୁପସ୍ଥିତ ଥାଇ ରାଜମହୀନ୍ଦ୍ରୀ ଓ ଖିମିଡ଼ିରେରେ ସେ ଅଧିକ କାଳ ବାସ କରୁଥିଲେ । ବିଜୟନଗର ଦର୍ଶନ କରି ସେଠାରେ ଗୋଟିକେତେ ଶାସନ ବସାଇ ଥିବାର ମଧ୍ୟ କଥିତ ଅଛି । ଏହି ବିଜୟନଗର ୧୨୩୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ସଂସ୍ଥାପିତ ହୋଇଥିଲା । ସେତୁବନ୍ଧରାମେଶ୍ୱର ପର୍ଯ୍ୟନ୍ତ କପିଳେନ୍ଦ୍ରଙ୍କର ସୈନ୍ୟମାନେ ଅସ୍ତ୍ରଚାଳନ କରିଥିଲେ ବୋଲି କେହି କେହି ବର୍ଣ୍ଣନା କରିଅଛନ୍ତି । କିନ୍ତୁ ସେଥିର ବିଶେଷ ପ୍ରମାଣ ଦୃଷ୍ଟିଗୋଚର ହୁଅଇ ନାହିଁ । କପିଳେନ୍ଦ୍ରଙ୍କର କେବଳ କନ୍ଦୁଝରୀ (ଆଧୁନିକ କନ୍ଦାପଲି) ଦୁର୍ଗ ପରାଜୟ ସମ୍ବନ୍ଧରେ କେତେକ ବିଷୟର ଉଲ୍ଲେଖ ଥିବାର ଜଣାଯାଏ ।
କପିଳେନ୍ଦ୍ରଦେବଙ୍କ ଦାକ୍ଷିଣାତ୍ୟ ମୁସଲମାନମାନଙ୍କ ସଙ୍ଗେ ଯୁଦ୍ଧର ବର୍ଣ୍ଣନା ଉତ୍କଳ ଗ୍ରନ୍ଥମାନଙ୍କରେ ଅପ୍ରାପ୍ୟ । ମୁସଲମାନ ଇତିହାସଲେଖକେ ସେଥିର ସବିଶେଷ ବିବରଣ ଲେଖିଅଛନ୍ତି । ୧୪୫୭ ମସିହାରେ ଦାକ୍ଷିଣାତ୍ୟର ମୁସଲମାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ତୈଲଙ୍ଗ ରାଜାମାନେ